ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ବିଜୁ ଏକ୍ସପ୍ରେସେୱ-୨ ରାସ୍ତା କାର୍ଯ୍ୟ ହାତକୁ ନିଆଯାଇଛି:ମନ୍ତ୍ରୀ

ଭୂତଳ ଜଳସ୍ତର ବୃଦ୍ଧି ନିମନ୍ତେ ୩୧ଟି ବ୍ରିଜ୍‌-କମ-ଚେକ୍‌ ଡ୍ୟାମ୍‌ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ତ୍ତ ବିଭାଗର ପ୍ରମୁଖ କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିଛନ୍ତି। ଇସ୍ପାତ ଓ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସରକାରଙ୍କର ନିର୍ବାଚନୀ ଇସ୍ତାହାର -୨୦୧୯ର କାର୍ଯ୍ୟକାରିତା ଉପରେ ଆଲୋକପାତ କରିବା ସହିତ ଗତ ଦୁଇ ଦଶନ୍ଧି ଏବଂ ବିଗତ ଚାରି ବର୍ଷରେ ବିଭିନ୍ନ କ୍ଷେତ୍ରରେ ବିଭାଗର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ।

ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଓଡ଼ିଶାର ଉତ୍ତରରୁ ଦକ୍ଷିଣକୁ ସଂଯୋଗ କରୁଥିବା ରାଉରକେଲାଠାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସେୱ (ଦୈର୍ଘ୍ୟ – ୫୪୬ କିଲୋମିଟର) କାର୍ଯ୍ୟ ରେକର୍ଡ ସମୟ ମଧ୍ୟରେ ସମାପ୍ତ କରାଯାଇଅଛି । ବ୍ରହ୍ମପୁରଠାରୁ ଜୟପୁର ପର୍ଯ୍ୟନ୍ତ ୩୧୮ କିଲୋମିଟର ଦୀର୍ଘ ପ୍ରସ୍ତାବିତ ବିଜୁ ଏକ୍ସପ୍ରେସେୱ-୨ ରାସ୍ତା କାର୍ଯ୍ୟ ହାତକୁ ନିଆଯାଇଅଛି । ବିଜୁ ଏକ୍ସପ୍ରେସେୱ କେବଳ ଏକ ରାସ୍ତା ନୁହେଁ ବରଂ ଏହା ଏକ ଇକୋନୋମିକ୍‌ କରିଡର ଯାହା ଦକ୍ଷିଣ ଏବଂ ପଶ୍ଚିମ ଓଡିଶାର ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ।

ନିର୍ବାଚନୀ ଇସ୍ତାହାର-୨୦୧୯ରେ ୧୦୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବାବେଳେ ୬୮୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇପାରିଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୬୮୦ ପ୍ରତିଶତ ଅଟେ । ଏଥିପାଇଁ ୧୮୫୦୦ କୋଟି ଟଙ୍କା ବ୍ୟୟ କରାଯାଇଅଛି । ରାଜ୍ୟର ୨୬୭ଟି ବ୍ଲକ ମୁଖ୍ୟାଳୟକୁ ଦୁଇଲେନ ରାସ୍ତା ଦ୍ୱାରା ସଂଯୋଗ କରାଯାଇଅଛି । ଆଉ ୨୬ଟି ବ୍ଲକ ମୁଖ୍ୟାଳୟକୁ ମାର୍ଚ୍ଚ ୨୦୨୪ ଏବଂ ୨୧ଟି ବ୍ଲକ ମୁଖ୍ୟାଳୟକୁ ଜୁନ ୨୦୨୪ ସୁଦ୍ଧା ଦୁଇଲେନ ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଅଛି । ସମସ୍ତ ମ୍ୟୁନିସିପାଲ କର୍ପୋରେସନ୍‌, ୪୬ ଟି ମ୍ୟୁନିସିପାଲିଟି ଏବଂ ୬୩ ଟି ଏନ୍‌ଏସିକୁ ସବୁଦିନିଆ ଦୁଇ ଲେନ ରାସ୍ତା ଦ୍ୱାରା ସଂଯୋଗ କରାଯାଇଛି।

ମନ୍ତ୍ରୀ ଶ୍ରୀ ମଲ୍ଲିକ ପୁଣି କହିଛନ୍ତି ଯେ ୫୫ ଟି ଶିଳ୍ପାଞ୍ଚଳ ଯଥା ବଲାଙ୍ଗୀର ଜିଲ୍ଲାର ଇଣ୍ଡିଆନ୍‌ ଅର୍ଡିନାନ୍ସ ଫ୍ୟାକ୍‌ଟୋରୀ, ଢେଙ୍କାନାଳ ଜିଲ୍ଲାର ଭୂଷଣ ଷ୍ଟିଲ୍‌ ଲିଃ, ଯାଜପୁର ଜିଲ୍ଲାର ସାବିତ୍ରୀ ଇଣ୍ଡଷ୍ଟି୍ରଜ୍‌ (ପ୍ରା) ଲିଃ, ଝାରସୁଗୁଡା ଜିଲ୍ଲାର ବେଦାନ୍ତ ଲିମିଟେଡ୍‌, କେଉଁଝର ଜିଲ୍ଲାର ଟାଟା ଷ୍ଟିଲ୍‌ ଲିଃ, ଫେରୋ ଆଲଏଜ୍‌ ପ୍ଲାଣ୍ଟ, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଇତ୍ୟାଦିକୁ ଦୁଇ ଲେନ/ଚାରି ଲେନ ରାସ୍ତା ଦ୍ୱାରା ସଂଯୋଗ କରାଯାଇଅଛି । ଏତଦ୍‌ବ୍ୟତୀତ ଆଉ ୧୫ ଟି ଶିଳ୍ପାଞ୍ଚଳକୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟ ହାତକୁ ନିଆଯାଇଅଛି । ରାଜ୍ୟର ୧୨ ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯଥା ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର, ତାଳସାରି, କଟକ ଜିଲ୍ଲାର ଲଳିତଗିରି, ଗଞ୍ଜାମ ଜିଲ୍ଲାର ତାରାତାରିଣୀ, ଖୋର୍ଦ୍ଧା ଜିଲ୍ଲାର ଚିଲିକା, ଧଉଳି ଓ ସାଳିଆ ଡ୍ୟାମ୍‌, କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି, କୋରାପୁଟ ଜିଲ୍ଲାର ଗୁପ୍ତେଶ୍ୱର, ପୁରୀ ଜିଲ୍ଲାର ସାତପଡା, ସମ୍ବଲପୁର ଜିଲ୍ଲାର ହୁମା ଏବଂ ସୁନ୍ଦରଗଡ ଜିଲ୍ଲାର ଘୋଗରକୁ ୨-ଲେନ ରାସ୍ତା ଦ୍ୱାରା ସଂଯୋଗ କରାଯାଇଅଛି। ଏତଦ୍‌ବ୍ୟତୀତ ଆଉ ୫ଟି ପର୍ଯ୍ୟଟନ ସ୍ଥଳୀକୁ ମାର୍ଚ୍ଚ ୨୦୨୪ ସୁଦ୍ଧା ୨-ଲେନ ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ଲକ୍ଷ୍ୟ
ରଖାଯାଇଅଛି।

ରାଜ୍ୟର ପ୍ରମୁଖ ରାସ୍ତାରେ ୫୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଅଛି । ମିଶନ୍‌ ଶକ୍ତି ବିଭାଗ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଉକ୍ତ କେନ୍ଦ୍ରଗୁଡିକୁ ପରିଚାଳନା କରିବେ। ଏ ଦିଗରେ ଏହା ଦେଶର ପ୍ରଥମ ମଡେଲ୍‌ ଭାବେ ପରିଗଣିତ ହେବ। ରାଜ୍ୟର ପ୍ରମୁଖ ସହର ଯଥା ଭଦ୍ରକ, ବ୍ରହ୍ମପୁର, ବାରିପଦା, ବାଲେଶ୍ୱର, ଭବାନୀପାଟଣା, ବଲାଙ୍ଗୀର, ବରଗଡ, କଟକ, ଝାରସୁଗୁଡା ଏବଂ ସମ୍ବଲପୁରରେ ନୂତନ ରିଙ୍ଗ ରୋଡ୍‌ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଅଛି ।
ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି, ବିଗତ ଦୁଇ ଦଶନ୍ଧି ମଧ୍ୟରେ ପୂର୍ତ୍ତ ବିଭାଗର ରାସ୍ତା ୧୬୦୪୧ କିଲୋମିଟରରୁ ୩୧୩୧୭ କିଲୋମିଟରକୁ ବୃଦ୍ଧି ପାଇଛି । ଏହି ଅବଧି ମଧ୍ୟରେ ସମୁଦାୟ ୫୨୧ ଟି ସେତୁ ନିର୍ମାଣ କରାଯାଇଅଛି । ତନ୍ମଧ୍ୟରୁ ମହାନଦୀ ଉପରେ ୧୨ ଟି, ବ୍ରାହ୍ମଣୀ ଉପରେ ୫ ଟି, ବୈତରଣୀ ଉପରେ ୬ ଟି, ବୁଢାବଳଙ୍ଗ ଉପରେ ୩ ଟି ଏବଂ ଖରସ୍ରୋତା ଉପରେ ୩ଟି ସେତୁ ଅନ୍ତର୍ଭୁକ୍ତ । ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ କାର୍ଯ୍ୟ ମଧ୍ୟ ଉକ୍ତ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ ହୋଇଅଛି ।

