ତୋଗାଡିଆ ଓ ରାଘବଙ୍କୁ ହଟାଇବା ପାଇଁ ଭୁବନେଶ୍ୱରରେ ହୋଇଥିଲା ନିଷ୍ପତ୍ତି

0

ଭୁବନେଶ୍ୱର : ଭୁବନେଶ୍ୱରରେ ହୋଇଥିବା ବିଶ୍ୱ ହିନ୍ଦୁ ପରିଷଦର ଚାରି ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରବୀଣ ତୋଗାଡିଆ ଏବଂ ତାଙ୍କ ଟିମକୁ ହଟାଇବାର ନିଷ୍ପତ୍ତି ହୋଇଥିଲା। ଭୁବନେଶ୍ୱରରେ ୨୦୧୭ ଡିସେମ୍ବର ୨୪ରୁ ୨୭ ତାରିଖ ପର୍ଯନ୍ତ ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ ଏହା ଉପରେ ନିଷ୍ପତ୍ତି ନେଇ ସାରିଥିଲେ।
ଏହି ବୈଠକରୁ ହିଁ ମତଭେଦ ଆରମ୍ଭ ହୋଇଯାଇଥିଲା। ଭୁବନେଶ୍ୱରରେ ନିର୍ବାଚନ କରିବାର ଯୋଜନା ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ତାହା ହୋଇପାରିଲା ନାହିଁ । କିନ୍ତୁ ଏଠାରେ ରଣନୀତି ସ୍ଥିର କରାଯାଇଥିଲା କି ଏଥର ବିଶ୍ୱ ହିନ୍ଦୁ ପରିଷଦର ସମ୍ବିଧାନ ଅନୁସାରେ ନିର୍ବାଚନ ମାଧ୍ୟମରେ ପଦାଧିକାରୀ ସ୍ଥିର କରାଯିବେ। ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ଯେ ଆରଏସଏସର ନେତୃବୃନ୍ଦ ବିଶ୍ୱ ହିନ୍ଦୁ ପରିଷଦକୁ ନିର୍ଦେଶ ଦେଇଥିଲେ କି ଆବଶ୍ୟକ ପଡିଲେ ସମ୍ବିଧାନ ଅନୁସାରେ ନିର୍ବାଚନ କରାଇବେ। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ବୋର୍ଡ ବୈଠକରେ ସଂଘର ବଡ଼ ବଡ଼ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ।
ବାସ୍ତବରେ ସଂଘ ଚାହୁଁ ନ ଥିଲା କି ପ୍ରବୀଣ ତୋଗାଡିଆ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଏବଂ ରାଘବ ରେଡ୍ଡୀ ବିଶ୍ୱ ହିନ୍ଦୁ ପରିଷଦର ଅଧ୍ୟକ୍ଷ ହୁଅନ୍ତୁ। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରବୀଣ ତୋଗାଡିଆ ଏବଂ ଅଧ୍ୟକ୍ଷ ରାଘବ ରେଡ୍ଡୀଙ୍କ କାର୍ଯ୍ୟକାଳ ଗତ ବର୍ଷ ଡିସେମ୍ବରରେ ଶେଷ ହୋଇଯାଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ନୂତନ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୁବନେଶ୍ୱରରେ ୨୯ ଡିସେମ୍ବରରେ ସଂଗଠନର କାର୍ଯ୍ୟକାରୀ ବୋର୍ଡ ବୈଠକ ହୋଇଥିଲା। ତେବେ ଆରଏସଏସ, ରାଘବ ରେଡ୍ଡୀଙ୍କ ସ୍ଥାନରେ କୋକଜେଙ୍କୁ ଅଧ୍ୟକ୍ଷ କରିବାକୁ ଚାହୁଁଥିଲା। କିନ୍ତୁ ତୋଗାଡିଆ ଓ ତାଙ୍କ ସମର୍ଥକମାନେ ପାଟିତୁଣ୍ଡ କରି ନିର୍ବାଚନ କରାଇ ଦେଇ ନ ଥିଲେ। ଏଥିପାଇଁ ନୂତନ ଅଧ୍ୟକ୍ଷ ନିର୍ବାଚନ ହୋଇପାରି ନ ଥିଲା। ଅନ୍ୟପକ୍ଷରେ ଗତ ମାସରେ ନାଗପୁରରେ ସଂଘର ପ୍ରତିନିଧି ସଭାର ବୈଠକରେ ପ୍ରବୀଣ ତୋଗାଡିଆ ଏବଂ ରାଘବ ରେଡ୍ଡୀଙ୍କୁ ପଦ ଛାଡିବା ପାଇଁ ସଂଘ ନେତୃତ୍ୱ ସ୍ପଷ୍ଟ କହି ଦେଇଥିଲା।

Leave A Reply