mission shakti banner

ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟଙ୍କ ୧୯୯୪ ରାୟର ପୁନର୍ବିଚାର ଦାବି

BSKY banner  750×100
0

ନୂଆଦିଲ୍ଲୀ: ମସ୍‍ଜିଦ ସ୍ୱତନ୍ତ୍ର ନୁହେଁ ଏବଂ ଇସ୍‍ଲାମ ଧର୍ମ ଓ ନାମାଜ ପାଠ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନୁହେଁ ବୋଲି ୨୪ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୯୪ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ଅଯୋଧ୍ୟା ବିବାଦ ମାମଲାର ମୁସ୍‍ଲମାନଙ୍କ ପକ୍ଷ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଶୁକ୍ରବାର ରାମଜନ୍ମଭୂମି-ବାବ୍ରି ମସ୍‍ଜିଦ୍‍ ମାମଲାର ଚୂଡାନ୍ତ ଶୁଣାଣି ବେଳେ ୨୪ ବର୍ଷ ପୂର୍ବେ ଇସ୍‍ମାଇଲ ଫାରୁକି ମାମଲାରେ ନିଜର ରାୟ ଉପରେ ପୁନର୍ବିଚାର କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ମୁସ୍‍ଲମାନମାନଙ୍କ ପକ୍ଷ ରଖୁଥିବା ବରିଷ୍ଠ ଓକିଲ ରାଜୀବ ଧାୱନ ନିବେଦନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୬ରେ ହେବ।
୧୯୯୨ ଡିସେମ୍ବର ୬ରେ ବାବ୍ରି ମସ୍‍ଜିଦ୍‍ ଧ୍ୱଂସ ପରେ ଅଯୋଧ୍ୟାରେ ସରକାର ୬୭.୭୦୩ ଏକର ଜମି ଅଧିଗ୍ରହଣ କରିବା ନେଇ ଇସ୍‍ମାଇଲ୍‍ ଫାରୁକି ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ମାମଲା ଚାଲିଥିଲା। ୧୯୯୪ରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ମାମଲା ଉପରେ ବିଚାର କରି ‘ଅଯୋଧ୍ୟାରେ କେତେକ ଅଞ୍ଚଳ ଅଧିଗ୍ରହଣ ଆଇନ-୨୦୧୩’ର ସାମ୍ବିଧାନିକ ବୈଧତାକୁ କାଏମ ରଖିଥିଲେ। ଖଣ୍ଡପୀଠ ତାଙ୍କ ରାୟରେ କହିଥିଲେ, ନାମାଜ ପାଠକରିବା ଅଥବା ପୂଜା କରିବା ଧାର୍ମିକ କାର୍ୟ୍ୟ। ମାତ୍ର ପୂଜାର୍ଚ୍ଚନା ବା ପ୍ରାର୍ଥନା କରାଯାଉଥିବା ସ୍ଥାନଗୁଡିକର ଧାର୍ମିକ ଗୁରୁତ୍ୱ ନ ଥିଲେ ତାହାକୁ ଧର୍ମୀୟ ଦୃଷ୍ଟିକୋଣରୁ ଅତ୍ୟାବଶ୍ୟକ ଅଂଶ ବୋଲି କୁହାଯାଇପାରିବ ନାହିଁ। ମୁସଲମାନମାନେ ଯେକୌଣସି ଖୋଲାସ୍ଥାନରେ ନମାଜ ପାଠ କରିପାରିବେ ବୋଲି ଖଣ୍ଡପୀଠ କହିଥିଲେ। ମୁସଲମାନମାନଙ୍କ ପକ୍ଷରୁ ଧାୱନ୍‍ ୧୯୯୪ର ଏହି ରାୟ ଉପରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ପ୍ରଶ୍ନ ଉଠାଇଛନ୍ତି। ଏହି ଖଣ୍ଡପୀଠ ବାବ୍ରି ମସ୍‍ଜିଦ୍‍ସ୍ଥଳକୁ ତିନି ପକ୍ଷ ମଧ୍ୟରେ ତିନି ଭାଗ କରି ବାଣ୍ଟିବାକୁ ୨୦୧୦ରେ ଆଲ୍ଲାହାବାଦ୍‍ ହାଇକୋର୍ଟ ଦେଇଥିବା ରାୟ ଉପରେ ଶୁଣାଣି କରୁଛନ୍ତି। ଧାୱନ୍‍ କହିଛନ୍ତି, ଏହି ପୂଜାସ୍ଥଳ ଅନ୍ୟ ସ୍ଥାନ ତୁଳନାରେ କେତେ ଗୁରୁତ୍ୱପୂର୍ଣ୍ଣ ତାହା କିଏ ନିର୍ଦ୍ଧାରଣ କରିବେ? ସବୁ ସ୍ଥାନ ସମାନ ଏବଂ ସମସ୍ତ ସ୍ଥାନର ସମାନ ଗୁରୁତ୍ୱ ରହିଛି ବୋଲି ଦର୍ଶାଇବା ସହିତ ୧୯୯୩ର ଆଇନ ଅଧୀନରେ ସରକାର ବିବାଦୀୟ ଜମିକୁ ଅଧିଗ୍ରହଣ କରିବା ଉପରେ ସେ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ, ୧୫୨୮ରେ ନିର୍ମିତ ତଥା ମୋଗଲ ସାମ୍ରାଜ୍ୟ ଓ ବ୍ରିଟିଶ୍‍ ଶାସକଙ୍କ ଦ୍ୱାରା ସ୍ୱୀକୃତ ବାବ୍ରି ମସ୍‍ଜିଦ୍‍ ଇସ୍‍ଲାମ ଦୃଷ୍ଟିକୋଣରୁ ଯେ ଗୁରୁତ୍ୱପୂର୍ଣ୍ଣ ନୁହେଁ; ତାହା ଆଦୌ ଗ୍ରହଣୀୟ ନୁହେଁ।
ତେବେ ଫାରୁକି ମାମଲା ସମ୍ବନ୍ଧୀୟ ରାୟରେ ସୁପ୍ରିମକୋର୍ଟ ଖଣ୍ଡପୀଠ ଏକ ମସ୍‍ଜିଦ୍‍, ମନ୍ଦିର ଅଥବା ପୂଜାସ୍ଥଳକୁ ଜାତୀୟ ସ୍ୱାର୍ଥରେ ଅଧିଗ୍ରହଣ କରାଯାଇପାରିବ ବୋଲି ଦର୍ଶାଇଥିଲେ। ଏହି ପ୍ରସଙ୍ଗ ଉତ୍‍ଥାପନ କରି ବିବାଦୀୟ ଜମି ଅଧିଗ୍ରହଣ କରିବା ପଛରେ କେଉଁ ଜାତୀୟ ସ୍ୱାର୍ଥ ନିହିତ ଥିଲା ବୋଲି ଧାୱନ୍‍ ପ୍ରଶ୍ନ କରିଥିଲେ। ଏହା ରାମ ଜନ୍ମଭୂମି, ରାମ ମନ୍ଦିର ଅଥବା ବିଜେପିର ଶ୍ୱେତପତ୍ରରେ ଉଲ୍ଲିଖିତ ସ୍ଥାନ ଥିଲା କି ବୋଲି ସେ ପ୍ରଶ୍ନ କରିଥିଲେ। ମସ୍‍ଜିଦ୍‍ ଚିରସ୍ଥାୟୀ ବୋଲି ଦର୍ଶାଇବା ସହିତ ଅଯୋଧ୍ୟାରେ ଧ୍ୱଂସ କରାଯାଇଥିବା ବାବ୍ରି ମସ୍‍ଜିଦ୍‍ ନିଜର ଗୁରୁତ୍ୱ ହରାଇ ନାହିଁ ବୋଲି ଯୁକ୍ତି ବାଢିଥିଲେ। ସର୍ବୋପରି ବିବାଦୀୟ ସ୍ଥାନ ରାମଙ୍କ ଜନ୍ମସ୍ଥାନ କି ନୁହେଁ ତାହା ଅଦାଲତ ସ୍ଥିର କରିପାରୁ ନ ଥିବା ଧାୱନ ଦର୍ଶାଇଥିଲେ। ସେ କହିଥିଲେ, ଯେଉଁ ଲୋକମାନେ ମସ୍‍ଜିଦ୍‍ ଭାଙ୍ଗି ଦେଲେ ସେମାନେ ଦୁର୍ବୃତ୍ତ ନ ଥିଲେ, ବରଂ ବିଜେପି ନେତା ଥିଲେ। ବାବ୍ରି ମସ୍‍ଜିଦ୍‍ ଘଟଣାରେ ଯାହା ଘଟିଗଲା ତାହା ଯେକୌଣସି ସ୍ଥାନରେ ଘଟିବ ବୋଲି ମୁସଲମାନଙ୍କ ମଧ୍ୟରେ ଭୟ ଜନ୍ମିଥିବା ଧାୱନ ଯୁକ୍ତି ବାଢିଥିଲେ। ମାତ୍ର ସମାନତା ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ଜମି ଅଧିଗ୍ରହଣ କରାଯାଇଥିଲା ବୋଲି ସରକାରୀ ପକ୍ଷ ସଫେଇ ଦେଇଥିଲେ। ସମସ୍ତ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଖଣ୍ଡପୀଠ ପରେ ଧାୱନଙ୍କ ଆବେଦନ ଉପରେ ପରେ ଶୁଣାଣି କରିବେ ବୋଲି କହିଛନ୍ତି।

Leave A Reply