ହୃଦୟ ପାଇଁ ହୃଦୟ

କଥାରେ ଅଛି ସୁସ୍ଥ ଶରୀରେ ସୁସ୍ଥ ମନ। ହୃତ୍‌ପିଣ୍ଡ ହେଉଛି ଶରୀରର ପ୍ରାଣକେନ୍ଦ୍ର। ହୃତ୍‌ପିଣ୍ଡ ହେଉଛି ଶରୀରର ଏମିତି ଏକ ଅଙ୍ଗ ଯାହାର ସ୍ପନ୍ଦନରେ ଶରୀରର ଅନ୍ୟାନ୍ୟ ଅଙ୍ଗକୁ ରକ୍ତ ଓ ଅମ୍ଳଜାନ ସଂଚାଳିତ ହୋଇଥାଏ ଏବଂ ଅନ୍ୟ ସବୁ ଅଙ୍ଗ ସୁଚାରୁ ରୂପେ କାର୍ଯ୍ୟ କରିଥାଏ। ତେଣୁ ଏହା କୁହାଯାଇପାରେ ଯେ ସୁସ୍ଥ ହୃଦୟେ ସୁସ୍ଥ ମନ। ବର୍ତ୍ତମାନ ପୃଥିବୀରେ ହୃଦୟ ରୋଗ ହେଉଛି ସବୁଠାରୁ ବଡ଼ ଗୁରୁତର ସମସ୍ୟା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ହୃଦ୍‌ଘାତ ଓ ପକ୍ଷାଘାତ ଦ୍ବାରା ବିଶ୍ବରେ ସବୁଠାରୁ ଅଧିକ ମୃତ୍ୟୁ ହୋଇଥାଏ। ଭାରତରେ ଏହି ସମସ୍ୟା କିଛି ଅଲଗା ନୁହେଁ। ଭାରତରେ ସମସ୍ତ ମୃତ୍ୟୁର ପ୍ରାୟ ଏକ ପଞ୍ଚମାଂଶ ମୃତ୍ୟୁ (୨୧.୫%) କେଳବ ହୃଦ୍‌ଘାତ ଓ ପକ୍ଷାଘାତ ଯୋଗୁଁ ହୋଇଥାଏ। ଯଦିଓ ହୃଦ୍‌ଘାତର ସଂଖ୍ୟା ବିକଶିତ ଦେଶମାନଙ୍କରେ କମିକମି ଯାଉଛି, ଭାରତପରି ବିକାଶଶୀଳ ଦେଶରେ ଏହାର ମାତ୍ରା ବଢ଼ିବାରେ ଲାଗିଛି। ଭାରତରେ (୨୯-୬୯) ବର୍ଷ ବୟସ ସୀମାରେ ପ୍ରାୟ ପ୍ରତି ଏକ ହଜାର ଲୋକରେ ୬୪.୩୭ ଲୋକଙ୍କୁ ହୃଦ୍‌ଘାତ ହୋଇଥାଏ। ଏଥିରେ ମହିଳାମାନେ ମଧ୍ୟ ଏକା ଭାବରେ ପ୍ରଭାବିତ ହୋଇଥାନ୍ତି। ବିକଶିତ ଦେଶ ତୁଳନାରେ ଭାରତ, ପାକିସ୍ତାନ, ବାଙ୍ଗଳାଦେଶ, ଶ୍ରୀଲଙ୍କା, ନେପାଳରେ ଯୁବା ବୟସରେ (ବୟସ ୪୫ରୁ କମ୍‌) ହୃଦ୍‌ଘାତ ସଂଖ୍ୟା ସବୁଠାରୁ ଅଧିକ। ମୋଟାମୋଟି ଭାବେ ଆମେରିକୀୟ, ୟୁରୋପୀୟଙ୍କ ତୁଳନାରେ ଭାରତୀୟଙ୍କୁ ପ୍ରାୟ ୧୦ ବର୍ଷ ଆଗରୁ ହୃଦ୍‌ଘାତ ହୋଇଥାଏ।
ଭାରତରେ ଏହାର ପ୍ରକୋପ କାହିଁକି ସବୁଠାରୁ ଅଧିକ? ଏହାର ବହୁତ କାରଣ ଅଛି। ୧୫ ବର୍ଷରୁ ଅଧିକ ବୟସର ପ୍ରାୟ ୨୩ କୋଟି ପଚାଶ ଲକ୍ଷ ଲୋକ ତମାଖୁ ସେବନ କରନ୍ତି। ଭାରତର ପ୍ରାୟ ଏକ ତୃତୀୟାଂଶ ଲୋକ ବିଭିନ୍ନ ଉପାୟରେ ତମାଖୁ ସେବନ କରନ୍ତି। ସେଥି ମଧ୍ୟରୁ ବିଡ଼ି, ସିଗାରେଟ, ଗଞ୍ଜେଇ, ଗୁଟଖା, ନାସ, ଗୁଡ଼ାଖୁ ଅନ୍ୟତମ। କେବଳ ତମାଖୁ ବାର୍ଷିକ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ମରଣ ମୁଖକୁ ଠେଲିଥାଏ। ଏହା ଏକ ଚିନ୍ତାଜନକ ବିଷୟ ଯେ ତମାଖୁ ବ୍ୟବହାର ଅଳ୍ପ ବୟସ ଅଳ୍ପ ଆୟ ଏବଂ ଗ୍ରାମୀଣ ଅଞ୍ଚଳର ଲୋକଙ୍କ ମଧ୍ୟରେ ଦ୍ରୁତଗତିରେ ବଢ଼ି ଚାଲିଛି। ଖାଦ୍ୟପେୟରେ ଅନିୟମିତତା ଏବଂ ଅସାବଧାନତା, ଯେମିତିକି ଯଥେଷ୍ଟ ଫଳମୂଳ, ତଟକା ପନିପରିବା ନଖାଇବା, ଅତ୍ୟଧିକ ଚର୍ବି ଜାତୀୟ ଖାଦ୍ୟ, ତେଲ ମସଲା ଖାଇବା, ରିଫାଇନ୍‌ଡ୍‌ ଚାଉଳ, ଚୂନା ବ୍ୟବହାର କରିବା ହେଉଛି ହୃଦୟ ରୋଗର ଅନ୍ୟତମ କାରଣ। ଆଜିର ଅତ୍ୟାଧୁନିକ ବିଜ୍ଞାନ ଯୁଗରେ ଯନ୍ତ୍ରପାତି ମଣିଷର କାମକୁ ସରଳ କରିବା ସଙ୍ଗେସଙ୍ଗେ ତାକୁ ଅଳସୁଆ ମଧ୍ୟ କରିଦେଇଛି। ଶାରୀରିକ ବ୍ୟାୟାମର ଅଭାବ, ବିଳାସମୟ ଜୀବନଯାପନ ମେଦ ବହୁଳତାର ମୁଖ୍ୟ କାରଣ ଏବଂ ହୃଦ୍‌ରୋଗର ଜନକ।
ବହୁତ ସମୟରେ ଲୋକେ ଛାତି ବଥା, ଧଇଁସଇଁ ଲାଗିବା, ପାଦ ଫୁଲିବା, ମୁଣ୍ଡ ବୁଲାଇ ପଡ଼ିଯିବା, ହୃଦ୍‌ସ୍ପନ୍ଦନ ବଢ଼ିଯିବା ଭଳି ଲକ୍ଷଣକୁ ହାଲ୍‌କା ଭାବେ ନେଇଥାନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ ନେଲାବେଳକୁ ତାହା ବିଳମ୍ବ ହୋଇଯାଇଥାଏ। ଲୋକେ ପ୍ରାୟ ଛାତି ବଥାକୁ ଅମ୍ଳଦୋଷ, ପିତ ଦୋଷ ଭାବି ଘରୋଇ ଉପଚାର ଏବଂ ଆଣ୍ଟାସିଡ୍‌ ଖାଇ ରହିଯାଆନ୍ତି। ଯାହାଦ୍ବାରା ରୋଗୀ ହୃଦ୍‌ଘାତ ଭଳି ମାରାତ୍ମକ ରୋଗର ଉପଚାର କରିବାର ସୁବର୍ଣ୍ଣ ସୁଯୋଗ ହରାଇ ବସିଥାନ୍ତି। ଯଦି ଛାତିରେ ଯନ୍ତ୍ରଣା ହୁଏ ଖାସ୍‌ କରି ଚାଲିଲେ, ଉଠାଣି କିମ୍ବା ଶିଡି ଚଢ଼ିଲେ, ପରିଶ୍ରମ କଲେ ଏବଂ ବିଶ୍ରାମ ନେଲେ ଭଲ ହୋଇଯାଏ ତେବେ ତାହା ହୃଦ୍‌ଘାତର ଲକ୍ଷଣ ହୋଇପାରେ। ସେହିପରି ଶ୍ବାସ ଫୁଲିବା ଧଇଁସଇଁ ଲାଗିବା, ହୃଦୟର ସ୍ପନ୍ଦନ ଦ୍ରୁତଗତିରେ ହେବା, ଆଖି ଅନ୍ଧାର ହୋଇ ଚେତା ହରାଇବା ହୃଦୟ ରୋଗର ଲକ୍ଷଣ ହୋଇପାରେ।
କଥାରେ ଅଛି Prevention is better than cure. ଅର୍ଥାତ୍‌ ଚିକିତ୍ସା କରାଇବା ଅପେକ୍ଷା, ରୋଗ ନ ହେଲାଭଳି ପ୍ରତିଷେଧ କରିବା ଭଲ। ହୃଦୟ ରୋଗର ପ୍ରତିଷେଧ ପାଇଁ, ଜୀବନ ଶୈଳୀ, ଖାଦ୍ୟପେୟ ଓ ଓଜନ ଉପରେ କଡ଼ା ନଜର ରଖିବା ଉଚିତ। ଦିନକୁ ପ୍ରାୟ ୨୦୦ ଗ୍ରାମ ଫଳ ଓ ୨୦୦ ଗ୍ରାମ ପନିପରିବା