ମହାନଦୀ ସେତୁରେ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

0

ଜଗତପୁର : ମହାନଦୀ ସେତୁରେ ଗୁରୁବାର ମଧ୍ୟାହ୍ନରେ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରୁଥିବା ସମୟରେ ସେହି ରାସ୍ତା ଦେଇ ଯାଉଥିବା ଜଣେ ଅଟୋ ଚାଳକ ତାଙ୍କୁ ଉଦ୍ଧାର କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆୱାରନେସର ଜିମା ଦେଇଥିବା ଜଣାପଡିଛି। ଚୌଦ୍ୱାର ଥାନା ଅନ୍ତର୍ଗତ ଗୋଡିପାଟଣା ଗ୍ରାମର ଜଣେ ଯୁବତୀ ସେହି ଥାନା ଅଞ୍ଚଳ ଦେବୀନଗରର ଜଣେ ଯୁବକକୁ ୪ ବର୍ଷ ଧରି ପ୍ରେମ କରୁଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଯୁବକଜଣକ ଯୁବତୀଙ୍କ ସହିତ ଶାରୀରିକ ସଂପର୍କ ରଖି ବିବାହ ନକରି ଦିନ ଗଡାଇ ଚାଲିଥିଲେ। ଯୁବତୀଜଣକ କୋର୍ଟ ମ୍ୟାରେଜ କରିବାକୁ କହିବାରୁ ଯୁବକ ଜଣକ ବୁଧବାର ରାତିରେ ଫୋନ ଯୋଗେ ଗୋଡିିପାଟଣା ନିକଟସ୍ଥ କାଳୀ ମନ୍ଦିର ନିକଟକୁ ସକାଳ ୧୦ଟାରେ କିଛି ଟଙ୍କା ନେଇ ଆସିବାକୁ ଯୁବତୀଙ୍କୁ କହିଥିଲେ। ଯୁବତୀ ଜଣକ ତାଙ୍କ କଥାରେ ରାଜି ହୋଇ ଟଙ୍କା ସହିତ ଉକ୍ତ ଜାଗାରେ ପହଞ୍ଚିଥିଲେ। ଯୁବକ ଜଣକ କଜଳକଣାସ୍ଥିତ ଏକ ଜଙ୍ଗଲକୁ ନେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବା ସହିତ ମାଡ ମାରିଥିଲେ। ତେବେ ଯୁବତୀ ଜଣକ କୋର୍ଟ ମ୍ୟାରେଜ କରିବାକୁ ଜିଦ୍‍ ଧରିଥିଲେ। ଯୁବକ ଜଣକ କୌଶଳକ୍ରମେ ଯୁବତୀଙ୍କୁ ବାଇକ୍‍ରେ ମହାନଦୀ ବ୍ରିଜ ଉପରେ ଛାଡିଦେଇ ପଳାଇଯାଇଥିଲେ। ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇ ମହାନଦୀ ସେତୁ ଉପରେ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଜଣେ ଅଟୋ ଚାଳକ ଏହା ଦେଖି ତାଙ୍କୁ ଉଦ୍ଧାର କରି ଜଗତପୁରସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆୱାରନେସର ଜିମା ଦେଇଥିଲେ। ଆୱାରନେସ ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ଜଗତପୁର ପୁଲିସର ସହାୟତା ନେଇଥିଲା।
କୌଣସି ସୂତ୍ରରୁ ଖବର ପାଇ ଯୁବକ ଜଣକ ଗୋଲେଇ ଛକରେ ବୁଲୁଥିବା ସମୟରେ ଜଗତପୁର ପୁଲିସ ତାକୁ କାବୁ କରିଥିଲା। ଘଟଣାଟି ଚୌଦ୍ୱାର ଥାନା ଅଞ୍ଚଳରେ ହୋଇଥିବାରୁ ଯୁବକ-ଯୁବତୀଙ୍କୁ ଚୌଦ୍ୱାର ଥାନାକୁ ପଠାଯାଇଛି।

Leave A Reply