BJD Bijuli 480×75 Mob

କେନ୍ଦ୍ରକୁ ପୁଣି ଚିଠି ଲେଖିଲେ ନବୀନ

BJD Bijuli 480×75 Mob
0

ଭୁବନେଶ୍ୱର: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଭାରତ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଶ୍ରୀ ପଟ୍ଟନାୟକ ବୁଧବାର କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ନିକଟକୁ ଚିଠି ଲେଖିଛନ୍ତି।
ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ଯେ ନ୍ୟାୟ ପାଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଏସବୁ ଅଞ୍ଚଳର ଜନସାଧାରଣ ଦୀର୍ଘ ଦିନ ଧରି ସ୍ଥାୟୀ ବେଞ୍ଚ ପାଇଁ ଦାବି କରିଆସୁଛନ୍ତି। ୨୦୧୩ ସେପ୍‍ଟେମ୍ବର ୨୮ ଓ ୨୦୧୪ ଫେବୃଆରୀ ୧୩ରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଲେଖିଥିବା ଚିଠି ବିଷୟରେ ସେ ସ୍ମରଣ କରାଇଦେଇଛନ୍ତି। ଏସବୁ ଅଞ୍ଚଳରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ସବୁ ପ୍ରକାର ସମ୍ବଳ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଥିବା ବିଷୟ ଜଣାଇ ଦିଆଯାଇଛି।
ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଆମର ସୁପାରିସ ଉପରେ ଓଡ଼ିଶା ହାଇକୋର୍ଟଙ୍କ ମତାମତ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ୨୦୧୫ ଅକ୍ଟୋବର ୭ରେ ଭାରତ ସରକାରଙ୍କ ଆଇନ ମନ୍ତ୍ରୀଙ୍କଠାରୁ ମିଳିଥିବା ଉତ୍ତରରୁ ଏହା ଜଣାପଡ଼ିଛି ଯେ ବିଭିନ୍ନ ଅଞ୍ଚଳରୁ କେତେ ସଂଖ୍ୟକ ମାମଲା ରୁଜୁ ହେଉଛି ତାହାର ପରିସଂଖ୍ୟାନ ନେଇ ଓଡ଼ିଶା ସରକାର ଅନୁଧ୍ୟାନ କରୁଛନ୍ତି।
କର୍ଣ୍ଣାଟକ ଓକିଲ ମହାସଂଘ ବନାମ ଭାରତ ସରକାର ମଧ୍ୟରେ ହୋଇଥିବା ମାମଲା ସମେତ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଜଷ୍ଟିସ ଯଶୱନ୍ତ ସିଂହଙ୍କ ନେତୃତ୍ୱରେ ଗଠିତ କମିଶନର ସୁପାରିସ ତଥା ସୁପ୍ରିମକୋର୍ଟଙ୍କ ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି। ଆମ ମତରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ରହିଛି। ଏଥିନିମନ୍ତେ ଜଷ୍ଟିସ ଯଶୋବନ୍ତ ସିଂହ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ସର୍ତ୍ତାବଳିକୁ ମଧ୍ୟ ଓଡ଼ିଶା ପୂରଣ କରୁଛି। ୟୁନିଅନ ଲିଷ୍ଟ(କେନ୍ଦ୍ର ତାଲିକା)ର ଏଣ୍ଟ୍ରି-୭୮ରେ ଧାର୍ଯ୍ୟ କ୍ଷମତା ପ୍ରୟୋଗ ବଳରେ ଏଭଳି ବେଞ୍ଚ ପ୍ରତିଷ୍ଠା ପାଇଁ ପାର୍ଲାମେଣ୍ଟର ସ୍ୱତନ୍ତ୍ର କ୍ଷମତା ରହିଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସେ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Leave A Reply