ମାଞ୍ଚେଷ୍ଟର: ଦିିନିକିଆ କ୍ରିକେଟ ଇତିହାସରେ ଭାରତଠାରୁ ବହୁତ ଆଗରେ ରହିଛି ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ। ତେବେ ବିଶ୍ୱକପ୍ରେ ଭାରତ ବିପକ୍ଷରେ ଖେଳିବା ଯେପରି ପାକିସ୍ତାନ ପାଇଁ ଅଭିଶାପ ପାଲଟିଯାଇଛି। ରବିବାର ମାଞ୍ଚେଷ୍ଟର ମୁକାବିଲାକୁ ମିଶାଇ ପାକିସ୍ତାନ ବିପକ୍ଷରେ ଭାରତ ୭ ଥର ଖେଳିଛି ଏବଂ ୭ମ ଥର ପାଇଁ ବିଜୟ ହାସଲ କରିଛି। ଏହି ମ୍ୟାଚ୍ ପୂର୍ବରୁ ୧୯୯୨ରୁ ୨୦୧୫ ପର୍ୟ୍ୟନ୍ତ ବିଶ୍ୱକପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ୬ଟି ମୁକାବିଲା ହୋଇଥିଲା। ପ୍ରତ୍ୟେକ ଥର ଭାରତୀୟ ଦଳ ବିଜୟୀ ହୋଇଥିଲା। ରବିବାର ମ୍ୟାଚ୍ରେ ମଧ୍ୟ ଭାରତ ଏହି ଧାରା ବଜାୟ ରଖି ପାରିଥିଲା।
ତେବେ ମାଞ୍ଚେଷ୍ଟର ବିଜୟର ବିଶେଷତ୍ବ ଏହା ଯେ ବିଶ୍ୱକପ୍ରେ ଏହା ପାକିସ୍ତାନ ବିପକ୍ଷରେ ଭାରତର ସର୍ବବୃହତ୍ ବିଜୟ। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍କୁ ଭାରତ ଡକ୍ୱର୍ଥ-ଲୁଇସ୍ ନିୟମରେ ୮୯ ରନ୍ରେ ପରାସ୍ତ କରିଛି। ୨୦୧୫ ବିଶ୍ୱକପ୍ରେ ଆଡିଲେଡ୍ରେ ଖେଳା ଯାଇଥିବା ମ୍ୟାଚ୍ରେ ବିରାଟ କୋହଲିଙ୍କ ଶତକ ବଳରେ ପାକିସ୍ତାନକୁ ଭାରତ ୭୬ ରନ୍ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ଭାରତ ଉକ୍ତ ବିଜୟ ବ୍ୟବଧାନକୁ ଅତିକ୍ରମ କରିଛି। ୨୦୧୭ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଫଖର ଜମାନ୍ଙ୍କ ଶତକ ବଳରେ ଭାରତକୁ ପରାସ୍ତକରି ଚମ୍ପିଆନ୍ ହୋଇଥିଲା। ଏହି ବିଜୟ ସହ ଭାରତ ଉକ୍ତ ପରାଜୟର ପ୍ରତିଶୋଧ ନେଇପାରିଛି।




