bjd gruha runa

ସପ୍ତାହ ପରେ ବିଶ୍ୱ ଜନସଂଖ୍ୟା ୮୦୦ କୋଟି ହେବ

BJD Bijuli 480×75 Mob

ଜେନେଭା : ଚଳିତ ମାସ ମଧ୍ୟଭାଗ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିବ । ଭାରତର ଜନସଂଖ୍ୟା ସମ୍ପ୍ରତି ଚୀନଠାରୁ ତଳେ ଥିବାବେଳେ ଏହା ୨୦୨୩ରେ ଚୀନକୁ ଟପିଯିବ ଏବଂ ୨୦୫୦ ସୁଦ୍ଧା ୧୭୦ କୋଟିରେ ପହଞ୍ଚିବ ବୋଲି ଜାତିସଂଘ ପକ୍ଷରୁ କରାଯାଇଥିବା ଏକ ବିଶ୍ଳେଷଣରୁ ଜଣାଯାଇଛି। ଏଥିରେ କୁହାଯାଇଛି, ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଚୀନ ସମ୍ପ୍ରତି ଏହାର ବୟସାଧିକ ଜନସଂଖ୍ୟାକୁ ନେଇ ଚିନ୍ତିତ ହୋଇପଡ଼ିଛି। କାରଣ ଉକ୍ତ ରାଷ୍ଟ୍ରରେ ଜନସଂଖ୍ୟା ବୃଦ୍ଧି ଉପରେ କଡା କଟକଣା ଲଗାଯିବା ପରେ ସେଠାରେ କାର୍ଯ୍ୟରତ ବୟସର ନାଗରିକଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସପାଉଛି। ଦେଶର ଜନସଂଖ୍ୟାରେ ଦୁର୍ବଳ ଅଭିବୃଦ୍ଧି ସହିତ କୋଭିଡ ମହାମାରୀଜନିତ କଟକଣା କାରଣରୁ ସେଠାରେ ଅର୍ଥନୀତି ମଧ୍ୟ ମନ୍ଥର ହୋଇଛି।
ଜାତିସଂଘ ରିପୋର୍ଟରେ କୁହାଯାଇଛି ଯେ ଚଳିତ ମାସ ୧୫ ତାରିଖ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮୦୦ କୋଟିକୁ ଟପିବା ପରେ ସେଥିରେ ମନ୍ଥର ଗତିରେ ଅଭିବୃଦ୍ଧି ଘଟିବ। ସେହି ସମୟରେ ବିଶ୍ୱରେ ଆଞ୍ଚଳିକ ବୈଷମ୍ୟ ମଧ୍ୟ ବୃଦ୍ଧିପାଇବ। ୧୯୫୦ରେ ବିଶ୍ୱ ଜନସଂଖ୍ୟା ୨୫୦ କୋଟି ଥିବାବେଳେ ମାତ୍ର ୭୨ ବର୍ଷରେ ଏହା ତିନିଗୁଣରେ ପହଞ୍ଚିବାକୁ ଯାଉଥିବା ସମସ୍ତ ନୀତି ନିର୍ଦ୍ଧାରକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ୧୯୬୦ ଦଶକର ଆଦ୍ୟ ଭାଗରେ ବିଶ୍ୱ ଜନସଂଖ୍ୟା ବୃଦ୍ଧି ଧାରା ଶୀର୍ଷରେ ପହଞ୍ଚିବାପରେ ସେହି ହାର ପରବର୍ତ୍ତୀ ସମୟରେ ମନ୍ଥର ହୋଇଥିବା ଜାତିସଂଘ ଜନସଂଖ୍ୟା ପାଣ୍ଠିର ରାଚେଲ ସ୍ନୋ କହିଛନ୍ତି। ୧୯୬୨ରୁ ୧୯୬୫ ମଧ୍ୟରେ ବାର୍ଷିକ ଜନସଂଖ୍ୟା ଅଭିବୃଦ୍ଧି ହାର ଶୀର୍ଷ ୨.୧ ପ୍ରତିଶତ ଥିବାବେଳେ ୨୦୨୦ରେ ତାହା ୧ ପ୍ରତିଶତରୁ ତଳକୁ ଖସିଆସିଛି। ୨୦୫୦ ସୁଦ୍ଧା ଏହା ପ୍ରାୟ ୦.୫ ପ୍ରତିଶତକୁ ହ୍ରାସପାଇବା ଅନୁମାନ କରାଯାଇଛି।
ଅନ୍ୟପକ୍ଷରେ ଲୋକଙ୍କ ଜୀବଦ୍ଦଶା ବୃଦ୍ଧି ସହିତ ସନ୍ତାନ ଧାରଣକ୍ଷମ ବୟସର ଲୋକସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ୨୦୩୦ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୮୫୦ କୋଟି, ୨୦୫୦ରେ ୯୭୦ କୋଟି ଏବଂ ୨୦୮୦ ବେଳକୁ ୧୦୪୦ କୋଟିରେ ପହଞ୍ଚିବ ବୋଲି ଜାତିସଂଘ ଆକଳନ କରିଛି। ତେବେ ଅନ୍ୟ ଗୋଷ୍ଠୀଗୁଡିକ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ଆମେରିକାସ୍ଥିତ ଇନଷ୍ଟିଚ୍ୟୁଟ ଫଳ ହେଲ୍‌‌ଥ ମେଟ୍ରିକ୍ସ ଆଣ୍ଡ ଇଭାଲୁଏସନ୍‌‌ (ଆଇଏଚଏମଇ) ପକ୍ଷରୁ ୨୦୨୦ରେ କରାଯାଇଥିବା ଆକଳନରେ କୁହାଯାଇଛି ଯେ ୨୦୬୪ ବେଳକୁ ବିଶ୍ୱ ଜନସଂଖ୍ୟା ୧୦୦୦ କୋଟିରେ ପହଞ୍ଚିବା ପରେ ୨୧୦୦ ବେଳକୁ ୮୮୦ କୋଟିକୁ ହ୍ରାସପାଇବ। ୨୦୨୧ରେ ଜଣେ ମହିଳାଙ୍କ ଜୀବଦ୍ଦଶାରେ ତାଙ୍କର ସନ୍ତାନ ଜନ୍ମ ହାର ୨.୩ ଥିଲା, ଯାହା ୧୯୫୦ରେ ପ୍ରତି ମହିଳାଙ୍କ କ୍ଷେତ୍ରରେ ୫ ରହିଥିଲା। ସମ୍ପ୍ରତି ବିଶ୍ୱରେ ପ୍ରତି ମହିଳାଙ୍କ ସନ୍ତାନ ଜନ୍ମହାର ହାରାହାରି ୨.୧ ରହିଛି। ବିଶ୍ୱ ଜନସଂଖ୍ୟା ବୃଦ୍ଧି ପଛର ମୁଖ୍ୟ କାରଣ ହେଉଛି ଲୋକଙ୍କର ଆୟୁଷ ବୃଦ୍ଧି। ୧୯୯୦ରେ ଜଣେ ହାରାହାରି ୬୩ ବର୍ଷ ବଞ୍ଚୁଥିବାବେଳେ ୨୦୧୯ରେ ତାହା ୭୨.୮ ବର୍ଷକୁ ବୃଦ୍ଧିପାଇଥିଲା। ଏହା ୨୦୫୦ ବେଳକୁ ୭୭.୨ ବର୍ଷରେ ପହଞ୍ଚିବା ଆକଳନ କରାଯାଇଛି।

Comments are closed.