BJD Bijuli 480×75 Mob

ଗଡୁଛି ଦିନ, ବଢ଼ୁଛି ପ୍ରକଳ୍ପ ମୂଲ୍ୟ

BJD Bijuli 480×75 Mob
0

ପୁରୀ : ପଛରେ ପଡ଼ିଛି ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏବଂ ହାସ୍‍ପାତାଳ ନିର୍ମାଣକାର୍ୟ୍ୟ। ଦିନ ପରେ ଦିନ ଗଡୁଛି କିନ୍ତୁ କାମ ସରୁନାହିଁ। ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀ ନାମ ଲେଖାରୁ ବଞ୍ଚିତ ହୋଇଛନ୍ତି। ଠିକାଦାର ସଂସ୍ଥାର ଅବହେଳା ଯୋଗୁଁ ପ୍ରକଳ୍ପ ମୂଲ୍ୟ ବଢ଼ି ବଢ଼ି ଚାଲିଛି। ପୁରୀ-କୋଣାର୍କ ବେଳାଭୂମି ମାର୍ଗ ନିକଟସ୍ଥ ସମଗରା ରାଜସ୍ୱ ମୌଜାରେ ସରକାରୀ ମେଡିକାଲ କଲେଜ ନିର୍ମାଣ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ୨୫ଏକର ଜମି ଯୋଗାଇ ଦେଇଥିବାରୁ ଶ୍ରୀଜଗନ୍ନାଥଙ୍କ ନାମରେ ମେଡିକାଲ କଲେଜ ନାମକରଣ କରାଯାଇଛି।
୪ଜୁଲାଇ ୨୦୧୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ଶିଳାନ୍ୟାସ କରିଥିଲେ। ୨ବର୍ଷ ଭିତରେ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ହେବାର ପ୍ରସ୍ତାବ ରହିଥିଲା। ୨୦୧୭-୧୮ ଶିକ୍ଷାବର୍ଷରୁ ୧୦୦ଟି ଏମବିବିଏସ୍‍ ସିଟ୍‍ରେ ନାମଲେଖା ପାଇଁ ସରକାର ସ୍ଥିର କରିଥିଲେ। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ପୁରୀ ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୧୮୯କୋଟି ଟଙ୍କା ମଞ୍ଜୁର କରିଛନ୍ତି। ପ୍ରକଳ୍ପର ୨୫% ଅର୍ଥ ସମେତ ଆବଶ୍ୟକ ଜମି ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି। ୫ତାଲା ବିଶିଷ୍ଟ ମେଡିକାଲ କଲେଜ କୋଠା ସମେତ ୬୫୦ ଲୋକଙ୍କ ପାଇଁ ଅଡ଼ିଟୋରିୟମ୍‍ ଏବଂ ୨ଟି ଛାତ୍ରାବାସ ନିର୍ମାଣ କରାଯାଉଛି। ରାଜ୍ୟ ପୂର୍ତ୍ତ ବିଭାଗ ବାରମ୍ବାର କାର୍ୟ୍ୟର ସମୀକ୍ଷା କରୁଥିଲେ ମଧ୍ୟ
