ଆମେରିକାକୁ ଫାଙ୍କି ଭାରତ-ଇରାନ ଗୁପ୍ତ ଆର୍ଥିକ କାରବାର

0

ନୂଆଦିଲ୍ଲୀ: ଇରାନର ଚାବାହାର ବନ୍ଦର ପାଇଁ ଭାରତ ଆର୍ଥିକ ସହାୟତା ଯୋଗାଇ ଆସୁଥିବାବେଳେ ଆମେରିକାର କଟକଣା ଏଥିରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଆମେରିକାର ପ୍ରତିବନ୍ଧକ ସତ୍ତ୍ବେ ଇରାନକୁ କିପରି ଆର୍ଥିକ ସହାୟତା ଦିଆଯିବ ସେଥି ଲାଗି ଭାରତ ଗୁପ୍ତ କାରବାରର ମାର୍ଗକୁ ଆପଣାଇଛି। ଗୁପ୍ତ କାରବାର ପାଇଁ ଭାରତର ୟୁକୋ ବ୍ୟାଙ୍କ ଓ ଇରାନର ବ୍ୟାଙ୍କ ମଧ୍ୟରେ ବୁଝାମଣା ଚାଲିଛି। ଆମେରିକାର କଟକଣାକୁ ଫାଙ୍କି ଦୁଇଦେଶ ମଧ୍ୟରେ କିପରି ଆର୍ଥିକ କାରବାର ହୋଇପାରିବ ସେଥିପାଇଁ ବ୍ୟବସ୍ଥା ଆପଣାଯାଇଛି। ଏଥିପାଇଁ ଇରାନର ବ୍ୟାଙ୍କ ପରିଷଦ ଭାରତରେ ଏହାର ଶାଖା ଖୋଲିବାକୁ ନିଷ୍ପତ୍ତି ନେଇଛି। ଏହି ଦୁଇ ବ୍ୟାଙ୍କ ମଧ୍ୟରେ ଅର୍ଥ ନେଣଦେଣ ହେବ।
ଇରାନର ସଡକ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ଆବାସ ଆକହୋଣ୍ଡି କହିଛନ୍ତି ଯେ ଚାବାହାର ବନ୍ଦରକୁ ଏକ ମାସ ମଧ୍ୟରେ ଭାରତକୁ ହସ୍ତାନ୍ତର କରାଯିବ। ଭାରତ ଏହି ବନ୍ଦରର କାରବାର ଓ ପରିଚାଳନା ଦାୟିତ୍ବ ବହନ କରିବ। ଏଥିପାଇଁ ଦୁଇଦେଶ ମଧ୍ୟରେ ବୁଝାମଣା ସ୍ବାକ୍ଷର ହୋଇଛି ଓ ବୁଝାମଣା ଅନୁଯାୟୀ ସମସ୍ତ କାର୍ଯ୍ୟ ଠିକ୍‌ରେ ଚାଲିଛି। ଆମେରିକାର କଟକଣା ଉପରେ ପ୍ରତିକ୍ରିୟା ରଖି ଆକହୋଣ୍ଡି କହିଛନ୍ତି ଯେ ଇରାନ ଓ ଭାରତ ପାଇଁ ୱାଶିଂଟନ ହେଉଛି ଏକ ବାହାର ଦେଶ। ଆମେରିକାର କଟକଣାକୁ ପଛରେ ପକାଇ ନୂଆଦିଲ୍ଲୀ ଓ ତେହରାନ ନିଜର ସମ୍ପର୍କକୁ ଆଗକୁ ନେବା ଦରକାର। ଭାରତ-ଇରାନର ସମ୍ପର୍କରେ ଉନ୍ନତି ଏସିଆ ମହାଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ବାହାର ଦେଶର ହସ୍ତକ୍ଷେପକୁ ଏଥିରେ ପ୍ରଶ୍ରୟ ଦିଆଯିବା ଉଚିତ ନୁହେଁ।
ଆଫଗାନିସ୍ତାନ ସହିତ ଭାରତର ଯୋଗାଯୋଗ ଦିଗରେ ଚାବାହାର ବନ୍ଦର ଗୁରୁତ୍ବପୂର୍ଣ୍ଣ। ଆଫଗାନିସ୍ତାନ ସହିତ ତୁର୍କମେନିସ୍ତାନ ଓ ଉଜବେକିସ୍ତାନ ସହିତ ବାଣିଜ୍ୟ କାରବାର କରିବାରେ ଭାରତକୁ ଏହା ସହାୟକ ହୋଇଛି। ଏହି ବନ୍ଦର ନିର୍ମାଣ ପାଇଁ ଇରାନକୁ ଭାରତ ୮୫ନିୟୁତ ଡଲାର ସହାୟତା ଯୋଗାଇ ଦେବାକୁ ବୁଝାମଣା ସ୍ବାକ୍ଷର କରିଛି। ଇରାନ ରାଷ୍ଟ୍ରପତି ହାସନ ରୌହାନି ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଏହି ବୁଝାମଣା ସ୍ବାକ୍ଷର ହୋଇଛି। ଏହି ବନ୍ଦରର ପ୍ରଥମ ପର୍ଯ୍ୟାୟକୁ କାର୍ଯ୍ୟକ୍ଷମ କରାଯାଇଛି।

Leave A Reply