କ୍ଷେତରେ ଭାସୁଛି ସୁନାର ଫସଲ, ବତୁରା ଧାନକୁ ସାଉଁଟୁଛନ୍ତି ଚାଷୀ

ଆରଡି : ୨ ଦିନ ଧରି ଲଘୁଚାପ ଜନିତ ଅଦିନିଆ ବର୍ଷା ଲାଗି ରହିବା ପରେ ରବିବାର ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବାରୁ କ୍ଷେତ ଓ ଖଳାରେ ବର୍ଷାପାଣିରେ ଭିଜା(ବତୁରା) ଧାନକୁ ସାଉଁଟୁଛନ୍ତି ଚାଷୀ। ଲଘୁଚାପଜନିତ ଅଦିନିଆ ବର୍ଷା ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ଆଦି ଅଞ୍ଚଳର ଚାଷୀମାନଙ୍କର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଚାଷୀମାନଙ୍କର ଅମଳ ହୋଇଥିବା ପାଚିଲା ଧାନ କ୍ଷେତରେ ଓ ଖଳାରେ ପଡି ରହିଥିବାରୁ ଅଦିନିଆ ବର୍ଷା ସମ୍ପୁର୍ଣ୍ଣ ଭାବେ ଧୋଇ ଦେଇଛି। କ୍ଷେତରେ ଥିବା ଧାନ ପାଣିରେ ଭାସୁଥିବାବେଳେ ଖଳାରେ ଧାନ ସାଇତିବା ପାଇଁ ଆବଶ୍ୟ ଜରିପାଲ ନଥିବାରୁ ଧାନ ଓଦା ହୋଇ ଯାଇଥିବାରୁ ଗଜା ହେବାକୁ ବସିଲାଣି ବୋଲି ଚାଷୀମାନେ କହିଛନ୍ତି। ଚାଷୀମାନେ ଅମଳଧାନ ଘରକୁ ଆଣିବା ପରେ ଧାର କରଜ ଟଙ୍କା ପରିଶୋଧ କରିବା ସହିତ ବର୍ଷକର ଗୁଜୁରାଣ ମେଣ୍ଟାଇଥାନ୍ତେ । ହେଲେ ସବୁ ଆଶା ଆଶଙ୍କା ବର୍ଷା ଧୋଇ ଦେଇଥିବା କହିଛନ୍ତି ଚାଷୀମାନେ। ତୁରନ୍ତ କୃଷି ବିଭାଗ ପକ୍ଷରୁ ଅନୁଧ୍ୟାନ କରି ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି ।

Comments are closed.