www.samajalive.in
Sunday, December 7, 2025
14.1 C
Bhubaneswar

ରାମ ମନ୍ଦିର ନିର୍ମାଣକୁ ବିରୋଧ କଲେ ସରକାର ଭାଙ୍ଗିଦେବି: ସୁବ୍ରମଣ୍ୟମ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣରେ ବାଧକ ସାଜିଲେ କେନ୍ଦ୍ରର ମୋଦୀ ସରକାର ଓ ଉତ୍ତରପ୍ରଦେଶର ଯୋଗୀ ସରକାରକୁ ଭାଙ୍ଗି ଦେବେ ବୋଲି ବିଜେପିର ଅଗ୍ନିବର୍ଷି ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଖୋଲାଖୋଲି ଚେତାବନୀ ଦେଇଛନ୍ତି। ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‍ୟୁ) ପରିସରରେ ଶୁକ୍ରବାର ଆୟୋଜିତ ଏକ ସାଧାରଣ ସଭାରେ ଉଦ୍‍ବୋଧନ ଦେଇ ସ୍ୱାମୀ କହିଥିଲେ ଯେ ରାମ ମନ୍ଦିର ନିର୍ମାଣରେ ମୋଦୀ ଏବଂ ଯୋଗୀ ସରକାର ବାଧକ ସାଜିଛନ୍ତି। ରାମ ମନ୍ଦିର ପ୍ରସଙ୍ଗକୁ ନେଇ ସେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି। ଜାନୁଆରୀ ସୁଦ୍ଧା ତାଙ୍କ ଦ୍ୱାରା ଆଗତ ରାମ ମନ୍ଦିର ମାମଲା ସୂଚୀବଦ୍ଧ ହେଲେ, ମାତ୍ର ଦୁଇ ସପ୍ତାହ ମଧ୍ୟରେ ସେ ମାମଲା ଜିତିଯିବେ।
ସେ କହିଛନ୍ତି ଯେ ତାଙ୍କ ସମ୍ପର୍କରେ ଥିବା ମୁସଲମାନମାନେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁନାହାନ୍ତି। ଏହି ପ୍ରସଙ୍ଗରେ ସରକାର ତାଙ୍କୁ ବିରୋଧ କଲେ ସେ ସରକାର ଭାଙ୍ଗି ଦେବେ। ତେବେ ମୋଦୀ ଏବଂ ଯୋଗୀ ତାଙ୍କୁ ଏହି ପ୍ରସଙ୍ଗରେ ବିରୋଧ କରିବେ ନାହିଁ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ସ୍ୱାମୀ କହିଛନ୍ତି ଯେ ଏହି ମାମଲାରେ ପକ୍ଷଭୁକ୍ତ ଥିବା ସୁନି ୱାକଫ ବୋର୍ଡ ମୁଗଲ ଶାସକ ବାବର ଦଖଲ କରିଥିବା ରାମ ମନ୍ଦିର ଭୂମିକୁ ତାଙ୍କର ବୋଲି ଦାବି କରୁଛି। ସୁନି ୱାକଫ ବୋର୍ଡ ସେଠାରେ ଆଉ ଥରେ ବାବ୍ରି ମସଜିଦ୍‍ ନିର୍ମାଣ କରିବାକୁ କହୁନାହିଁ। କେବଳ ଜମି ଉପରେ ସେ ନିଜ ଅଧିକାର ଦାବି କରୁଛି। ଅନ୍ୟପକ୍ଷରେ ହିନ୍ଦୁ ପକ୍ଷର ରାମ ଲାଲା ଏବଂ ନିର୍ମୋହି ଆଖଡ଼ା ସେଠାରେ ଥିବା ମନ୍ଦିରରେ ନିଜକୁ ଟ୍ରଷ୍ଟି ବୋଲି ଦର୍ଶାଉଛନ୍ତି ଓ ଭୂମି ତାଙ୍କୁ ଦେବାକୁ ଦାବି କରୁଛନ୍ତି। ୨୦୧୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ବିବାଦୀୟ ଜମିକୁ ପ୍ରମୁଖ ତିନି ଅଂଶୀଦାରଙ୍କ ମଧ୍ୟରେ ସମାନ ଭାଗରେ ବାଣ୍ଟି ଦେଇଥିଲେ। ମାତ୍ର ଏହି ରାୟ ବିରୋଧରେ ଅଂଶୀଦାରମାନେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତେଣୁ ଏହି ମାମଲାରେ ମୁଁ ୨୦୧୭ରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲି। କୋର୍ଟ ପ୍ରଥମେ ମୋ ମାମଲା ଗ୍ରହଣ କରିନଥିଲେ। ସମ୍ବିଧାନ ଅନୁସାରେ ମୁଁ ଆବେଦନ କରିଥିବା ଦର୍ଶାଇବା ପରେ କୋର୍ଟ ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି।
ମୋର ବିଶ୍ୱାସ ଅଛି ଯେ ରାମ ଅଯୋଧ୍ୟାର ସେହି ସ୍ଥାନରେ ଜନ୍ମଗ୍ରହଣ କରିଛନ୍ତି। ମୁଁ ସେଠାରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ଚାହୁଁଛି। ମୁସଲମାନମାନେ କେବଳ ଭୂମି ଅର୍ଥାତ ସମ୍ପତ୍ତି ଚାହୁଁଛନ୍ତି। ସମ୍ପତ୍ତି ମୌଳିକ ଅଧିକାର ମଧ୍ୟରେ ଆସୁନାହିଁ। ତେଣୁ ସମ୍ପତ୍ତିଗତ ଅଧିକାର ଉପରେ ମୋର ମୌଳିକ ଅଧିକାର ଆବେଦନକୁ ଗ୍ରହଣ କରିବା ପାଇଁ ସୁପ୍ରିମକୋର୍ଟରେ ନିବେଦନ କରିଥିଲି। କୋର୍ଟ ମୋ ଆବେଦନକୁ ଗ୍ରହଣ କରିଛନ୍ତି।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories