ବିଶ୍ୱ କାମଳ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ
ଆଠଗଡ : ବିଶ୍ୱ କାମଳ ଦିବସ ଉପଲକ୍ଷେ ଆଠଗଡରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ଧାଇପୁର ପଞ୍ଚାୟତ ଅନ୍ତର୍ଗତ ଗଦାଧରପୁର ଗ୍ରାମରେ ଗୁରୁବାର ବିଶ୍ୱ କାମଳ ଦିବସ ଅବସରରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ପରାମର୍ଶକ୍ରମେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍ଲମ୍ ଏହି କାର୍ଯ୍ୟକ୍ରମରେ ସଂଯୋଜନା କରି କାମଳ ବା ହେପାଟାଇଟିସ ଏକ ଜଟିଳ ରୋଗ ଏବଂ ଏହାର ଲକ୍ଷଣ ଦେଖାଦେବାକ୍ଷଣି ହେଳା ନକରି ତୁରନ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା କରାଇବା ଆବଶ୍ୟକ ବୋଲି କହିଥିଲେ। କାମଳ ବା ହେପାଟାଇଟିସ ରୋଗର କାରଣ, ଲକ୍ଷଣ, ନିରାକରଣ ଓ ଚିକିତ୍ସା ସଂପର୍କର ଶ୍ରୀ ଅସଲମ ବିସ୍ତୃତ ଭାବେ ବୁଝାଇଥିଲେ। ସାଧାରଣତଃ କାମଳ ରୋଗର ୩ଟି ମୁଖ୍ୟ କାରଣ ମଧ୍ୟରେ ରକ୍ତଜନିତ କାମଳ, ଯକୃତ ସଂକ୍ରମଣ ଜନିତ କାମଳ ଓ ଅନ୍ୟାନ୍ୟ ରୋଗ ଜନିତ କାମଳ ହୋଇଥାଏ । ପିଲାଙ୍କ କ୍ଷେତ୍ରରେ ଯକୃତ ସଂକ୍ରମଣ ହୋଇ ହେପାଟାଇଟିସ ଏ ଭୁତାଣୁ ଦ୍ୱାରା ଏହି ରୋଗ ହୋଇଥାଏ । ସେହପରି ଗର୍ଭଧାରଣ ସମୟରେ ମା ମାନଙ୍କୁ ହେପାଟାଇଟିସ ଇ ହେଲେ ତାହା କ୍ଷତିକାରକ ହୋଇଥାଏ । ତେଣୁ ଗର୍ଭଧାରଣ ସମୟରେ ଦୂଷିତ ଖାଦ୍ୟ ଓ ପାଣିଠାରୁ ଦୁରେଇ ରହିବା ଦରକାର। ସେହପରି ହେପାଟାଇଟିସ ବି ଓ ସି ରକ୍ତ ସଂକ୍ରମଣ କିମ୍ବା ଯୌନସଂପର୍କ ଦ୍ୱାରା ହୋଇଥାଏ। ନିୟମିତ ମଦ୍ୟପାନ ବି ଏହାର ଅନ୍ୟତମ ମୁଖ୍ୟକାରଣ । ପିଲାମାନଙ୍କୁ ଯଥା ସମୟରେ ଡାକ୍ତରଖାନା ପକ୍ଷରୁ ଉପଲବ୍ଧ ମାଗଣା ହେପାଟାଇଟିସ ଟିକା ବିନା ମୂଲ୍ୟରେ ଦିଆଯାଉଥିବାରୁ ଏହାର ସୁଯୋଗ ସମସ୍ତେ ନେବା ଜରୁରୀ ବୋଲି ଶ୍ରୀ ଅସଲମ କହିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ ସଂଯୋଜକ ଅପର୍ଣ୍ଣା ମହାପାତ୍ର, ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳି ପ୍ରଧାନ, ବିଜୟ କୁମାର ଜେନା, ଅଙ୍ଗନବାଡି କର୍ମୀ ଶୁଭଲକ୍ଷ୍ମୀ ରାଉତ, ଆଶାକର୍ମୀ ପୁଷ୍ପଲତା ସାହୁ ଓ ଗାଁ କଲ୍ୟାଣ ସମିତିର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହିତ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ।
