ଭାରତୀୟ ମହିଳା ହକି ଦଳରେ ୪ ଓଡିଆ

0

ନୂଆଦିଲ୍ଲୀ : ଅଗଷ୍ଟ ୧୮ରୁ ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ୍‍ଠାରେ ୧୮ତମ ଏସୀୟ କ୍ରୀଡା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଶୁକ୍ରବାର ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ମହିଳା ହକି ଦଳ ଘୋଷଣା କରାଯାଇଛି। ଜାତୀୟ ଦଳରେ ଓଡ଼ିଶାରୁ ଚାରିଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଏମାନେ ହେଲେ ଦୀପ୍‍ଗ୍ରେସ ଏକ୍କା, ସୁନିତା ଲାକ୍ରା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍‍। ସୂଚନାଯୋଗ୍ୟ ଚଳିତମାସ ୨୧ରୁ ଲଣ୍ଡନରେ ଖେଳାଯିବାକୁ ଥିବା ମହିଳା ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷିତ ଭାରତୀୟ ଦଳରେ ଏହି ଚାରିଜଣ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି। ଅଭିଜ୍ଞ ଫରୱାର୍ଡ ରାଣୀ ରାମପାଲ ଦଳର ନେତୃତ୍ୱ ନେଉଥିବାବେଳେ ଗୋଲରକ୍ଷକ ସବିତାଙ୍କ ଉପରେ ଉପଅଧିନାୟିକା ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହେଲେ ଭାରତୀୟ ଦଳ ୨୦୨୦ ଟୋକିଓ ଅଲିମ୍ପିକ୍‍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବ ବୋଲି ଜଣାପଡିଛି। ଦ୍ୱିତୀୟ ଗୋଲରକ୍ଷକ ଭାବେ ସବିତାଙ୍କ ବ୍ୟତୀତ ରଜନୀ ଏତିମାର୍ପୁ ଦଳରେ ସ୍ଥାନ ପାଇଥିବାବେଳେ ଦୀପ୍‍ଗ୍ରେସ ଏକ୍କା, ସୁନିତା ଲାକ୍ରା, ଦୀପିକାଙ୍କୁ ନେଇ ଭାରତୀୟ ରକ୍ଷଣଭାଗ ବେଶ ଶକ୍ତିଶାଳୀ। ମିଡ୍‍ଫିଲ୍ଡର ଭାବେ ପେନାଲଟି କର୍ଣ୍ଣର ସ୍ପେଶାଲିଷ୍ଟ ଗୁରଜିତ କୌରଙ୍କୁ ସହାୟତା କରିବେ ନମିତା ଟପ୍ପୋ, ଲିଲିମା ମିଞ୍ଜ୍‍, ମୋନିକା, ଉଦିତା, ନିକି ପ୍ରଧାନ ଓ ନେହା ଗୋଏଲ। ଦୁଇଶହ ଆନ୍ତର୍ଜାତିକ ମ୍ୟାଚ ଖେଳିସାରିଥିବା ଉଭୟ ରାଣୀ ରାମପାଲ ଓ ବନ୍ଦନା କାଟାରିଆ ଫରୱାର୍ଡ ଭାବେ ଦଳରେ ସ୍ଥାନ ପାଇଛନ୍ତି। ଯୁବ ଖେଳାଳି ଲାଲରେମ୍‍ସିଆମି, ନବନୀତ କୌର ଓ ନବ୍‍ଜ୍ୟୋତ କୌରଙ୍କୁ ମଧ୍ୟ ସୁଯୋଗ ପ୍ରଦାନ କରାଯାଇଛି।
ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ସାମିଲ କରାଯାଇଥିବାରୁ ଏସୀୟ କ୍ରୀଡାରେ ସେମାନେ ଉନ୍ନତ ପ୍ରଦର୍ଶନ କରିବେ ବୋଲି ମୁଖ୍ୟ ପ୍ରଶିକ୍ଷକ ଜୋର୍ଡ ମାରିନ ଆଶାବ୍ୟକ୍ତ କରିଛନ୍ତି। ଏସୀୟ କୀଡା ପୂର୍ବରୁ ଚଳିତମାସ ୨୧ରୁ ଲଣ୍ଡନରେ ମହିଳା ବିଶ୍ୱକପ ଆରମ୍ଭ ହେଉଛି। ତେଣୁ ବିଶ୍ୱକପରେ ଉନ୍ନତ ପ୍ରଦର୍ଶନ କରିପାରିଲେ ଏସୀୟ କ୍ରୀଡା ପାଇଁ ଦଳର ମନୋବଳ ବେଶ ଊର୍ଦ୍ଧ୍ବଗାମୀ ହେବ ବୋଲି ମାରିନ କହିଛନ୍ତି। ମହିଳା ଏସିଆ କପ୍‍ ଓ ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଉନ୍ନତ ପ୍ରଦର୍ଶନକୁ ଆଧାର କରି ଭାରତୀୟ ଦଳ ଏସୀୟ କ୍ରୀଡା ପାଇଁ ଯୋଗ୍ୟତା ଅର୍ଜନ କରିଛି। ତେବେ ଭାରତର ଅଭିଯାନରେ ଚୀନ ଓ କୋରିଆ ପ୍ରତିବନ୍ଧକ ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହି ଦୁଇଟି ଦଳ ପାଇଁ କୌଣସି ନିର୍ଦିଷ୍ଟ ରଣନୀତି ପ୍ରସ୍ତୁତ କରାଯାଇଛି କି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ମାରିନ କହିଛନ୍ତି ଯେ ଦଳ ବର୍ତ୍ତମାନ ବିଶ୍ୱକପ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛି। ତେଣୁ ବିଶ୍ୱକପ ପରେ ଏସୀୟ କ୍ରୀଡା ଉପରେ ଗୁରୁତ୍ୱାରୋପ କରାଯିବ ବୋଲି ସେ କହିଛନ୍ତି।
ଘୋଷିତ ଦଳ: ଗୋଲରକ୍ଷକ-ସବିତା (ଉପଅଧିନାୟିକା), ରଜନୀ ଏତିମାର୍ପୁ, ଡିଫେଣ୍ଡର-ଦୀପ୍‍ ଗ୍ରେସ ଏକ୍କା, ସୁନିତା ଲାକ୍ରା, ଦୀପିକା, ଗୁରଜିତ କୌର, ରୀନା ଖୋଖର, ମିଡ୍‍ଫିଲଡର-ନମିତା ଟପ୍ପୋ, ଲିଲିମା ମିଞ୍ଜ୍‍, ମୋନିକା, ଉଦିତା, ନିକି ପ୍ରଧାନ, ନେହା ଗୋଏଲ, ଫରୱାର୍ଡ-ରାଣୀ ରାମପାଲ (ଅଧିନାୟିକା), ବନ୍ଦନା କାଟାରିଆ, ଲାଲରେମ୍‍ସିଆମି, ନବନୀତ କୌର ଓ ନବଜ୍ୟୋତ୍‍ କୌର।

kalyan agarbati
Leave A Reply