କଳାପଥର(ବାଙ୍କୀ): ପାରମ୍ପରିକ ରୀତିନୀତି ଅନୁସାରେ ଓଡିଶାର ପୁରପଲ୍ଲୀରେ ରବିବାର ରାତିରେ ଖୁଦୁରୁକୁଣୀ ଓଷା ଶେଷ ହୋଇଯାଇଛି। ବାଙ୍କୀ ଅଞ୍ଚଳରେ ଏହା ଆନନ୍ଦ ଉଲ୍ଲାସ ସହକାରେ ପାଳିତ ହୋଇଛି। ଏହି ଅବସରରେ ଭାଦ୍ରବ ମାସ ରବିବାରରେ ସକାଳୁ ଝିଅମାନେ ଫୁଲ ତୋଳି ମା’ ଙ୍କ କୋଠରୀକୁ ନୂତନ ଶାଢିରେ ସଜାଇ ଆଲୋକିତ କରିଥିଲେ। ଝିଅମାନେ ଏକତ୍ରିତ ହୋଇ ପୋଖରୀ, ନଦୀ ଏବଂ ଗାଡିଆରେ ସାଙ୍ଗହୋଇ ଗାଧୋଇ ସମିଳିତ ଭାବେ ବାଲିରେ ମଙ୍ଗଳାଙ୍କ ମୂର୍ତ୍ତୀ ତିଆରି କରି ମାଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଖଇ ଭୋଗ ଲାଗି କରାଯାଇଥିଲା। ସଂଧ୍ୟାରେ ଓଷା କରିଥିବା ଝିଅମାନେ ଭାଲୁଙ୍କୁଣୀଙ୍କୁ ରିତିନିତୀ ଅନୁଯାୟୀ ପୂଜା କରି ଏକ ସଙ୍ଗରେ ଖୁଦୁରୁଙ୍କୁଣୀ ବହି ପାଠ କରିଥିଲେ। ପରେ ଅତୀତର ସ୍ମୃତିକୁ ବହନ କରୁଥିବା ଭଉଣୀ ତଅପୋଇ ଓ ସାଧବ ଭାଇମାନଙ୍କର ମିଳନ, ବୋଇତ ବନ୍ଦାଣ କରାଯାଇଥିଲା। ପାହାନ୍ତାରେ କଦଳି ପତ୍ର ପଟୁଆରେ ନିର୍ମିତ ଦୁହୁରି ଛାଡିଥିଲେ। ଏ ନେଇ ଝିଅ ମାନଙ୍କ ମଧ୍ୟରେ ଝୁଣାମରା ପ୍ରତିଯୋଗିତା ଏବଂ ନାଚ ଗୀତ କରାଯାଇଥିଲା। ନିକଟସ୍ଥ କଳାପଥର, କୃଷ୍ଣପଲ୍ଲୀ, ଲେମ୍ବରୀ, ମଧୁଆପଲ୍ଲୀ, ବଘେଇ, ଧଳାପଥର, ବାଲିପହାଡ, ପତନୀ, କେନ୍ଦୁପଲ୍ଲୀ, ବୈଦେଶ୍ୱର, ଅଳସୁଆ, ଖଜୁରିପଦା, ବାଣିଆ, କାଳିପୋଇ, କନ୍ତକାଇ, ଚଡେଇବନ୍ଧ, କୋଦୁଅବେରେଣୀ ଅଞ୍ଚଳରେ ଡିଜେ ବଜାଇ ଜାକଜକମରେ ପାଳନ କରାଯାଇଛି।
Popular Categories



