‘ଏକଲା ଚଲୋ’ ନୀତି ଆପଣେଇବେ ନୀତୀଶ!

0

ପାଟନା: ଆସନ୍ତା ସାଧାରଣ ନିର୍ବାଚନରେ ବିନା ମେଣ୍ଟରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ଏକାକୀ ଲଢ଼ିପାରନ୍ତି। ଆସନ ଆବଣ୍ଟନ ନୀତିରେ ବିଜେପିର ବଡ଼ଭାଇ ପଣିଆକୁ ବରଦାସ୍ତ କରିବା ସ୍ଥିତିରେ ନଥିବାରୁ ନୀତୀଶ ଏକାକୀ ସବୁ ଆସନରେ ପ୍ରାର୍ଥୀ ଦେଇପାରନ୍ତି ବୋଲି ଆଲୋଚନା ହେଉଛି।
ସୂଚନାଯୋଗ୍ୟ, ମେଣ୍ଟ ଦଳ ସହ ଆସନ ବୁଝାମଣା ଆଲୋଚନା ବେଳେ ବିଜେପି ବିହାରରୁ ଅଧିକ ସିଟ୍‍ ଦାବି କରିଛି। ୪୦ଟି ଆସନ ବିଶିଷ୍ଟ ବିହାର ଲୋକସଭା ଆସନରୁ ବିଜେପି ୨୦ଟିରେ ଲଢ଼ିବ ବୋଲି କହିଛି। ଅନ୍ୟ ୨୦ଟି ଆସନରୁ ମେଣ୍ଟ ସହଯୋଗୀ ନୀତୀଶଙ୍କ ନେତୃତ୍ୱାଧୀନ ଜେଡିୟୁକୁ ୧୨ଟି, ରାମ ବିଳାଶ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ୬ଟି ଓ ଉପେନ୍ଦ୍ର ଖୁଶ୍‍ୱାଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିକୁ ୨ଟି ଆସନ ଛାଡ଼ିବ ବୋଲି ବିଜେପି କହିଛି।
କିନ୍ତୁ ଏହି ଗଣିତକୁ ମାନିବାକୁ ଜେଡିୟୁ ରାଜି ନୁହେଁ। ବିହାର ଓ ଉତ୍ତରପ୍ରଦେଶ ଉପନିର୍ବାଚନରେ ବିଜେପିର ପରାଜୟ, କର୍ଣ୍ଣାଟକରେ ଶତ ଚେଷ୍ଟା ସତ୍ତେ୍ୱ ବିିଜେପି ସରକାର ଗଠନ ନ କରିପାରିବା ଆଦିକୁ ଜେଡିୟୁ ଗୁରୁତ୍ୱର ସହ ନେଇଛି। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ ଏକାକୀ ଏତେ ଆସନ ଛାଡ଼ି ଦେବାକୁ ଜେଡିୟୁ ପ୍ରସ୍ତୁତ ନୁହେଁ। ଯଦି ବିଜେପି ତାର ଜିଦ୍‍ରୁ ନ ଓହରେ ତେବେ ନୀତୀଶ କୁମାର ମେଣ୍ଟ ଛାଡ଼ି ଏକାକୀ ଲଢ଼ିବେ ବୋଲି ଦଳର ନିକଟତମ ମହଲରୁ ଜଣାପଡ଼ିଛି। ତେବେ ଜେଡିୟୁ ନେତା କେ ସି ତ୍ୟାଗୀ କହିଛନ୍ତି ଯେ ଏ ପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ହୋଇନାହିଁ। ଆଲୋଚନା ଚାଲିଛି। ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।
ଜେଡିୟୁର ଫର୍ମୁଲା ଅନୁଯାୟୀ ଉଭୟ ଜେଡିୟୁ ଓ ବିଜେପି ୧୬ଟି ଲେଖାଏଁ ଆସନରେ ଲଢ଼ିବେ। ଲୋକ ଜନଶକ୍ତି ପାର୍ଟିକୁ ୬ଟି, ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ବିଦ୍ରୋହୀ ନେତାଙ୍କୁ ଗୋଟିଏ ଓ ପୂର୍ବତନ ଆରଜେଡି ନେତା ପପୁ ଯାଦବଙ୍କୁ ଗୋଟିଏ ଆସନ ଦିଆଯିବ।
୨୦୧୪ରେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ପ୍ରଧାନମନ୍ତ୍ରୀତ୍ୱକୁ ବିରୋଧ କରି ନୀତୀଶ କୁମାର ଏକାକୀ ଲଢ଼ିଥିଲେ। କିନ୍ତୁ ମାତ୍ର ୨ଟି ଆସନରେ ଜିତିବାକୁ ସକ୍ଷମ ହୋଇଥିଲେ। ବିଜେପିକୁ ୨୨ଟି ଆସନ ମିଳିଥିବା ବେଳେ ଆରଜେଡିକୁ ୬ଟି ଓ କଂଗ୍ରେସକୁ ୨ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
୨୦୧୪ ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ବିଜେପି ଅଧିକ ସଂଖ୍ୟକ ଆସନରେ ଲଢ଼ିବାକୁ ଦାବି ଉପସ୍ଥାପନ କରିଛି। ଜିଏସ୍‍ଟି ଯୋଗୁଁ ରାଜ୍ୟର ଦଳିତ ବର୍ଗର ସମର୍ଥନ ମୋଦୀଙ୍କୁ ମିଳିବାର ସମ୍ଭାବନା ଥିବାରୁ ଏଥିରୁ ପୂରା ଫାଇଦା ଉଠାଇବାକୁ ଚାହୁଁଛି ବିଜେପି। ସେହିପରି ମୁଜାଫରପୁର ଆଶ୍ରୟସ୍ଥଳ ନିର୍ଯାତନା ଘଟଣା ନୀତୀଶଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିଥିବାରୁ ବିଜେପି ନିଜ ପକ୍ଷକୁ ଅଧିକ ଦୃଢ଼ ସ୍ଥିତିରେ ଥିବା ଦେଖିପାରୁଛି। ଅପରପକ୍ଷରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ ଓ ସମର୍ଥନ ନୀତୀଶଙ୍କ ସପକ୍ଷରେ ଯାଉଥିବାରୁ ନୀତୀଶ ମଧ୍ୟ ନିଜ ବଡ଼ ଭାଇ ପଣିଆ ଜାହିର କରିବାକୁ ବିରତ ହେବେ ନାହିଁ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି। ଏସବୁକୁ ତର୍ଜମା କଲେ ଆଗାମୀ ନିର୍ବାଚନରେ ନୀତୀଶ ବିଜେପିର ହାତଛାଡ଼ି ଏକାକୀ ଲଢ଼ିପାରେ ବୋଲି ସ୍ପଷ୍ଟ ହେଉଛି।

Leave A Reply