ଖାଇବା ଉଚିତ। ବାହାରର ଫାଷ୍ଟଫୁଡ ଯେଉଁଥିରେ କି ଅତ୍ୟଧିକ ତେଲ, ଲୁଣ, ରାସାୟନିକ ଦ୍ରବ୍ୟ ଥାଏ ତାହା ଉଚ୍ଚ ରକ୍ତଚାପ ଓ ରକ୍ତରେ କୋଲେଷ୍ଟ୍ରଲ ମାତ୍ରା ବଢ଼ାଇଥାଏ ଦୈନିକ ମୁଣ୍ଡପିଛା ୫ ଗ୍ରାମରୁ କମ୍‌ ଲୁଣ ଖାଇବା ଉଚିତ। ଏହାଦ୍ବାରା ରକ୍ତଚାପ, କିଡନୀ, ଶିରା, ପ୍ରଶିରା ଉପରେ ପ୍ରଭାବ କମ୍‌ ପଡ଼ିଥାଏ। ଯଦି ଉଚ୍ଚ ରକ୍ତଚାପ ଦ୍ବାରା ଆକ୍ରାନ୍ତ ଏବଂ ଔଷଧ ଖାଉଥାନ୍ତି ତା’ହେଲେ ଲୁଣର ମାତ୍ରା ୧.୫ ଗ୍ରାମରୁ କମ୍‌ ହେବା ଉଚିତ୍‌। ତଟକା ପନିପରିବା, ଫଳମୂଳରେ ଅତ୍ୟଧିକ ପୋଟାସିୟମ୍‌
ଥାଏ ତାହା ରକ୍ତଚାପ କମ୍‌ କରିବାରେ ସାହାଯ୍ୟ କରେ। ସାପ୍ତାହିକ ୨ରୁ ୩ ଥର ମାଛ ଖାଇବା ଦ୍ବାରା ସେଥିରେ ଥିବା ଓମେଗା-୩ ଫେଟିଏସିଡ୍‌ ହୃଦୟ ପାଇଁ ଉପକାରୀ ହୋଇଥାଏ। ଖାଇବା ତେଲ ମୁଣ୍ଡପିଛା ମାସିକ ୫୦୦ ମିଲିଲିଟରରୁ କମ୍‌ ହେବା ଆବଶ୍ୟକ ଏବଂ ଏହା ଉଦ୍ଭିଦ ଜାତୀୟ ତେଲ ହେବା ଉଚିତ।
ନିଜର ଓଜନ ଉପରେ କଡ଼ା ନଜର ରଖିବା ଉଚିତ। କାରଣ ମେଦ ବହୁଳତା, ମଧୁମେହ, ହୃଦୟରୋଗ ଓ ଫୁସ୍‌ଫୁସ୍‌ ରୋଗକୁ ପ୍ରଶ୍ରୟ ଦେଇଥାଏ। ଖାସ୍‌କରି ପେଟରେ ଚର୍ବି ବଢ଼ିବା ମାରାତ୍ମକ। ନିୟମିତ ବ୍ୟାୟାମ କରି ଶରୀରର ଓଜନକୁ ସନ୍ତୁଳିତ ରଖିବା ଦ୍ବାରା ହୃଦୟ ସୁସ୍ଥ ଓ ଦୃଢ଼ ରହିଥାଏ।
ଏହା ଆପଣଙ୍କ ହୃଦୟ। ଏହାର ଯତ୍ନ ନେବା ମଧ୍ୟ ଆପଣଙ୍କ ଦାୟିତ୍ବ। ତେଣୁ ଆଜିର ଏହି ବିଶ୍ବ ହୃତ୍‌ପିଣ୍ଡ ଦିବସରେ ନିଜ ହୃଦୟର ଯତ୍ନ ନେବାପାଇଁ ଶପଥ ନେବା। ସମସ୍ତେ ହୃଦୟର ସହିତ ନିଜନିଜ ହୃଦୟର ଯତ୍ନ ନେବା ଏବଂ ଅନ୍ୟମାନଙ୍କୁ ଯତ୍ନ ନେବାରେ ପ୍ରେରଣା ଦେବା।
ଆମକୁ ଆଜିଠୁ ହିଁ ସତର୍କ ରହି କାମ କରିବାକୁ ପଡ଼ିବ ଯେମିତି ଆଗାମୀ ଦିନଟି ମଙ୍ଗଳମୟ ହେବ। ତେବେ ଯାଇ ଏହି ବର୍ଷ (୨୦୨୨) ବିଶ୍ବ ହୃତ୍‌ପିଣ୍ଡ ଦିବସର ସ୍ଳୋଗାନ୍‌ “Use Heart for Every Heart” ସଫଳ ହେବ।

prayash

ଡା. ବଦ୍ରି ଦଣ୍ଡପାଣି
ଏମ୍‌.ବି.ବି.ଏସ, ଏମ୍‌.ଡି, ମେଡିସିନ୍‌ (ନାସିକ୍‌)
ଡି.ଏମ୍‌ କାର୍ଡିଓଲୋଜି, ହୃଦୟରୋଗ ବିଶେଷଜ୍ଞ
(ବୟସ୍କ ଓ ଶିଶୁ)

kalyan agarbati

Comments are closed.