ଜଳ ନିଷ୍କାସନ ପାଇଁ କଟାଗଲା ଜାତୀୟ ରାଜପଥ
ପୁରୀ: ଜଳ ନିଷ୍କାସନ ପାଇଁ କଟାଯାଇଛି ଜାତୀୟ ରାଜପଥ । ମଙ୍ଗଳାଘାଟରୁ ବାଟଗାଁ ସଂଯୋଗ କରିଥିବା ପୁରୀ ବାଇପାସ ମଝିରେ ୧୨ଫୁଟ ଚଉଡା ଏବଂ ପ୍ରାୟ ୮୦ଫୁଟ ଲମ୍ବ ରାସ୍ତା ଖୋଳାଯାଇଛି । ଏଥିଯୋଗୁଁ ପୁରୀ ବାଇପାସ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁରୀ ପୌରାଞ୍ଚଳ ଅନ୍ତର୍ଗତ ୧ନଂ ୱାର୍ଡର ମାଟିତୋଟା ୫ମ ଲେନ, ସୁଜାତା ନଗର ସମେତ ଖଣ୍ଡିଆବନ୍ଧ, ଗୋପୀନାଥପୁର, ନୂଆସାହି, ମଲିକସାହି, ମୁକୁନ୍ଦମିଶ୍ର ନଗର, ପତିତପାବନ ନଗର, ଚାରିନଳା ଏବଂ ବାଟଗାଁର ବିଭିନ୍ନ ସ୍ଥାନରେ ପ୍ରାୟ ଦେଢମାସ ଧରି ଦୁଇ ତିନିଫୁଟ ଉଚ୍ଚର ବର୍ଷାଜଳ ଜମାହୋଇ ରହିଛି । ପ୍ରାୟ ୨ଶହ ପରିବାର ନାହିଁନଥିବା ଦୁର୍ଦଶା ଭୋଗୁଛନ୍ତି । ଜଳନିଷ୍କାସନ ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲାପାଳ ଜ୍ୟୋତି ପ୍ରକାଶ ଦାସଙ୍କ ସମେତ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ସଂପୃକ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ପୁରୀ ବାଇପାସ ରାସ୍ତା ନିର୍ମାଣ ଯୋଗୁଁ ତିନୋଟି ଗ୍ରାମ ପଞ୍ଚାୟତର ୧୫ଟି ଗ୍ରାମରୁ ବର୍ଷାଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଥିବା ତଦନ୍ତକାରୀ କମିଟି ରିପୋର୍ଟ ଦେଇଥିଲା । ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଥିବା ସେଥିରେ କୁହାଯାଇଥିଲା । ତେଣୁ ଯଥାଶୀଘ୍ର ଜାତୀୟ ରାଜପଥ କାଟିବାକୁ ଜିଲାପାଳ ଶ୍ରୀ ଦାସ ନିର୍ଦେଶ ଦେଇଥିଲେ । ତାହାକୁ ଭିତ୍ତିକରି ଗୁରୁବାର ବିଳମ୍ବିତ ରାତିରେ ୪ଗୋଟି ଜେସିବି ଲଗାଇ ରାସ୍ତା କଟାଯାଇଛି । ଏଥିଯୋଗୁଁ ଆଖପାଖ ଅଞ୍ଚଳରେ ଜଳସ୍ତର ହ୍ରାସ ପାଇଛି । ସ୍ଥିତିରେ ସୁଧାର ଆସିବା ପରେ ସେଠାରେ ସେତୁ ନିର୍ମାଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।