ପର୍ୟ୍ୟନ୍ତ ଅଗ୍ରଗତି ସନ୍ତୋଷଜନକ ହୋଇପାରି ନାହିଁ। ଚଳିତବର୍ଷ ଅଗଷ୍ଟ ୩୦ତାରିଖ ସୁଦ୍ଧା ନିର୍ମାଣ ଶେଷ ପାଇଁ ଠିକାଦାର ସଂସ୍ଥା ନିର୍ଭର ପ୍ରତିଶ୍ରୁତି ଦେଇଥିଲା। ନୂଆ ଆଳ ଦେଖାଇ ତାହାକୁ ପୁଣିଥରେ ଗଡ଼ାଇ ଦିଆଯାଇଛି। ନିର୍ମାଣ ଅବଧି ବୃଦ୍ଧି ପାଇଁ ସମ୍ପୃକ୍ତ ସଂସ୍ଥା ଅନୁରୋଧ କରିଛି। ପୁରୀ ସମେତ ବାଲେଶ୍ୱର, ବଲାଙ୍ଗୀର, କୋରାପୁଟ ଏବଂ ବାରିପଦାରେ ନୂଆ ମେଡିକାଲ କଲେଜ ନିର୍ମାଣ କରିବାକୁ ୪ବର୍ଷ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ। ନିର୍ମାଣ କାର୍ୟ୍ୟ ପାଇଁ ଏକସମୟରେ ଟେଣ୍ଡର କରାଯିବା ସହ କାର୍ୟ୍ୟାଦେଶ ଦିଆଯାଇଥିଲା। ଅନ୍ୟ ଚାରୋଟି ମେଡିକାଲ କଲେଜ କାର୍ୟ୍ୟକ୍ଷମ ହୋଇଥିଲେ ମଧ୍ୟ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ନିର୍ମାଣ କେବେ ସରିବ ସେଥିନେଇ ଅନିଶ୍ଚିତତା ଦେଖାଦେଇଛି। ଏଥିଯୋଗୁଁ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ୧୪ଟି କ୍ୟାମ୍ପସ୍‍ ମଧ୍ୟରୁ ୧୨ଟିର ନିର୍ମାଣ ସରିଥିବା ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରା ସୂଚନା ଦେଇଛନ୍ତି।
ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ମାଳତୀପାଟପୁର ନିକଟରେ ଏହି ମେଡିକାଲ କଲେଜ ନିର୍ମାଣ ପାଇଁ ପ୍ରଥମେ ଜମି ଚିହ୍ନଟ କରାଯାଇଥିଲା। ଏହାପରେ ପୁରୀ-ସାତପଡ଼ା ରାସ୍ତାର ମାଟିତୋଟାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମି ଉପଯୋଗୀ ହୋଇଥିବା ଦର୍ଶାଇ ମାପଚୁପ କରାଯାଇଥିଲା। ଶେଷରେ ତାହାକୁ ସମଗରା ସ୍ଥାନାନ୍ତର କରାଯାଇଛି। ନିର୍ମାଣ କାର୍ୟ୍ୟ ପାଇଁ ବାଲି ଓ ଗୋଡ଼ି ଯୋଗାଇବାକୁ କେନ୍ଦ୍ରକରି ବିଭିନ୍ନ ସମୟରେ ବିବାଦ, ଗ୍ରାମବାସୀଙ୍କ ପାଇଁ ଶ୍ମଶାନ ଓ ଜଳାଶୟ ଦାବିରେ ଆନ୍ଦୋଳନ ଯୋଗୁଁ କାର୍ୟ୍ୟ ବିଳମ୍ବ ହୋଇଥିବା ଠିକାଦାର ସଂସ୍ଥାର ଜଣେ ଅଧିକାରୀ କହିଛନ୍ତି। ସମ୍ପୃକ୍ତ ସ୍ଥାନକୁ ଏପର୍ୟ୍ୟନ୍ତ ଉନ୍ନତ ରାସ୍ତାଟିଏ ନିର୍ମାଣ କରାଯାଇ ପାରିନାହିଁ। ସ୍ଥାନୀୟ ରାଜନେତା ଏବଂ ପ୍ରଶାସନିକ ଅଧିକାରୀଙ୍କ ତତ୍ପରତା ଅଭାବରୁ ନିର୍ଦ୍ଧାରିତ ସମୟରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏବଂ ହାସ୍‍ପାତାଳ କାର୍ୟ୍ୟକ୍ଷମ ହୋଇପାରି ନାହିଁ। ଏ ସମ୍ପର୍କରେ ଜିଲାପାଳ ଜ୍ୟୋତିପ୍ରକାଶ ଦାସଙ୍କୁ ପଚାରିବାରୁ ଖୁବ୍‍ଶୀଘ୍ର କାର୍ୟ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି।

Leave A Reply