ଆଠଗଡ ଡାକ୍ତରଖାନା
ବିଶ୍ୱ କାମଳ ଦିବସ ଅବସରରେ ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର କାମଳ ବା ହେପାଟାଇଟିସ ରୋଗର ପ୍ରକାର ଭେଦ, କାରଣ, ଲକ୍ଷଣ, ନିରାକରଣ ଓ ଟୀକାଦାନର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପାଣି ଯୋଗଦେଇ ହେପାଟାଇଟିସ ବା କାମଳ ରୋଗର ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ଉପରେ ପ୍ରଭାବ ସଂପର୍କରେ ଆଲୋଚନା କରିବା ସହ ଗର୍ଭବତୀ ମାଆ ଓ ଶିଶୁଙ୍କୁ ଯଥା ସମୟରେ ହେପାଟାଇଟିସ ଟୀକାଦାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ସମ୍ମାନିତ ଅତିଥିରୂପେ ଡାକ୍ତର ଅଶୋକ ଦାସ, ରୋଗୀ କଲ୍ୟାଣ ସମିତିର ସଦସ୍ୟ ସନାତନ ରାୟ, ରାକେଶ ଦାଶ, ସୁଧାକର ସାହୁ, କଲ୍ୟାଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଡାକ୍ତରଖାନାର କର୍ମଚାରୀଙ୍କୁ ହେପାଟାଇଟିସ ବି ଟୀକା ଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଫର୍ମାଶିଷ୍ଟ ଜୟଦେବ ପାତ୍ର, ଏଲଏଚଭି ମଞ୍ଜୁଲତା ନାଏକ, ଏଏନଏମ ରେଣୁବାଳା ଦାସ ଓ ଶୁଭଲକ୍ଷ୍ମୀ ପ୍ରଧାନ ପ୍ରମୁଖ ପରିଚାଳନା କରିବା ସହ କର୍ମଚାରୀଙ୍କୁ ଟୀକା ଦେଇଥିଲେ।
ଆଦର୍ଶ କାରାଗାରରେ ବିଶ୍ୱ କାମଳ ଦିବସ
ଖୁଣ୍ଟୁଣୀସ୍ଥିତ ନୂତନ ଆଦର୍ଶ କାରାଗାରରେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବିଶ୍ୱ କାମଳ ଦିବସ ଅବସରରେ ସଚେତନତା ସୃଷ୍ଟି କରାଯିବା ସହ କାରାଗାର ଅନ୍ତେବାସୀଙ୍କର ହେପାଟାଇଟିସ ପରୀକ୍ଷଣ କରାଯାଇଥିଲା । ଏଥିରେ ଉପଖଣ୍ଡ ଚିକିତ୍ସାଳୟର ପରିଚାଳକ ପୂଜାଲିନ ମିଶ୍ର, ଆଇସିଟିସି ପରାମର୍ଶଦାତା ଗୀତାଞ୍ଜଳି ନାଏକ ଓ ଲାବୋରାଟୋରୀ ଟେକ୍ନିସିଆନ ସୁକାନ୍ତ ସେଠୀ ପ୍ରମୁଖ ଯୋଗଦେଇ କାମଳ ରୋଗ କଣ, ଏହାର କାରଣ, ଲକ୍ଷଣ, ନିରାକରଣ ଏବଂ ଚିକିତ୍ସା ସଂପର୍କରେ କାରାଗାର ଅନ୍ତେବାସୀ ଓ କର୍ମଚାରୀଙ୍କୁ ବୁଝାଇଥିଲେ । ଏହି ଅବସରରେ କାରଗାରର ୯୧ଜଣ କଏଦୀ ଏଚଆଇଭି ଓ ହେପାଟାଇଟିସ ପରୀକ୍ଷା କରାଯାଇଥିଲା। କାରାଗାର ଅଧିକ୍ଷକ ସୁଶାନ୍ତ କୁମାର ରାଉତ ଏହି ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
Comments are closed.