ଇଂଲଣ୍ଡର ୩୩୨ ରନ୍‍; ଭାରତ ୬/୧୭୪

0

ଲଣ୍ଡନ: ଚଳିତ ଟେଷ୍ଟ ସିରିଜ୍‍ରେ ପୁଣିଥରେ ଘରୋଇ ଇଂଲଣ୍ଡର ତଳ ଅର୍ଡରର ବ୍ୟାଟ୍‍ସମ୍ୟାନ୍‍ ଭାରତ ରାସ୍ତାରେ କଣ୍ଟା ସାଜିଛନ୍ତି। ଶେଷ ୩ ୱିକେଟରେ ୧୫୧ ରନ୍‍ ଯୋଗକରିବା ଫଳରେ ଚଳିତ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‍ରେ ଇଂଲଣ୍ଡ ପ୍ରଥମ ଇନିଂସରେ ସମ୍ମାନଜନକ ୩୩୨ ରନ୍‍ର ସ୍କୋର୍‍ କରିପାରିଛି। ଜୋସ୍‍ ବଟ୍‍ଲର ଲଢ଼ୁଆ ବ୍ୟାଟିଂକରି ୮୯ ରନ୍‍ କରିବାରୁ ଶନିବାର ୨ୟ ଦିନ ଭୋଜନ ବିରତି ପରେ ଇଂଲଣ୍ଡ ୩୩୨ ରନ୍‍ରେ ଅଲ୍‍ଆଉଟ ହୋଇଛି। ପରେ ଭାରତ ପ୍ରଥମ ଇନିଂସରେ ଚାପରେ ପଡ଼ିଯାଇଛି। ୨ୟ ଦିନ ଶେଷରେ ଭାରତ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୧୭୪ ରନ୍‍ କରିଛି। ପ୍ରଥମଦିନ ଘରୋଇ ଇଂଲଣ୍ଡ ୭ ୱିକେଟରେ ୧୯୮ ରନ୍‍ କରିଥିବା ବେଳେ ୨ୟ ଦିନରେ ଇଂଲଣ୍ଡର ବ୍ୟାଟ୍‍ସମ୍ୟାନ୍‍ ଆଉ ୧୩୪ ରନ୍‍ ଯୋଗ କରିଥିଲେ।
ଭାରତ ପ୍ରଥମ ଇନିଂସ ଆରମ୍ଭ କରିବା ପରେ ସହଳ ଶିଖର ଧାୱନ ୩ ରନ୍‍କରି ଷ୍ଟୁଆର୍ଟ ବ୍ରଡ୍‍ଙ୍କ ବଲ୍‍ରେ ବୋଲ୍‍ଡ ହୋଇଥିଲେ। ୨ୟ ୱିକେଟ ପାଇଁ କେ.ଏଲ୍‍. ରାହୁଲ ଓ ଚେତେଶ୍ୱର ପୂଜାରା ୬୪ ରନ୍‍ ଯୋଗକରି ସ୍ଥିତି ସୁଧାରିଥିଲେ। ପରେ ୩୩ ରନ୍‍ ମଧ୍ୟରେ ଭାରତ ଆଉ ୩ଟି ୱିକେଟ ହରାଇ ଚାପରେ ପଡ଼ିଯାଇଛି। ରାହୁଲ ୪ଟି ଚୌକା ସହ ୩୭ ରନ୍‍କରି ଆଉଟ ହୋଇଥିଲେ। ରାହୁଲଙ୍କ ପରି କ୍ରିଜ୍‍ରେ ଜମି ଯାଇଥିବା ଚେତେଶ୍ୱର ପୂଜାରା ମଧ୍ୟ ଆଉଟ ହୋଇ ଯାଇଥିଲେ। ପୂଜାରା ୫ଟି ଚୌକା ସହ ୩୭ ରନ୍‍କରି ଆଉଟ ହୋଇଥିଲେ। ଅଜିଙ୍କ୍ୟ ରାହାଣେ ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ୧୦୩ ରନ୍‍ରେ ୪ର୍ଥ ୱିକେଟର ପତନ ପରେ ଅଧିନାୟକ ବିରାଟ କୋହଲି ଓ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‍ ଖେଳୁଥିବା ହନୁମା ବିହାରୀ ୫୧ ରନ୍‍ ଯୋଗ କରିଥିଲେ। ତେବେ ଚମତ୍କାର ବ୍ୟାଟିଂ କରୁଥିବା କୋହଲି ଅର୍ଦ୍ଧଶତକ ପୂରଣ କରିବା ପୂର୍ବରୁ ଆଉଟ ହୋଇଥିଲେ। କୋହଲି ୬ଟି ଚୌକା ସହ ୪୯ ରନ୍‍କରି ବେନ୍‍ ଷ୍ଟୋକ୍‍ସଙ୍କ ପ୍ରଥମ ଶିକାର ହୋଇଥିଲେ। ପରେ ଋଷଭ ପନ୍ତ୍‍ ୫ ରନ୍‍କରି ଷ୍ଟୋକ୍‍ସଙ୍କୁ ୨ୟ ୱିକେଟ ଦେଇଥିଲେ। ଷ୍ଟମ୍ପ୍‍ ଅପସାରଣ ବେଳକୁ ହନୁମା ବିହାରୀ ଗୋଟିଏ ଛକା ଓ ୩ଟି ଚୌକା ସହ ୨୫ ଏବଂ ରବୀନ୍ଦ୍ର ଜାଡ଼େଜା ୮ ରନ୍‍କରି ଅପରାଜିତ ଅଛନ୍ତି। ଜେମ୍‍ସ ଆଣ୍ଡରସନ୍‍ ଓ ଷ୍ଟୋକ୍‍ସ ୨ଟି ଲେଖାଏଁ ୱିକେଟ ନେଇଛନ୍ତି। ଶେଷ ୪ଟି ୱିକେଟ ବାକିଥିବା ବେଳେ ଭାରତ ଏବେ ୧୫୮ ରନ୍‍ ପଛରେ ରହିଛି।
ପ୍ରଥମଦିନ ଶେଷରେ ଇଂଲଣ୍ଡ ୭ ୱିକେଟରେ ୧୯୮ ରନ୍‍ କରିଥିଲା। ୧୫ ରନ୍‍କରି ରସିଦ୍‍ ୨ୟ ଦିନରେ ପ୍ରଥମ ବ୍ୟାଟ୍‍ସମ୍ୟାନ ଭାବେ ଆଉ ହୋଇଥିଲେ। ପରେ ବଟ୍‍ଲର ଓ ଷ୍ଟୁଆର୍ଡ ବ୍ରଡ୍‍ଙ୍କ ମଧ୍ୟରେ ଚମତ୍କାର ଭାଗିଦାରୀ ହୋଇଥିଲା। ଦୁହେଁ ଷ୍ଟ୍ରୋକ୍‍ ଖେଳି ୯ମ ୱିକେଟ ପାଇଁ ୯୮ ରନ୍‍ ଯୋଗକରି ଭାରତକୁ ନିରାଶ କରିଥିଲେ। ବ୍ରଡ୍‍ ୫୯ ବଲ୍‍ରୁ ୩ଟି ଚୌକା ସହ ୩୮ ରନ୍‍ କରିଥିଲେ। ବ୍ରଡ୍‍ ଆଉଟ ହେବା ପରେ ବଟ୍‍ଲର ଷ୍ଟ୍ରୋକ୍‍ଖେଳିବା ଆରମ୍ଭ କରିଥିଲେ। ଅନ୍ତିମ ବ୍ୟାଟ୍‍ସମ୍ୟାନ ଭାବେ ଆଉଟ ହେବା ସହ ବଟ୍‍ଲର ମାତ୍ର ୧୧ ରନ୍‍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ବଟ୍‍ଲର ୧୩୩ ବଲ୍‍ରୁ ୨ଟି ଛକା ଓ ୬ଟି ଚୌକା ସହ ୮୯ ରନ୍‍କରି ଆଉଟ ହୋଇଥିଲେ। ରବୀନ୍ଦ୍ର ଜାଡ଼େଜା ୪ଟି ଏବଂ ଯଶପ୍ରୀତ ବୁମ୍‍ରା ଓ ଈଶାନ୍ତ ଶର୍ମା ୩ଟି ଲେଖାଏଁ ୱିକେଟ ନେଇଥିଲେ।

Leave A Reply