ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୁଦ୍ଧରେ ଆଗତ ଯୌନ ନିର୍ଯାତନା ଏବଂ ଷଡଯନ୍ତ୍ର ନେଇ ଜଣେ ଆଇନଜୀବୀଙ୍କ ଦାବି କରୁଥିବା ଘଟଣାର ମୂଳ କାରଣ ଅନୁଧ୍ୟାନ କରାଯିବ। ଜଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ପକ୍ଷରୁ କୁହାଯାଇଛି ଯେ, ସର୍ବୋଚ୍ଚ ନ୍ୟାୟାଳୟ ଭଳି ଅନୁଷ୍ଠାନକୁ ନିନ୍ଦିତ କରିବା ପାଇଁ ଷଡଯନ୍ତ୍ର କଲେ ଏହା ତିଷ୍ଠିବ ନାହିଁ। ଜଷ୍ଟିସ ଆର.ଏଫ ନରିମାନ୍ ଏବଂ ଦୀପକ ଗୁପ୍ତାଙ୍କୁ ଏହି ଖଣ୍ଡପୀଠରେ ସାମିଲ କରାଯାଇଛି। ଷଡଯନ୍ତ୍ର ରଚିଥିବା ଏବଂ ନିଜ ପାଖରେ କିଛି ପ୍ରମାଣ ଥିବା ଦାବି କରୁଥିବା ଆଇନଜୀବୀ ଉତ୍ସବ ସିଂ ବେନ୍ସକୁ ଆସନ୍ତାକାଲି ସୁଦ୍ଧା ସତ୍ୟପାଠ ଦାଖଲ କରିବା ପାଇଁ ଉଭୟ ବିଚାରପତି କହିଛନ୍ତି। ଗୁରୁବାର ଏହି ମାମଲାର ଶୁଣାଣି କରିବାକୁ ଖଣ୍ଡପୀଠ କହିଛନ୍ତି।
ଖଣ୍ଡପୀଠ ଏକଥା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବେନ୍ସଙ୍କ ଅଭିଯୋଗ ଏବଂ ପ୍ରଧାନ ବିଚାରପତିଙ୍କ ବିରୁଦ୍ଧରେ ଆଗତ ଯୌନ ନିର୍ଯାତନା ତଦନ୍ତ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ପୂର୍ବରୁ ସିବିଆଇ, ଆଇବି ଏବଂ ଦିଲ୍ଳୀ ପୋଲିସ ମୁଖ୍ୟଙ୍କ ଏହି ତିନିଜଣ ବିଚାରପତିଙ୍କ ନିକଟରେ ହାଜର ହେବା ପାଇଁ ସର୍ବୋଚ୍ଚ ଅଦାଲତ କହିଥିଲେ।



