ଭାରତ ପାଇଁ ତେଲ ଆମଦାନୀର ବିକଳ୍ପ ଖୋଜୁଛି ଆମେରିକା

0

ନ୍ୟୁୟର୍କ : ଇରାନ ଉପରେ କଟକଣା ଜାରି ପାଇଁ ଆମେରିକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ନଭେମ୍ବର ୪ରୁ ଇରାନ ଉପରେ କଟକଣା ଲାଗୁ ହେବ ବୋଲି ଆମେରିକା ପକ୍ଷରୁ ଘୋଷଣା କରାଯାଇଛି। ଏହା ପୂର୍ବରୁ ଇରାନ ସହ ସମସ୍ତ ପ୍ରକାର ବାଣିଜ୍ୟ ଏବଂ ଅନ୍ୟ ସମ୍ପର୍କ କାଟିବାକୁ ଆମେରିକା ବିଶ୍ୱର ସମସ୍ତ ରାଷ୍ଟ୍ରଙ୍କୁ ଚେତାଇ ଦେଇଛି। ଏଥିଯୋଗୁଁ ଇରାନରୁ ତେଲ ଆମଦାନୀ କରୁଥିବା ଭାରତ ସର୍ବାଧିକ ପ୍ରଭାବିତ ହେବ ବୋଲି ଚର୍ଚ୍ଚା ହେଉଛି। ଫଳରେ ଇରାନଠାରୁ ତେଲ ଆମଦାନୀ ବନ୍ଦ କରିବା ନେଇ ଭାରତ ଦ୍ୱନ୍ଦ୍ୱରେ ପଡିଛି। ଏହି ପରିସ୍ଥିତିରେ ଭାରତର ଆବଶ୍ୟକତାକୁ ବୁଝି ଆମେରିକାର ଟ୍ରମ୍ପ ପ୍ରଶାସନ ସମାଧାନର ବାଟ ଖୋଜୁଛନ୍ତି। ମିତ୍ର ଦେଶ ଭାରତର ତେଲ ଆମଦାନୀ ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜା ଚାଲିଛି ଓ ଏହାକୁ ସୁନିଶ୍ଚିତ କରାଯିବ ବୋଲି ଆମେରିକାର ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ମନ୍ତ୍ରୀ ଏଲିସ୍‍ ୱେଲ୍ସ ଶନିବାର ପ୍ରକାଶ କରିଛନ୍ତି। ଏଲିସ୍‍ ୱେଲ୍ସ କହିଛନ୍ତି ଯେ ଇରାନ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ମିତ୍ର ଦେଶଙ୍କ ଉପରେ କି ପ୍ରକାର ପ୍ରଭାବ ପଡ଼ିବ ସେ ନେଇ ଆମେରିକା ବିଚାରବିମର୍ଶ କରୁଛି। ତେଣୁ ଭାରତ ଭଳି ମିତ୍ର ଦେଶ ପାଇଁ ବିକଳ୍ପ ବ୍ୟବସ୍ଥା ଖୋଜା ଚାଲିଛି। ଭାରତ ଏବଂ ଆମେରିକାର ବିଶେଷଜ୍ଞ ଏନେଇ ଆଲୋଚନା କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇରେ ଆମେରିକା ଇରାନ ସହ ୨୦୧୫ ପରମାଣୁ ବୁଝାମଣାକୁ ବାତିଲ କରିଦେଇଥିଲା। ଇରାନ ବିଶ୍ୱାସଘାତ କରି ପରମାଣୁ ଅସ୍ତ୍ର ତିଆରି କରୁଛି ବୋଲି ଆମେରିକା ପକ୍ଷରୁ ଅଭିଯୋଗ କରାଯାଇଥିଲା। ବୁଝାମଣା ବାତିଲ ପରଠାରୁ ଆମେରିକା ଇରାନ ଉପରେ କଟକଣା ଲଗାଇଛି। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ପାଇଁ ଏହି ପ୍ରତିବନ୍ଧକ ବା କଟକଣା ନଭେମ୍ବର ୪ରୁ ଲାଗୁ ହେବ ବୋଲି ଆମେରିକା ଘୋଷଣା କରିଛି। ନଭେମ୍ବର ୪ ପରେ ଇରାନ ସହ ବ୍ୟାପାର କରୁଥିବା ଦେଶଗୁଡ଼ିକୁ ଆମେରିକା କଟକଣାର ସାମ୍ନା କରିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି। କିନ୍ତୁ ଭାରତ ଏପର୍ଯ୍ୟନ୍ତ ଇରାନଠାରୁ ତେଲ ଆମଦାନୀ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇନାହିଁ।

Leave A Reply