ଏଆଇସିସିରେ ଆର୍ଥିକ ସଙ୍କଟ; କର୍ମୀ ଓ ଜନତାଙ୍କ ପାଣ୍ଠିରେ ନିର୍ବାଚନ ଲଢ଼ିବ ଦଳ

0

ନୂଆଦିଲ୍ଲୀ: ଦେଶର ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଏବେ ଆର୍ଥିକ ସଂକଟ ଦେଇ ଗତି କରୁଛି। କେନ୍ଦ୍ର ଏବଂ ବହୁ ରାଜ୍ୟରେ କ୍ଷମତା ବାହାରେ ଥିବା କଂଗ୍ରେସ ଦଳକୁ ପ୍ରମୁଖ କର୍ପୋରେଟ ହାଉସ ଏବଂ କମ୍ପାନୀ ଗୁଡିକ ପୂର୍ବଭଳି ଚାନ୍ଦା ଦେବାକୁ କୁଣ୍ଠିତ ହେଉଛନ୍ତି। ପ୍ରଦେଶ ସଂଗଠନ ସ୍ତରରୁ କିଭଳି ପାଣ୍ଠି ସଂଗ୍ରହ କରାଯାଇପାରିବ ସେନେଇ ଏଆଇସିସି ଅଣ୍ଟା ଭିଡିଛି। ବୁଥସ୍ତରରୁ ପାଣ୍ଠି ସଂଗ୍ରହ ପାଇଁ ଏଆଇସିସି ପ୍ରସ୍ତାବ ଦେଇଛି। ରାଜ୍ୟ କଂଗ୍ରେସ ସଂଗଠନ ଗୁଡିକ ସଂଗୃହୀତ ପାଣ୍ଠିରୁ ଅର୍ଦ୍ଧେକ ନିଜ ସଂଗଠନ ପାଇଁ ରଖି ବକେୟା ଏଆଇସିସିକୁ ଦେବା ପାଇଁ କୁହାଯାଇଛି। ଦେଶରେ କଂଗ୍ରେସ ଦଳର ଏକ ବଡ ନେଟୱାର୍କ ଥିବାରୁ ଦଳ ବଡ଼ ଧରଣର ପାଣ୍ଠି ସଂଗ୍ରହ କରିପାରିବ ବୋଲି ଦଳ ଆଶା ରଖିଛି। ଆଗାମୀ ଦିନରେ ଓଡ଼ିଶା ସମେତ ଦେଶର ଅନ୍ୟ ଅଞ୍ଚଳରେ କଂଗ୍ରେସ ଦଳର କର୍ମୀ ଘରଘର ବୁଲି ଦଳ ପାଇଁ ଚାନ୍ଦା ସଂଗ୍ରହ କରିବେ। ଚାନ୍ଦା ସଂଗ୍ରହ ଦ୍ୱାରା ଦଳ ତୃଣମୂଳସ୍ତରରେ କର୍ମୀ ଓ ଜନତାଙ୍କ ମଧ୍ୟରେ ସିଧାସଳଖ ସଂପର୍କ ରହିବ। ଦଳୀୟ ରଣନୀତି ଅନୁଯାୟୀ ଜନତାଙ୍କ ଠାରୁ ଚାନ୍ଦା ସଂଗ୍ରହ କରାଗଲେ କଂଗ୍ରେସ ଓ ଜନତାଙ୍କ ଭାଗିଦାରୀରେ ଦଳ ଆଗାମୀ ଦିନରେ ରାଜନୈତିକ ଲଢ଼େଇ କରିବ। ରାଜ୍ୟ ସଂଗଠନ ଗୁଡ଼ିକୁ ଏଆଇସିସି ଏବେ ଆର୍ଥିକ ସହାୟତା ଦେଉନାହିଁ। ଓଡ଼ିଶା କଂଗ୍ରେସ ସଂଗଠନକୁ ଚଳାଇବା ପାଇଁ ୨୦୧୧ରେ ନିରଞ୍ଜନ ପଟ୍ଟନାୟକଙ୍କ ପିସିସି ସଭାପତିତ୍ୱକାଳରେ ଏଆଇସିସି ତରଫରୁ ସେତେବେଳେ ପ୍ରତି ମାସରେ ୨ ଲକ୍ଷ ଅନୁଦାନ ମିଳୁଥିଲା। ପରେ ଜୟଦେବ ଜେନାଙ୍କ ପିସିସି ସଭାପତିତ୍ୱ କାଳରେ ଏହା ବୃଦ୍ଧି ପାଇ ମାସିକ ୩ ଲକ୍ଷରେ ପହଞ୍ଚିଥିଲା। ପ୍ରସାଦ ହରିଚନ୍ଦନଙ୍କ ପିସିସି ସଭାପତି କାର୍ଯ୍ୟକାଳରେ ଏଆଇସିସି ଅନୁଦାନ ମାସିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା। ତେବେ ପ୍ରସାଦ ହରିଚନ୍ଦନଙ୍କ ସମୟରେ ଏଆଇସିସି ଅନୁଦାନରେ ଅନିୟମିତତା ଦେଖା ଦେଇଥିଲା। ତାଙ୍କ କାର୍ଯ୍ୟକାଳ ଶେଷ ଆଡ଼କୁ ଓଡ଼ିଶା ପିସିସିକୁ ଏଆଇସିସି ଅନୁଦାନ ପ୍ରାୟତଃ ବନ୍ଦ ହୋଇଯାଇଥିଲା। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦ୍ୱିତୀୟ ପାଳିରେ ଏଆଇସିସି ତରଫରୁ ଅଦ୍ୟାବଧି ଟଙ୍କାଟିଏ ଅନୁଦାନ ମିଳିନଥିବାର ଜଣାପଡ଼ିଛି।

Leave A Reply