କୋର୍ଟ ଭିତରକୁ ଜିଲା ଜଜଙ୍କୁ ଛାଡିଲେନି ଆଇନଜୀବୀ

0

କଟକ: କଟକ ଜିଲା ଦୌରାଜଜ କୋର୍ଟ ସମ୍ମୁଖରେ ଶୁକ୍ରବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଥିଲା। କେତେକ ଆଇନଜୀବୀ କୋର୍ଟ ଫାଟକ ସମ୍ମୁଖରେ ଧାରଣା ଦେବା ସହିତ କାହାରିକୁ କୋର୍ଟ ଭିତରକୁ ଛାଡିନଥିଲେ। ଏପରିକି ଜିଲା ଓ ଦୌରାଜଜଙ୍କ ସମେତ ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ କୋର୍ଟ ଭିତରକୁ ପ୍ରବେଶ କରିନପାରି ଦୀର୍ଘ ସମୟ ବାହାରେ ଠିଆ ହୋଇରହିଥିଲେ। କୌଣସି ଆଇନଜୀବୀ କିମ୍ବା ବାର ଆସୋସିଏସନ ପକ୍ଷରୁ ପ୍ରାକ ସୂଚନା ଦିଆନଯାଇ ହଠାତ ଏପରି କରାଯିବା ଫଳରେ ଜିଲା ଜଜ ଓ ଅନ୍ୟାନ୍ୟ ଜଜମାନେ ଫେରିନଯାଇ ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ସେଠାରେ ଠିଆ ହୋଇଥିଲେ। ଖବର ପାଇ ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତକୁମାର ନାୟକ, ସମ୍ପାଦକ ସତ୍ୟବ୍ରତ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜଜମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ବୁଝାସୁଝା କରିଥିଲେ। ଏହାପରେ ଏହି ଆଇନଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ରାସ୍ତାରୋକ କରିଥିଲେ। ଅନ୍ୟପକ୍ଷରେ ହାଇକୋର୍ଟ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସର ମାଡ଼ ଘଟଣାରେ ଆସନ୍ତାକାଲି ହାଇକୋର୍ଟ ବାର ଆସୋସିଏସନରେ ରାଜ୍ୟର ସମସ୍ତ ବାର ଆସୋସିଏସନର ପ୍ରତିନିଧିମାନେ ଏକତ୍ର ହେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସମ୍ପାଦକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Leave A Reply