ଚିଲିକାର ଅପୂରଣୀୟ କ୍ଷତି ଘଟିବ:ସିଡ଼ିଏ
ଭୁବନେଶ୍ୱର: ଶୂନ୍ୟକାଳରେ ଚିଲିକାରେ ସି-ପ୍ଲେନ ଉଡିବା ପ୍ରସଙ୍ଗକୁ ନେଇ ଶାସକଦଳ ସଭ୍ୟ କେନ୍ଦ୍ର ସରକାର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଚିଲିକା କେବଳ ଓଡ଼ିଶା ନୁହେଁ ବିଶ୍ୱର ଏକ ବୈଚିତ୍ର୍ୟମୟ ସ୍ଥଳୀ। ଏହାର ଜୈବବିବିଧତା କ’ଣ ଏବଂ ଏଠାକୁ କାହିଁକି ସାଇବେରିଆ ପ୍ରଭୃତି ଅଞ୍ଚଳରୁ ବିଦେଶାଗତ ପକ୍ଷୀ ଶୀତକାଳରେ ଆସନ୍ତି ତାହାର ବାସ୍ତବ ଦିଗ ପ୍ରତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଜ୍ଞତା ନାହିଁ। ଯଦି ଚିଲିକାର ଇତିହାସ ଓ ପରିବେଶ କ’ଣ ସେନେଇ ଟିକିଏ ବି ଜ୍ଞାନ ଥାନ୍ତା ତେବେ ଚିଲିକାରେ ‘ସି-ପ୍ଲେନ୍’ଯୋଜନା ଭଳି ଉଦ୍ଭଟ ଚିନ୍ତା କରି ନଥାନ୍ତେ ବୋଲି ଶାସକ ଦଳ ସଭ୍ୟ ସଞ୍ଜୟ ଦାସବର୍ମା ଓ ରାଜେନ୍ଦ୍ର ସାହୁ ଶୂନ୍ୟକାଳରେ କହିଛନ୍ତି। ଶ୍ରୀ ଦାସବର୍ମା କହିଥିଲେ ଯେ କୌଣସି ବୁଝି ବିଚାର ନକରି ଶ୍ରୀ ପ୍ରଧାନ ଯେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ତାହାଦ୍ୱାରା ଚିଲିକାର ପ୍ରଭୂତ କ୍ଷତି ଘଟିବ। ଟାଙ୍ଗୀ, ଚିଲିକା, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଭଳି ୫ଟି ବ୍ଲକର ଲୋକେ କ୍ଷତିଗ୍ରସ୍ତ ହେବେ। ଶ୍ରୀ ସାହୁ କହିଥିଲେ ଯେ ମଙ୍ଗଳାନଈଠାରେ ପ୍ରତ୍ୟେକ ବର୍ଷ ୨୫୦ ପ୍ରକାର ପକ୍ଷୀ ଏଠାକୁ ପରିଭ୍ରମଣରେ ଆସିଥାନ୍ତି। ଯଦି ଚିଲିକାରେ ସି-ପ୍ଲେନ୍ ଯୋଜନା ବାସ୍ତବରେ କାର୍ଯ୍ୟକାରୀ ହୁଏ ତେବେ ଚିଲିକାର ଜୈବବିବିଧତା ପ୍ରତି ବିରାଟ ଆହ୍ୱାନ ସୃଷ୍ଟି ହେବ। ଏହି ପ୍ରସଙ୍ଗରେ ଶାସକ ଦଳ ସଭ୍ୟ ମହେଶ ସାହୁ ସାମିଲ ଥିଲେ।
ଚିଲିକାରେ ଯଦି ‘ସି-ପ୍ଲେନ୍’ଯୋଜନା କାର୍ଯ୍ୟକାରୀ ହୁଏ ତେବେ କେବଳ ଯେ ଚିଲିକାର ଜୈବବିବିଧତା ନଷ୍ଟ ହେବ ତାହା ନୁହେଁ ଓଡ଼ିଶା ତଥା ସାରା ବିଶ୍ୱରେ ଏକ ଅପୂରଣୀୟ କ୍ଷତି ଘଟିବ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ ନିର୍ବାହୀ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି। ଏନେଇ ମୁଖ୍ୟ ନିର୍ବାହୀ ସରକାରଙ୍କୁ ଚଳିତମାସ ୪ତାରିଖରେ ଦେଇଥିବା ବିସ୍ତୃତ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଚିଲିକା ହେଉଛି ବିଶ୍ୱର ଦ୍ୱିତୀୟ କ୍ଷାରୀୟ ଜଳର ହ୍ରଦ। ଜୈବବିବିଧତା କ୍ଷେତ୍ରରେ ଏହାର ଅନନ୍ୟତା ବିଶ୍ୱବିଦିତ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଠାରେ ସି-ପ୍ଲେନ ପାଇଁ ପ୍ରସ୍ତାବ ରହିଛି। ମାତ୍ର୍ର ଚିଲିକାର ଯେକୌଣସି ସ୍ଥାନରେ ସି-ପ୍ଲେନ ବ୍ୟବସ୍ଥା କରାଗଲେ ମଧ୍ୟ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ପଡିବ। ଏହାର ପ୍ରଭାବ ସିଧାସଳଖ ୧୫୧ଟି ଗ୍ରାମର ଲୋକ ଓ ମତ୍ସ୍ୟଜୀବୀଙ୍କ ଉପରେ ପଡିବ। ଶୀତଋତୁରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଆଉ ହେବ ନାହିଁ। ଇରୱାଡି ଡଲଫିନ୍ ବିଚରଣ ଆଉ ଦୃଶ୍ୟମାନ ହେବନାହିଁ। ସାତପଡ଼ା ପ୍ରଭୃତି ସ୍ଥାନରେ ଦେଖାଯାଉଥିବା ୧୫୭ଟି ଡଲଫିନ୍ଙ୍କ ବଂଶବିସ୍ତାରରେ ପ୍ରଭାବ ପଡ଼ିବ। ପ୍ରତିବର୍ଷ ପ୍ରାୟ ୨ଲକ୍ଷ ମତ୍ସ୍ୟଜୀବୀ ଚିଲିକାରୁ ୧୪ହଜାର ମେଟ୍ରିକ ଟନ୍ ମାଛ ଧରି ଜୀବନଜୀବିକା ଚଳାଉଥିବାବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଚିଲିକାର ନୀଳ ଜଳରାଶି ତଥା ଏହାର ଆର୍ଦ୍ରତା ଉପରେ କୁପ୍ରଭାବ ପଡିବ। ଆର୍ଦ୍ରଭୂମି ସଂରକ୍ଷଣ ନିୟମ ୨୦୧୭ର ଖୋଲା ଉଲ୍ଲଘଂନ ହେବ। ତେଣୁ ଏହି ସି-ପ୍ଲେନ ପ୍ରସ୍ତାବକୁ କାର୍ଯ୍ୟକାରୀ ନକରିବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି।