ଏସପିଭିର କାର୍ଯ୍ୟ, ପରିଚାଳନା ତଦାରଖ କମିଟି ଗଠନ ପ୍ରସ୍ତାବ

0

ନୂଆଦିଲ୍ଲୀ: କାମ୍ପା ପାଣ୍ଠି ଓ ବେଆଇନ ଖଣି ଖନନ ଜୋରିମନା ବାବଦକୁ ମିଳିଥିବା ରାଶି ଖର୍ଚ୍ଚ ପାଇଁ ଗଠିତ ଏସପିଭି (ଓମ୍‌ବାଡ୍‌କ)ର କାର୍ୟ୍ୟ ଏବଂ ପରିଚାଳନା ବୋର୍ଡକୁ ତଦାରଖ କରିବା ନିମନ୍ତେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ଖଣି ଲିଜଧାରୀ ଓ ମାଲିକ ସମୂହ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ପ୍ରସ୍ତାବ ଦିଆଯାଇଛି।
ରାଜ୍ୟର ଭୌଗୋଳିକ ସ୍ଥିତି ଏବଂ ସ୍ଥାନୀୟ ସମସ୍ୟା ବିଷୟରେ ଭଲଭାବେ ଜାଣିଥିବା ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଏ କେ ପରିଚ୍ଛା ଏବଂ ଅବସରପ୍ରାପ୍ତ ବିଚାରପତି ବି ଏନ ମହାପାତ୍ରଙ୍କ ମଧ୍ୟରୁ ଜଣଙ୍କ ନାମକୁ ଗ୍ରହଣ କରିବା ପାଇଁ ମାମଲାର ଶୁଣାଣି ବେଳେ ଖଣି ଲିଜଧାରୀ ଓ ମାଲିକ ସମୂହ ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଗଲେ ଆଦିବାସୀ ଜିଲାଗୁଡ଼ିକରେ ଏସପିଭି ମାଧ୍ୟମରେ ସଠିକ ଭାବେ ଖର୍ଚ୍ଚ କରାଯାଇପାରିବ ବୋଲି ଆଡଭୋକେଟ ସୁବ୍ରମଣ୍ୟମ ଦର୍ଶାଇଛନ୍ତି। ମାମଲାର ଶୁଣାଣି ବେଳେ ଖଣି ଲିଜଧାରୀ ଓ ମାଲିକ ସମୂହଙ୍କ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆପତ୍ତି ଦର୍ଶାଯାଇଥିଲା।
ରାଜ୍ୟ ସରକାର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହେବ କି ନାହିଁ ଏବଂ ଯଦି କମିଟି ଗଠନ କରାଯାଏ; କିଏ ଏହାର ଅଧ୍ୟକ୍ଷ ହେବ ସେନେଇ ଦୁଇ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯିବ। ଗତ ଜୁଲାଇ ୧୯ ସୁଦ୍ଧା ଏସପିଭି ମାଧ୍ୟମରେ
୪୮୭.୯୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ସବିଶେଷ ତଥ୍ୟ ଗତ ଜୁଲାଇ ୧୯ରେ ସତ୍ୟପାଠ ମାଧ୍ୟମରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଅବଗତ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ଓକିଲ କୀର୍ତ୍ତିରେଣୁ ମିଶ୍ର ଦର୍ଶାଇଥିଲେ। ତେବେ କେଉଁ ଜିଲାରେ କେତେ ଖର୍ଚ୍ଚ କରାଯାଇଛି ତାହା ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଜାଣିବାକୁ ଚାହିଁଥିଲେ। ଉତ୍ତରରେ ଜିଲାୱାରୀ ତଥ୍ୟ ସୁପ୍ରିମକୋର୍ଟରେ ଉପସ୍ଥାପନ କରାଯିବ ବୋଲି ଆଡଭୋକେଟ ଶ୍ରୀମତୀ ମିଶ୍ର ଜଣାଇଥିଲେ।
ମାମଲାର ଶୁଣାଣି ବେଳେ ଖଣି ଲିଜଧାରୀ ଓ ମାଲିକ ସମୂହଙ୍କ ତରଫରୁ ସୁପ୍ରିମକୋର୍ଟରେ ଦର୍ଶାଯାଇଥିଲା ଯେ କର୍ପସ ପାଣ୍ଠିରେ ଏବେ ସମୁଦାୟ ୧୩,୯୯୦.୫୬ ଟଙ୍କା ଉପଲବ୍‍ଧ ରହିଛି। ସେଥିମଧ୍ୟରୁ କାମ୍ପା ପାଣ୍ଠି ବାବଦକୁ ୮୬୯.୪୨ କୋଟି, ଖଣି ଜୋରିମାନା ବାବଦକୁ ୧୨,୮୮୪.୦୯ କୋଟି ଓ ଖିଲାପି ଖଣି ଲିଜଧାରୀ ଓ ମାଲିକ ସ୍ୱେଚ୍ଛାକୃତ ଭାବେ ୨୩୭.୦୫ କୋଟି ରାଶି ଜମା କରିଛନ୍ତି। ରାଜ୍ୟ ସରକାର ଏସପିଭି ମାଧ୍ୟମରେ ଅଦ୍ୟାବଧି କାମ୍ପା ପାଣ୍ଠିର ଅର୍ଦ୍ଧେକ ଅର୍ଥାତ୍‍ ମାତ୍ର ୪୮୭.୯୮ କୋଟି ଖର୍ଚ୍ଚ କରିବାରେ ସକ୍ଷମ ହୋଇଛନ୍ତି। ତେଣୁ ୩ହଜାର କୋଟି ଟଙ୍କା ବର୍ତ୍ତମାନ ଖର୍ଚ୍ଚ ପାଇଁ ରଖାଯାଇ ବକେୟା ରାଶିକୁ କୌଣସି ବ୍ୟାଙ୍କରେ ସ୍ଥାୟୀ ଜମା ଭାବେ ରଖିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟର ଆଦିବାସୀଙ୍କ
କଲ୍ୟାଣ ବିଷୟରେ ଅଭିଜ୍ଞତା ଥିବା ଜଣେ ଆଇଇଏସ ଅଧିକାରୀଙ୍କୁ ଏସପିଭିର ପ୍ରଶାସକ ଭାବେ ନିଯୁକ୍ତି ଦେବାକୁ ଆଡଭୋକେଟ ଗୋପାଳ ସୁବ୍ରମଣ୍ୟମ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏସପିଭିର କାର୍ୟ୍ୟକୁ ଆଦିବାସୀ ବହୁଳ କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲାରେ ସୀମିତ ରଖିବା ସହ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଏବଂ ମଧ୍ୟାନ୍ନ ଭୋଜନ କାଯ୍ୟକ୍ରମରେ ଅର୍ଥ ଖର୍ଚ୍ଚ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏସପିଭିର କାର୍ୟ୍ୟ ପ୍ରଗତି ଏବଂ ଖର୍ଚ୍ଚ ହିସାବ ରିପୋର୍ଟ ଦେବା ସହ ପ୍ରିନ୍ସିପାଲ ଆକାଉଣ୍ଟସ ଜେନେରାଲଙ୍କ ଦ୍ୱାରା ଏସପିଭିର ଅଡ଼ିଟ କରିବା ପାଇଁ କହିଥିଲେ। ଏସପିଭିର ପରଫରମାନସ ଅଡ଼ିଟ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ମାମଲାର ଶୁଣାଣି ବେଳେ ଖଣି ଲିଜଧାରୀ ଓ ମାଲିକଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଶୋକ ପରିଜା ଏବଂ ଆମିକସକ୍ୟୁରୀ ଏ ଡି ଏନ ରାଓ ଉପସ୍ଥିତ ଥିଲେ।

kalyan agarbati
Leave A Reply