ମହିଳା ସଶକ୍ତ ହେଲେ ସମାଜ ଆଗକୁ ବଢିବ: ରାଜ୍ୟପାଳ
ମହିଳା ବିଜ୍ନେସ୍ ମେଳା -୨୦୨୨ ଉଦ୍ଯାପିତ
ଭୁବନେଶ୍ୱର : ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଏଣ୍ଟରପ୍ରିନ୍ୟୁରସିପ୍ କାଉନସିଲ୍ ଦ୍ୱାରା ଜନତା ମଇଦାନରେ ଚାଲିଥିବା ଭାରତର ପ୍ରଥମ ମହିଳା ବିଜ୍ନେସ ମେଳା-୨୦୨୨ ଆଜି ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ କହିଥିଲେ ଯେ ମେଳାର ଅର୍ଥ ହେଉଛି ଦକ୍ଷତା, କ୍ଷମତା, ସମତା ଓ ମମତା। ଏହି ସବୁର ମିଳନରେ ହିଁ ମେଳାର ସୃଷ୍ଟି। ମହିଳାମାନେ ହିଁ ବିଶ୍ୱର ସୃଷ୍ଟିକର୍ତ୍ତା ଓ ମହିଳା ସଶକ୍ତହେଲେ ସମାଜ ଆଗକୁ ବଢି ପାରିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଥିଲେ। ଶେଷ ଦିବସରେ ମିନାକ୍ଷୀ ଦତ୍ତ, ବିକ୍ରମ ବାୱା, ଶାଶ୍ୱତ ଯୋଶୀ, ସୋନିକା ପ୍ରଧାନ, ବବି ପଟ୍ଟନାୟକ, କାନ୍ତା ସିଂହ, ସାଇକ୍ରିଷ୍ଣ ମହାନ୍ତି, ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବିଦ୍ୟା କ୍ରିଷ୍ଣନ, ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି.ପାଣି, ସହ-ଅଧ୍ୟକ୍ଷ ଏମ୍.କେ. ଗୁପ୍ତା, ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ, ସହ-ଆବାହକ ତନୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମହିଳାଙ୍କ ଉପରେ ବିଭିନ୍ନ ଅଧିବେଶନରେ ଆଲୋଚନା କରିଥିଲେ। ସେହିପରି ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ସମ୍ ଅଲ୍ଟିମେଟ୍ ମେଡ଼ିକେୟାର ସହ ସ୍ୱତନ୍ତ୍ର ଅଧିବେଶନ କରାଯାଇଥିଲା।
ଏହି ପାଞ୍ଚ ଦିନିଆ ମହିଳା ବିଜ୍ନେସ୍ ମେଳାରେ ମହିଳା ଉଦ୍ୟୋଗୀଙ୍କ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ରହିଥିଲା। ଏହା ସହ ପ୍ରାୟ ୩୪ଟି ଖାଇବା ଷ୍ଟଲ ସହ ପିଲାଙ୍କ ଗେମିଂ ଏବଂ ସେଲ୍ଫି ଜୋନ୍ ରଖାଯାଇଥିଲା। ମେଳାର ପ୍ରତ୍ୟେକ ଦିବସରେ ଓଲିଉଡ଼୍ ସନ୍ଧ୍ୟା, ଆଇ.ଡ଼ବ୍ଳୁ.ଇ.ସି. ଆୱାର୍ଡ଼, ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିସହିତ ପ୍ରତିଦିନ ବ୍ୟବସାୟ ଭିତ୍ତିକ ଅଧିବେଶନ ଆୟୋଜିତ ହୋଇଥିଲା। ବଲିଉଡ଼୍ ଅଭିନେତା ଅର୍ଜୁନ ରାମପାଲ ଓ ଇମତିଆଜ ଅଲ୍ଲି, ପ୍ରେରଣାଦାୟୀ ବକ୍ତା ଗୌରାଙ୍ଗ ଦାସ ଏହି ମେଳାର ମୁଖ୍ୟ ଆକର୍ଷଣ ରହିଥିଲେ। ସେହିପରି ବିିଶିଷ୍ଟ ବ୍ୟବସାୟୀ, ନୀତି ନିର୍ମାତା, ବିଭିନ୍ନ ବର୍ଗର ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଅର୍ଥନୈତିକ ସଂସ୍ଥା ଏବଂ ଅତିକ୍ଷୁଦ୍ର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ବ୍ୟକ୍ତି ବିଶେଷ ଯୋଗଦେଇ ଏହି ମେଳାକୁ ସଫଳ କରିଥିଲେ। ଏହି ଅବସରରେ ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ କହିଛନ୍ତି ମହିଳାଙ୍କ ପାଇଁ ଆୟୋଜିତ ମେଳା ସଫଳ ହୋଇଛି। ଲକ୍ଷାଧିକ ଦର୍ଶକ ମେଳା ବୁଲି ନୂଆ ଅନୁଭୂତି ସାଉଁଟିଛନ୍ତି। ଅନ୍ୟ ରାଜ୍ୟରେ ମେଳା ଆୟୋଜନ ପାଇଁ ପ୍ରସ୍ତାବ ଆସିଛି। ଆଗାମୀ ବର୍ଷରେ ଏହି ଭଳି ମେଳା ଆୟୋଜନ କରାଯିବ ବୋଲି ସେ କହିଥିଲେ।
Comments are closed.