ମିଥ୍ୟା ଖବର ଓ ