ଗାଁରୁ ସ୍କୁଲ ଉଠିବା ଘଟଣାରେ ଡିଇଓଙ୍କ କାର୍ଯ୍ୟାଳୟ ଘେରିଲେ କୁହିମୁଣ୍ଡା ଗ୍ରାମବାସୀ
ବଲାଙ୍ଗୀର : ବଲାଙ୍ଗୀର ଜିଲାର ୨୮ଟି ସ୍କୁଲରେ ୧୦ ଜଣ ଛାତ୍ରଛାତ୍ରୀରୁ କମସଂଖ୍ୟା ଥିବା ଦର୍ଶାଇ ସେହି ସ୍କୁଲକୁ ପ୍ରଶାସନ ବନ୍ଦ କରିଦେଇଛି। ସେଥି ମଧ୍ୟରେ ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର କୁହିମୁଣ୍ଡା ଅନ୍ୟତମ। ଏହି ସ୍କୁଲରେ ୬ଜଣ ଛାତ୍ରଛାତ୍ରୀ ଥିବା ଦର୍ଶାଇ ଜିଲା ପ୍ରଶାସନ ବନ୍ଦ କରିଦେଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ଆଉ ୪ଜଣ ଛାତ୍ର ନାମ ଲେଖାଇବାର ଥିଲେ ହେଁ ପ୍ରଶାସନ ତାହାକୁ ଅଣଦେଖା କରି ସ୍କୁଲକୁ ବନ୍ଦ କରିଦେଇଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ କୁହିମୁଣ୍ଡା ଗାଁ ଲୋକେ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ସ୍କୁଲ ଖୋଲିବାକୁ ଦାବି କରିଛନ୍ତି।
ଏ ସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଯୁକ୍ତି ହେଲା, ଗୋଟିଏ ୱାର୍ଡ ବିଶିଷ୍ଟ କୁହିମୁଣ୍ଡା ରାଜସ୍ୱ ଗାଁରେ ୨୦୧୦ ମସିହାରେ ଏକ ସ୍କୁଲ ଖୋଲାଯାଇଥିଲା। ତତ୍କାଳୀନ ବିରୋଧିଦଳର ନେତା ଭୂପିନ୍ଦର ସିଂ ଏହାକୁ ଉଦଘାଟନ କରିଥିଲେ। ସେହି ଦିନରୁ ଗାଁର ପିଲାମାନେ ଏହି ସ୍କୁଲରେ ପାଠପଢି ଆସୁଥିଲେ। ସେତେବେଳେ ଗାଁରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସି କହିଲେ ନସରେ। କିନ୍ତୁ ଚଳିତ ବର୍ଷ ଠାରୁ ବନ୍ଦ ହୋଇଯାଇଥିବା ରୁ ପିଲାମାନେ ବେଶ ଦୁଃଖ ପ୍ରକାଶ କରୁଥିବା ଅଭିଭାବକ ମାନଙ୍କ ଠାରୁ ଜାଣିବାକୁ ମିଲିଛି। ଏଇ ଗଲା ଜୁନ୨୩ ତାରିଖରେ ହଠାତ ସିଆରସିସି ଆସି ସ୍କୁଲକୁ ବନ୍ଦ କରିଦେଇଥିଲେ। ସ୍କୁଲରେ ନୂତନ ଛାତ୍ରଙ୍କ ଆଡମିସନ ଆଉ ହେବନି ବୋଲି କହି ସ୍କୁଲରେ ତାଲା ପକାଇ ଦେଇଥିଲେ। କେବଳ ସେତିକି ନୁହେଁ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିବା ଡ୍ରେସ ନେଇ ଯାଇଥିବା ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି। ଏପରିକି ସେହି ଦିନ ସ୍କୁଲରେ ରନ୍ଧାଯାଇଥିବା ମଧ୍ୟାହ୍ନ ଭୋଜନକୁ ନିଜେ ସ୍କୁଲର ଶିକ୍ଷକ,ସିଆରସିସି ଓ ବିଆରସିସି ମିଶି ଖାଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ତଡିଦେଇଥିଲେ ବୋଲି ଡିଇଓଙ୍କ କାର୍ଯ୍ୟାଳୟରେ ଗୁରୁତର ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସ୍କୁଲ ବନ୍ଦ ପ୍ରସଙ୍ଗକୁ ସ୍କୁଲ ପରିଚାଳନା କମିଟିକୁ ମଧ୍ୟ ଅନ୍ଧାରରେ ରଖାଯାଇଥିଲା। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ପ୍ରତିକ୍ରିୟା ପ୍ରକାଶ ପାଇଛି। କୁହିମୁଣ୍ଡାରୁ ଉପରଝରକୁ ୪କିମି ରାସ୍ତା ପଡୁଥିବା ବେଳେ ତାହା ଜଙ୍ଗଲ ରାସ୍ତା। ଏହି ଗାଁ ଲୋକଙ୍କ ପାଇଁ ଆଜି ଯାଏଁ ସରକାର ରାସ୍ତାଟିଏ ନିର୍ମାଣ କରିନଥିବା ଗ୍ରାମବାସୀ ହିଡରେ ଯାଆସ କରୁଛନ୍ତି। ଏଠି ସୂଚନା ଥାଉକି ସେହି ଜଙ୍ଗଲ ରାସ୍ତାରେ ଗତ କିଛିମାସ ତଳେ ଏକ ହାତୀର ମୃତ୍ୟୁ ହୋଇଥିଲା। ଜଙ୍ଗଲରେ ଅନେକ ଜୀବଜନ୍ତୁ ରହିଥିବାରୁ ଛୋଟଛୋଟ ଛୁଆମାନେ କିଭଳି ସେହି ରାସ୍ତା ଦେଇ ଯାଆସ କରି ପଢିଯିବେ ବୋଲି ଗାଁ ଲୋକେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କୁ ମଧ୍ୟ ଗାଁ ଲୋକେ ଅବଗତ କରିଥିବା କହିଛନ୍ତି। ପ୍ରଶାସନ ଏହାକୁ ନେଇ ଉଚିତ ପଦକ୍ଷେପ ଗ୍ରହଣ କରୁ ବୋଲି ଗାଁର ଶମ୍ଭୁଭୂଷଣ ସାହୁ, ଠାକୁର ପଧାନ ପ୍ରମୁଖ ଦାବି କରିଛନ୍ତି।
Comments are closed.