ସେହିପରି ମନ୍ତ୍ରୀ ଶ୍ରୀ ମଲ୍ଲିକ ବିଗତ ଚାରି ବର୍ଷରେ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକ ଉପରେ ଆଲୋକପାତ କରି କହିଛନ୍ତି ଯେ ୭୭୦ କୋଟି ଟଙ୍କା ବିନିମୟରେ କଳାହାଣ୍ଡି, କେଉଁଝର ଏବଂ ପୁରୀ ଠାରେ ୩ ଟି ମେଡିକାଲ୍‌ କଲେଜର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ ୨ଟି ମେଡିକାଲ୍‌ କଲେଜ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଅଛି । ୧୫୫ କୋଟି ଟଙ୍କା ବିନିମୟରେ କେନ୍ଦ୍ରାପଡ଼ା, ନୟାଗଡ଼ ଏବଂ ନବରଙ୍ଗପୁର ଠାରେ ୩ ଟି ଜିଲା ମୁଖ୍ୟ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ ୭ ଟି ଜିଲା ମୁଖ୍ୟ ହସ୍ପିଟାଲ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଅଛି । ୧୧୬ କୋଟି ଟଙ୍କା ବିନିମୟରେ କେଉଁଝର ଟିଚିଙ୍ଗ୍‌ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ ୭ ଟି ଟିଚିଙ୍ଗ୍‌ ହସ୍ପିଟାଲ କାର୍ଯ୍ୟ ଡିସେମ୍ବର ୨୦୨୩ ଏବଂ ଗୋଟିଏ ଏପ୍ରିଲ୍‌ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ୨ଟି କ୍ୟାନ୍‌ସର୍‌ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩, ଗୋଟିଏ ଜାନୁଆରୀ ୨୦୨୪, ୪ ଟି ମେ ୨୦୨୪ ଏବଂ ୩ ଟି ଜୁଲାଇ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସେହିପରି ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ୪୪ ଟି ମଲଫି-ପର୍ପୋଜ୍‌ ଇନଡୋର ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆଉ ୪୧ ଟି ଜୁଲାଇ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ବିଗତ ୪ ବର୍ଷରେ ବିଭାଗ ଦ୍ୱାରା ୧୦୫୩ କୋଟି ଟଙ୍କା ବିନିମୟରେ ୧୮୨୦୧ ମିଟର ଲମ୍ବର ୬୨ ଟି ସେତୁ ନିର୍ମାଣ କରାଯାଇଛି। ସେହିପରି ୭୦୫ କୋଟି ଟଙ୍କା ବିନିମୟରେ ୬୧୯୯ ମିଟର ଲମ୍ବର ୧୨ ଟି ଆର୍‌ଓବି ଏବଂ ୧୧୯ କୋଟି ଟଙ୍କା ବିନିମୟରେ ୧୮୮୦ ମିଟର ଲମ୍ବର ଗୋଟିଏ ଫ୍ଲାଏଓଭର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଏତଦ୍‌ବ୍ୟତୀତ ୧୧୮ ଟି ସେତୁ ଏବଂ ୨୩ ଟି ଆର୍‌ଓବିର ନିର୍ମାଣ କାର୍ଯ୍ୟ ଚାଲୁରହିଛି। ନିର୍ମିତ ହୋଇଥିବା ପ୍ରମୁଖ ସେତୁ ମଧ୍ୟରେ ସମ୍ବଲପୁରର ନେଲସନ ମାଣ୍ଡେଲା ସେତୁ, ସିଂହନାଥ ପୀଠ ନିକଟସ୍ଥ ମହାନଦୀ ଉପରେ ଟି-ବ୍ରିଜ୍‌, ବୌଦ୍ଧର ଧଳପୁର ନିକଟସ୍ଥ ମହାନଦୀ ଉପରେ ସେତୁ, ଢେଙ୍କାନାଳର କାଲୁରିଆ ନିକଟସ୍ଥ ବ୍ରାହ୍ମଣୀ ନଦୀ ଉପରେ ସେତୁ, ବାଲେଶ୍ୱର ସହର ନିକଟସ୍ଥ ବୁଢାବଳଙ୍ଗ ନଦୀ ଉପରେ ସେତୁ ଅନ୍ୟତମ। ସେହିପରି ନିର୍ମିତ ହୋଇଥିବା ପ୍ରମୁଖ ଆର୍‌ଓବି ମଧ୍ୟରେ ବାଲେଶ୍ୱର ଆର୍‌ଓବି, ସମ୍ବଲପୁର ଆର୍‌ଓବି ଏବଂ ରାଉରକେଲା ଆର୍‌ଓବି ଅନ୍ୟତମ।

ମାଲକାନଗିରି ଜିଲ୍ଲାର ମୋଟୁ ଠାରୁ ମୟୂରଭଞ୍ଜ ଜିଲ୍ଲାର ତିରିଙ୍ଗ ପର୍ଯ୍ୟନ୍ତ ୧୨୦୦ କିଲୋମିଟର ଦୀର୍ଘ ବିଜୟାଡା – ରାଞ୍ଚି କରିଡର ରାସ୍ତାକୁ ୧୮୭୨ କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଅଛି। ଉକ୍ତ ରାସ୍ତା ରାଜ୍ୟର ୧୨ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ସମ୍ବଲପୁର, ଦେଓଗଡ, କେଉଁଝର ଏବଂ ମୟୂରଭଞ୍ଜ ମଧ୍ୟ ଦେଇ ଯାଇଅଛି। ବିଭାଗ ଦ୍ୱାରା ୩୦୦ କୋଟି ଟଙ୍କା ବିନିମୟରେ ଜୟପୁର ଏବଂ ଉତକେଲା ଠାରେ ଦୁଇଟି ବିମାନବନ୍ଦର ନିର୍ମାଣ କରାଯାଇଥିବାବେଳେ ୧୦୦ କୋଟି ଟଙ୍କା ବିନିମୟରେ ରଙ୍ଗେଇଲୁଣ୍ଡା ବିମାନବନ୍ଦର କାର୍ଯ୍ୟ ହାତକୁ ନିଆଯାଇଅଛି। ଏତଦ୍‌ବ୍ୟତୀତ ୭୪ କୋଟି ଟଙ୍କା ବିନିମୟରେ ମାଲକାନଗିରି ଠାରେ ଏକ ନୂତନ ବିମାନବନ୍ଦର କାର୍ଯ୍ୟ ଚାଲୁଅଛି। ଉକ୍ତ କାର୍ଯ୍ୟକୁ ନଭେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଅଛି।

ଖରା ଦିନେ ନଦୀଜଳ ସଂରକ୍ଷଣ ତଥା ଭୂତଳ ଜଳସ୍ତର ବୃଦ୍ଧି ନିମନ୍ତେ ବିଭାଗ ଦ୍ୱାରା ୩୧ଟି ବ୍ରିଜ୍‌-କମ-ଚେକ୍‌ ଡ୍ୟାମ୍‌ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଜାମୁଝାଡି ଠାରୁ ଧାମରା ବନ୍ଦରକୁ ୬୦.୪୭ କିଲୋମିଟର ଦୀର୍ଘ ରାସ୍ତା ଦ୍ୱାରା ସଂଯୋଗ କରାଯାଇଅଛି।
ପୁନଶ୍ଚ ମାନ୍ୟବର ମନ୍ତ୍ରୀ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଐତିହ୍ୟ ସ୍ଥଳୀଗୁଡିକର ବିକାଶ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି ଯେ ପୁରୀକୁ ଏକ ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥଳୀରେ ପରିଣତ କରିବା ପାଇଁ ଅଭଡ଼ା ଯୋଜନାରେ ୪୨୨୪ କୋଟି ଟଙ୍କା ବିନିମୟରେ ୨୧ ଟି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଅଛି। ମା’ ସମଲେଶ୍ୱରୀ ମନ୍ଦିର ବିକାଶ ନିମନ୍ତେ ୩୦ ଏକର ପରିମିତ ଜାଗାରେ ୧୯୩ କୋଟି ଟଙ୍କା ବିନିମୟରେ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଅଛି । ଉକ୍ତ କାର୍ଯ୍ୟକୁ ନଭେମ୍ବର ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଲିଙ୍ଗରାଜ ମନ୍ଦିର ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ବିକାଶ ନିମନ୍ତେ ୨୧୪ କୋଟି ଟଙ୍କା ବିନିମୟରେ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ଅବସରରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଉପସ୍ଥିତ ଥିଲେ।

Comments are closed.