ପ୍ରଭାବିତ ଅଞ୍ଚଳବାସୀଙ୍କୁ ନିଯୁକ୍ତି ନମିଳିଲେ ହେବ ଜନଆନ୍ଦୋଳନ
ଟାଟା କମ୍ପାନୀର ଝାଡଖଣ୍ଡ ପ୍ରୀତି
କେନ୍ଦୁଝରଗଡ଼ : ଖଣି ଓ ଶିଳ୍ପ ଓଡିଶାରେ । ନିଯୁକ୍ତି ଝାଡଖଣ୍ଡ ବେକାରୀଙ୍କୁ । କେନ୍ଦୁଝର ଜିଲା ଯୋଡା ବ୍ଲକ ବିଲେଇପଦାସ୍ଥିତ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ କାରଖାନାରେ ଡିପ୍ଲୋମା ଇଞ୍ଜିନିୟରିଂ ପାଇଁ ନିକଟରେ ପ୍ରକାଶିତ ନିଯୁକ୍ତି ବିଜ୍ଞାପନରେ କେବଳ ଝାଡଖଣ୍ଡ ରାଜ୍ୟର ପ୍ରାର୍ଥୀ ଆବେଦନ କରିପାରିବେ ବୋଲି ଉଲ୍ଲେଖ ରହିଛି। ଏହି ବିଜ୍ଞାପନ ପ୍ରକାଶ ପାଇବା ପରେ ଟାଟା କମ୍ପାନୀର ଝାଡଖଣ୍ଡ ପ୍ରୀତିକୁ ପଦାରେ ପକାଇଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସ୍ଥାନୀୟ ନେତା ମୁରଲୀ ଶର୍ମା କ୍ଷୋଭ ପ୍ରକାଶ କରିଛନ୍ତି। କମ୍ପାନୀ ଶିଳ୍ପ ପାଇଁ ଯୋଡା ଖଣିକ୍ଷେତ୍ରରୁ ଖଣି ହାତେଇ ଜିଲା ଓ ରାଜ୍ୟ ବାହାରେ ଇସ୍ପାତ ଶିଳ୍ପର ଅଭିବୃଦ୍ଧି କରି ଚାଲିଛି । ତେବେ ଟାଟା କମ୍ପାନୀ ପରିଚାଳିତ ଖଣି ଓ ଶିଳ୍ପାନୁଷ୍ଠାନରେ କେନ୍ଦୁଝର ଜିଲା ବିଶେଷକରି ଖଣି ଓ ଶିଳ୍ପ ପ୍ରଭାବିତ ଅଞ୍ଚଳବାସୀଙ୍କୁ ନିଯୁକ୍ତି ସୁଯୋଗରୁ ବଞ୍ଚିତ କରିଆସୁଥିବା ନେଇ ବହୁବାର ଅଭିଯୋଗ ହୋଇଆସିଛି।
ବିଲେଇପଦାସ୍ଥିତ ଏହି କାରଖାନା ରାଜ୍ୟ ସରକାରଙ୍କ ଇପିକଲ ସହ ମିଳିତ ଭାବେ ସ୍ଥାନୀୟ ଆଦିବାସୀଙ୍କ ଜମିକୁ ହାତେଇ ଆଜକୁ ୪୦ବର୍ଷ ତଳେ ପ୍ରଥମେ ଇପି ଟାଟା ସ୍ପଞ୍ଜ କାରଖାନା ନାମରେ ଉତ୍ପାଦନ ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଟାଟା ସ୍ପଞ୍ଜ ଆଇରନ ଏବଂ ୨୦୧୯ରୁ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ କାରଖାନା ନାମରେ ପରିଚାଳିତ ହୋଇ ଏହାର ମୁଖ୍ୟ କାର୍ଯ୍ୟାଳୟ ଓ ଅଧିକାରୀ କଲକାତାରୁ ଏହାକୁ ପରିଚାଳନା କରିବା ପରଠାରୁ କମ୍ପାନୀ ପକ୍ଷରୁ ପ୍ରଭାବିତ ଅଞ୍ଚଳବାସୀଙ୍କୁ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇ ଆସୁଥିବା ଶ୍ରୀ ଶର୍ମା ଏକ ପ୍ରେସ୍ ବିବୃତ୍ତିରେ ଅଭିଯୋଗ କରିଛନ୍ତି । ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ନାମରେ କାରଖାନା ପରିଚାଳିତ ହେବା ପରଠାରୁ କମ୍ପାନୀ କର୍ତ୍ତୃପକ୍ଷ ଓଡିଆ ମାରଣ ନୀତି ଆପଣାଇ କେବଳ ଝାଡଖଣ୍ଡ ରାଜ୍ୟରୁ ନିଯୁକ୍ତି ଦେଉଥିବା ଜଣା ପଡିବା ପରେ ଏବେ ବିଶେଷକରି ପ୍ରଭାବିତ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୮ମାସ ତଳେ କମ୍ପାନୀ ପକ୍ଷରୁ ୩୬ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୨ଜଣ ଓଡିଆଙ୍କୁ ବାଦ୍ ଦେଲେ ଅବଶିଷ୍ଟ ୩୪ଜଣ ଝାଡଖଣ୍ଡ ରାଜ୍ୟରୁ ନିଯୁକ୍ତି ଦିଆଯାଇଛି । ଏବେ ପୁଣିଥରେ ପ୍ରକାଶିତ ନିଯୁକ୍ତି ବିଜ୍ଞାପନରେ କେବଳ ଝାଡଖଣ୍ଡ ରାଜ୍ୟର ପ୍ରାର୍ଥୀ ଆବେଦନ କରିପାରିବେ ବୋଲି ଉଲ୍ଲେଖକୁ ଶ୍ରୀ ଶର୍ମା ତୀବ୍ର ନିନ୍ଦା କରିଛନ୍ତି । କମ୍ପାନୀର ଏତାଦୃଶ ଝାଡଖଣ୍ଡ ପ୍ରୀତିକୁ କମ୍ପାନୀର ଶ୍ରମିକ ସଙ୍ଗଠନର ଜଣେ ନେତା ପ୍ରତିବାଦ କରିବାରୁ ଶେଷରେ ତାଙ୍କୁ ଚାକିରୀରୁ ବିଦା କରିବା କମ୍ପାନୀର ବ୍ରିଟିସରାଜକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ଶର୍ମା କ୍ଷୋଭର ସହ କହିଛନ୍ତି । କମ୍ପାନୀ ତା’ର ଆଭିମୁଖ୍ୟରେ ପରିବର୍ତ୍ତନ ଆଣି ପ୍ରକାଶିତ ବିଜ୍ଞାପନକୁ ତୁରନ୍ତ ବାତିଲ ସହ ଖଣି ଓ ଶିଳ୍ପ ପ୍ରଭାବିତ ଅଞ୍ଚଳର ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ପ୍ରଦାନ ନକଲେ ଏହା ପ୍ରତିବାଦରେ କମ୍ପାନୀ ପରିଚାଳିତ ସମସ୍ତ ଖଣି ଓ ଶିଳ୍ପାନୁଷ୍ଠାନ ସମ୍ମୁଖରେ ବ୍ୟାପକ ଜନଆନ୍ଦୋଳନ କରାଯିବା ସହ କେନ୍ଦୁଝର ଜିଲାରୁ ମୁଠାଏ ହେଲେ ଖଣିଜସମ୍ପଦ ଜିଲା ଓ ରାଜ୍ୟ ବାହାରକୁ ରପ୍ତାନୀ କରିବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ଶର୍ମା କହିଛନ୍ତି ।
Comments are closed.