ଜନ୍ମର ଏକ ଘଣ୍ଟା ମଧ୍ୟରେ ମା’ ନବଜାତକୁ କ୍ଷୀର ପିଆଇବା ଦରକାର

ବିଶ୍ୱ ମାତୃ ସ୍ତନ୍ୟପାନ ସପ୍ତାହ ଉଦ୍‍ଘାଟିତ

କେନ୍ଦୁଝରଗଡ଼ : ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମାତୃ ସ୍ତନ୍ୟପାନ ସପ୍ତାହ କାର୍ଯ୍ୟକ୍ରମକୁ ଜିଲା ମୁଖ୍ୟଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟିସମୂହ ସ୍ୱାକ୍ଷର ଅଭିଯାନରେ ପ୍ରଥମେ ଦସ୍ତଖତ କରି ଶୁଭାରମ୍ଭ କରିଛନ୍ତି। ଭାରତୀୟ ଚିକିତ୍ସକ ସଂଘ କେନ୍ଦୁଝର ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ଉମେଶ ଚନ୍ଦ୍ର ସାହୁ, ଭାରତୀୟ ଶିଶୁ ଚିକିତ୍ସକ ଏକାଡେମୀ ପକ୍ଷରୁ ଡାକ୍ତର ମହେଶପ୍ରସାଦ ମହାନ୍ତ, ଡାକ୍ତର ଅଜୟ କୁମାର ମହାନ୍ତି, ସ୍ତ୍ରୀ ଓ ପ୍ରସୂତୀ ସଂଘ ପକ୍ଷରୁ ଡାକ୍ତର ମମତାରାଣୀ ଜେନା, ଡାକ୍ତର ଆଶୀଷ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ନର୍ସିଂ ଛାତ୍ରୀମାନଙ୍କ ଦ୍ୱାରା ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ମା’ ନବଜାତକୁ କ୍ଷୀର ଦେବା ଆରମ୍ଭ କରିବା ଜରୁରୀ ବୋଲି ଭାରତୀୟ ଶିଶୁ ଚିକିତ୍ସକ ଏକାଡେମୀ ପକ୍ଷରୁ ଡାକ୍ତର ମହେଶପ୍ରସାଦ ମହାନ୍ତ କହିଥିଲେ। ଶିଶୁ ଜନ୍ମର ପ୍ରଥମ ୬ମାସ କେବଳ ମା’ କ୍ଷୀର ଦେବା, ୬ମାସ ପରେ ପରିପୂରକ ବହଳ ଖାଦ୍ୟ ଆରମ୍ଭ କରିବା ଓ ପାଖାପାଖି ୨ବର୍ଷ ପର୍ଯ୍ୟନ୍ତ ଶିଶୁକୁ ମା’ କ୍ଷୀର ଚାଲୁ ରଖିବା ନିହାତି ଜରୁରୀ ବୋଲି ଡାକ୍ତର ଶ୍ରୀ ମହାନ୍ତ କହିଥିଲେ। ଏହାସତ୍ତେ୍ୱ ଭାରତରେ ମାତୃ ସ୍ତନ୍ୟପାନ ହାର କମ୍‍ ରହିଛି।

prayash

ଜାତୀୟ ପରିବାର ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧ ଅନୁଯାୟୀ ପ୍ରାୟ ୯୦ପ୍ରତିଶତ ମହିଳା ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେପ୍ରସବ କରୁଛନ୍ତି,କିନ୍ତୁ କେବଳ ୪୨ପ୍ରତିଶତ ମହିଳା ଜନ୍ମର ପ୍ରଥମ ଘଣ୍ଟାରେ ସ୍ତନ୍ୟପାନ କରାଉଥିବା ବେଳେ ୬୪ପ୍ରତିଶତ ମା’ ଶୂନରୁ ୬ମାସ ମଧ୍ୟରେ ଶିଶୁଙ୍କୁ ସ୍ତନ୍ୟପାନ କରାଇଥାନ୍ତି। ଯଦିଓ ସମସ୍ତେ ଜାଣନ୍ତି, ଜନ୍ମ ହେବାପରେ ଯେତେ ଶିଘ୍ର ସମ୍ଭବମା’ଶିଶୁକୁ ସ୍ତନ୍ୟପାନ କରାଇବା ଆବଶ୍ୟକ, ପ୍ରଥମ ଦୁଇ ତିନିଦିନ ମା’ର କଷ କ୍ଷୀର ପରିମାଣରେ ଅଳ୍ପ ହୋଇଥିବାରୁ ସମସ୍ତେ ବ୍ୟସ୍ତ ହୋଇପଡିଥାନ୍ତି। ଏଥିସହ ଅନଭିଜ୍ଞ ମା’ମାନେ ଶିଶୁକୁ ଠିକ୍‍୍‍ ଭାବେ ସ୍ତନ୍ୟରେ ଲଗାଇବାରେ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ଆବଶ୍ୟକ କରନ୍ତି। ପ୍ରସବଶ୍ରମରେ ଥକି ଯାଇଥିବା ମା’କୁ ରାତି ରାତି ଅନିଦ୍ରା ହେବାକୁ ପଡୁଥିବାରୁ ବିଶେଷକରି ରାତିରେ ଶିଶୁ ପ୍ରତି ୨ଘଣ୍ଟାରେ ଖାଇବା ପାଇଁ ଉଠି ପଡୁଥିବାରୁ ମା’କୁ ବିଶ୍ରାମ ଅବସର ଦେବା ଆବଶ୍ୟକ ହୋଇପଡିଥାଏ ବୋଲି ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡାକ୍ତର ମମତାରାଣୀ ଜେନା ଏହା କହିଛନ୍ତି। ମା’ମାନେ ସ୍ତନ୍ୟପାନ କରାଇବା ସହିତ ନିଜ ନିଜ କାର୍ଯ୍ୟ ସୁଚାରୁରୂପେ କରିପାରିବେ ଯଦି ସେମାନଙ୍କୁ ସମାଜ କିଛି ସହଯୋଗ କରିପାରିବ।

ଏବେ ମା’ମାନଙ୍କ ପାଇଁ ସରକାର ମାତୃତ୍ୱ ଛୁଟି ଦିବସ ବୃଦ୍ଧି କରିବା କର୍ମଜୀବୀ ମହିଳାଙ୍କ ପାଇଁ ଆର୍ଶିବାଦ ସାବ୍ୟସ୍ତ ହୋଇଛି। ପୁନଶ୍ଚ କର୍ମସ୍ଥଳୀରେ ସ୍ତନ୍ୟପାନ ବ୍ୟବସ୍ଥା କରିବା ଏକ ଯତ୍ନଶୀଳ ସମାଜର କର୍ତ୍ତବ୍ୟ। ସ୍ତନ୍ୟପାନ ଉଭୟ ମା’ ଓ ଶିଶୁର ଅଧିକାର। ତଥାପି,ଭାରତରେ କାର୍ଯ୍ୟରତ ମା’ମାନଙ୍କ ପାଇଁ ସେମାନଙ୍କର କ୍ୟାରିୟରର ଆବଶ୍ୟକତାକୁ ସ୍ତନ୍ୟପାନ କରାଇବା ଇଛା ସହିତ ସନ୍ତୁଳନ କରିବା ନିଶ୍ଚିତ ଭାବେ ଏକ ଆହ୍ୱାନ। ଏହି ସମସ୍ତ ଆହ୍ୱାନ ଗୁଡିକର ମୁକାବିଲା ପାଇଁ ଭାରତୀୟ ଶିଶୁ ଚିକିତ୍ସକ ସଂଘ ପକ୍ଷରୁ ଅଗଷ୍ଟ ୧ରୁ ୭ତାରିଖ ପର୍ଯ୍ୟନ୍ତ ବିଶ୍ୱ ମାତୃ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇ ଆସୁଛି। ଏଥିରେ ଚିକିତ୍ସାଳୟର ସମସ୍ତ ଡାକ୍ତର ଓ ନର୍ସିଂ ଅଧିକାରୀ ମାନଙ୍କର ଏକ କର୍ମଶାଳା, ପ୍ରସବ ଗୃହରେ କାର୍ଯ୍ୟରତ ସେବିକା ମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନର ନିହାତି ଆବଶ୍ୟକ ରହିଆସିଛି। ଏହି ଉପଲକ୍ଷେ ଆସନ୍ତା ୫ ତାରିଖ ଅପରାହ୍ନ ୪ଟାରେ ଧରଣୀଧର ଭେଷଜ ମହାବିଦ୍ୟାଳୟ ଅଡିଟୋରିୟମ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏଥିରେ କେନ୍ଦୁଝରର ବୁଦ୍ଧିଜୀବୀ ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେବାକୁ ଭାରତୀୟ ଶିଶୁ ଚିକିତ୍ସକ ଏକାଡେମୀ ପକ୍ଷରୁ ଡାକ୍ତର ମହେଶପ୍ରସାଦ ମହାନ୍ତ ନିବେଦନ କରିଛନ୍ତି।

Comments are closed.