ବିଶ୍ୱ ଆଲ୍ଜାଇମର୍ ଦିବସରେ ଜନସଚେତନତା
ଆଠଗଡ : ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ରାଧାଗୋବିନ୍ଦପୁର ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରଠାରେ ବିଶ୍ୱ ଆଲ୍ଜାଇମର୍ ଦିବସ ଅବସରରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମ ଏଥିରେ ସଂଯୋଜନା କରି ଆମ ଦେଶରେ ଆଲଜାଇମର୍ ରୋଗୀଙ୍କ ସଂଖ୍ୟା ପ୍ରାୟ ୪ ନିୟୁତ ହୋଇଥିବାବେଳେ ଏହା ଦିନକୁ ଦିନ ବଢୁଥିବାରୁ ତାର ନିରାକରଣ ପାଇଁ ଜନସଚେତନତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି ରୋଗ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ଦେଖାଯାଇଥାଏ । ଏହି ରୋଗର ଲକ୍ଷଣ ହେଲା ସ୍ମରଣଶକ୍ତି କମିଯିବା, ମତିଭ୍ରମ ହେବା, ନିଦ୍ରାହୀନତା ଓ ଦୁର୍ବଳ ଲାଗିବା, କୌଣସି କାର୍ଯ୍ୟ ଠିକ୍ ଭାବେ କରିନପାରିବା ଓ କଥାକହିଲା ବେଳେ ଖନିବାଜିବା ଭଳି ସମସ୍ୟା ଦେଖଯାଇଥାଏ । ଏହି ରୋଗର ନିରାକରଣ ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଆବଶ୍ୟକ । ଶାରୀରିକ, ମାନସିକ, ସାମାଜିକ ଓ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ସମୟ ବିତାଇବା, ନିୟମିତ ଯୋଗ ଓ ବ୍ୟାୟାମ କରିବା, ଶୁଭଚିନ୍ତକ, ସାଙ୍ଗସାଥୀ ଏବଂ ସଂପର୍କୀୟଙ୍କ ସହିତ ସମୟ ବିତାଇବା, ଫଳ ଓ ପନିପରିବା ଜାତୀୟ ଖାଦ୍ୟ ଗ୍ରହଣ କରିବା ନିୟମିତ ଠିକ୍ ସମୟରେ ଶୋଇବା, ରକ୍ତ ସର୍କରା ଓ ଅନ୍ୟାନ୍ୟ ପରୀକ୍ଷା କରାଇବା ପାଇଁ ଶ୍ରୀ ଅସଲମ ପରାମର୍ଶ ଦେଇଥିଲେ । ବୟସ୍କମାନେ କିପରି ଭଲରେ ରହିପାରିବେ ସେଥିପାଇଁ ଗାଁ କଲ୍ୟାଣ ସମିତି ଗୁଡିକ ଘରକୁ ଘର ବୁଲି ବୟସ୍କ ଲୋକମାନଙ୍କ ସହ ଘରେ ରହୁଥିବା ସଦସ୍ୟମାନେ ଉତ୍ତମ ବ୍ୟବହାର କରିବା ଓ ସେମାନଙ୍କ ସହିତ କଥାବାର୍ତ୍ତା କରିବା ଆଦି ସଚେତନ କରିବା ଲାଗି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି।
Comments are closed.