ଟଣ୍ଟନ୍: ସୋମବାର ଚଳିତ ଆଇସିିସି ବିଶ୍ବକପ୍ରେ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ବିଶ୍ବକପ୍ର ଏହି ୨୪ତମ ମୁକାବିଲା ଉଭୟ ଦଳଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। କାରଣ ସେମିଫାଇନାଲ ରାସ୍ତା ଉନ୍ମୁକ୍ତ ରଖିବାକୁ ହେଲେ ଉଭୟ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶକୁ ଏହି ମ୍ୟାଚ୍ ନିଶ୍ଚିତ ଜିତିବାକୁ ପଡ଼ିବ। ପଏଣ୍ଟ ଟେବୁଲରେ ଉଭୟ ଦଳଙ୍କ ସ୍ଥିତି ସମାନ। ୱେଷ୍ଟଇଣ୍ଡିଜ ୪ଟି ମ୍ୟାଚ୍ ଖେଳି ପ୍ରଥମ ମ୍ୟାଚ୍ ଜିତିଛି; ୨ଟି ହାରିଛି ଏବଂ ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି। ବାଂଲାଦେଶ ମଧ୍ୟ ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିପର୍ୟ୍ୟୟ ଭୋଗିଥିବା ବେଳେ ୨ଟି ମ୍ୟାଚ୍ରେ ପରାସ୍ତ ହୋଇଛି ଏବଂ ଏହାର ଗୋଟିଏ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଛି। ଉଭୟ ଦଳ ୪ ପଏଣ୍ଟ ଲେଖାଏଁ ପାଇ ଟେବୁଲର ୬ଷ୍ଠ ଓ ୭ମ ସ୍ଥାନରେ ରହିଛନ୍ତି। ସେମିଫାଇନାଲ ଖେଳିବାକୁ ହେଲେ ଉଭୟ ଦଳଙ୍କୁ ବାକି ୫ଟିରୁ ଅତିକମ୍ରେ ୪ଟି ଜିତିବାକୁ ପଡ଼ିବ। ଅଦ୍ୟାବଧି ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ଦଳର ପ୍ରଦର୍ଶନରେ ବିଶେଷ ଫରକ ଦେଖିବାକୁ ମିଳିନାହିଁ। ତେଣୁ ସୋମବାର ଉଭୟ ଦଳଙ୍କ ମଧ୍ୟରେ ରୋଚକ ମୁକାବିଲା ଦେଖିବାକୁ ମିଳିବ ବୋଲି କ୍ରିକେଟ ସମୀକ୍ଷକ ପୂର୍ବାନୁମାନ କରିଛନ୍ତି।
ଗୋଟିଏ ଲେଖାଏଁ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିବାରୁ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶ ପଏଣ୍ଟ ଭାଗ କରିଛନ୍ତି। ତେଣୁ ଏହାର ପୁନରାବୃତ୍ତି ନହେଉ ବୋଲି ଉଭୟ ଦଳ ଚାହିଁବେ। ପ୍ରଥମ ମ୍ୟାଚ୍ରେ ଅଗ୍ନବର୍ଷୀ ଫାଷ୍ଟବୋଲିଂ କରି ଯେପରି ପାକିସ୍ତାନ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ଚମକଦାର ପ୍ରଦର୍ଶନ କରି ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିଲା; ପରବର୍ତ୍ତୀ ୨ଟି ମ୍ୟାଚ୍ରେ ଏପରି ପ୍ରଦର୍ଶନ ଦୋହରାଇ ପାରିନାହିଁ ଇଣ୍ଡିଜ୍ ଦଳ। ଓସାନେ ଥମାସ୍, ଅଧିନାୟକ ଜେସନ୍ ହୋଲ୍ଡର ଓ ଆେନ୍ଦ୍ର ରସେଲ ମିଳିତ ଭାବେ ୯ଟି ୱିକେଟ ନେବାରୁ ପାକିସ୍ତାନ ୧୦୫ ରନ୍ରେ ଅଲ୍ଆଉଟ ହୋଇଥିଲା। ୨ୟ ମ୍ୟାଚ୍ରେ ମଧ୍ୟ ୱେଷ୍ଟଇଣ୍ଡିଜ୍ ଫାଷ୍ଟବୋଲର ଏହି ପ୍ରଦର୍ଶନ ବଜାୟ ରଖିଥିଲେ। ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ସେମାନେ ଘାତକ ବୋଲିଂ କରିବାରୁ ୭୯ ରନ୍ରେ ଅଷ୍ଟ୍ରେଲିଆ ୫ଟି ୱିକେଟ ହରାଇଥିଲା। ତେବେ ଷ୍ଟିଭେନ୍ ସ୍ମିଥ୍ ଓ ନାଥାନ୍ କୌଲ୍ଟର-ନାଇଲ୍ଙ୍କ ଲଢ଼ୁଆ ଇନିଂସ ଯୋଗୁଁ ଅଷ୍ଟ୍ରେଲିଆ ୨୮୮ ରନ୍ କରି ପାରିଥିଲା ଏବଂ ଏହା ବିଜୟୀ ସ୍କୋର୍ ପ୍ରମାଣିତ ହୋଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ମ୍ୟାଚ୍ରେ ସେଲ୍ଡନ କଟ୍ରେଲ ଜଲ୍ଦି ୨ଟି ୱିକେଟ ନେବା ପରେ ବର୍ଷା ଯୋଗୁଁ ମ୍ୟାଚ୍ ବାତିଲ ହୋଇ ଯାଇଥିଲା। ଇଂଲଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଦଳକୁ ନିରାଶ କରିଥିଲେ। ନିକୋଲାସ୍ ପୁରନ୍ ଅର୍ଦ୍ଧଶତକ ହାସଲ କରିଥିବା ବେଳେ କ୍ରିସ୍ ଗେଲ୍ ଓ ସିମ୍ରନ ହେତ୍ମେୟର ଉପଯୋଗୀ ଇନିଂସ ଖେଳିଥିଲେ। ତେଣୁ ମ୍ୟାଚ୍ ଜିତିବା ପାଇଁ ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।
ଏସୀୟ ଦେଶ ବାଂଲାଦେଶ ଅଦ୍ୟାବଧି ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲେ ହେଁ ମାତ୍ର ଗୋଟିଏ ମ୍ୟାଚ୍ ଜିତିପାରିଛି। ସାକିବ୍ ଅଲ୍ ହାସନ୍ ଓ ମୁସ୍ଫିକୁର ରହିମ୍ଙ୍କ ଚମତ୍କାର ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶ ୩୩୦ ରନ୍ କରି ବିଜୟୀ ହୋଇ ପାରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ପର୍ୟ୍ୟନ୍ତ ଲଢ଼ିଥିଲା ଏବଂ ମାତ୍ର ୨ ୱିକେଟରେ ପରାସ୍ତ ହୋଇଥିଲା। ତେବେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ୩ୟ ମ୍ୟାଚ୍ରେ ବାଂଲାଦେଶ ବୋଲିଂକୁ ଆକ୍ରମଣ କରିବାର ନିଷ୍ପତ୍ତି ନେଇଥିଲେ। ପରେ ସାକିବ୍ ଅଲ୍ ହାସନ୍ ଶତକ ମାରିଥିଲେ ହେଁ ବାଂଲାଦେଶ ଶତାଧିକ ରନ୍ରେ ପରାସ୍ତ ହୋଇଥିଲା। ୩ଟିଯାକ ମ୍ୟାଚ୍ରେ ସାକିବ୍ ଅଲ୍ ହାସନ୍ ଚମ୍ପିଆନ୍ଙ୍କ ପରି ବ୍ୟାଟିଂକରି ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ମାରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶର ୪ର୍ଥ ମ୍ୟାଚ୍ ବାତିଲ ହୋଇ ଯାଇଥିଲା। ବାଂଲାଦେଶର ବ୍ୟାଟ୍ସମ୍ୟାନ୍ ଏବଂ ସ୍ପିନର ଭଲ ପ୍ରଦର୍ଶନ କରିଥିଲେ ହେଁ ପେସ୍ ବୋଲରଙ୍କୁ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପଡ଼ିବ। କେବଳ ପଏଣ୍ଟ ଟେବୁଲ୍ରେ ନୁହେଁ; ଆଇସିସି ଦିିନିକିଆ ମାନ୍ୟତାରେ ମଧ୍ୟ ଇଣ୍ଡିଜ ଓ ବାଂଲାଦେଶ ପାଖାପାଖି ଅଛନ୍ତି। ତେଣୁ ଉଭୟ ଦଳଙ୍କ ମଧ୍ୟରେ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।



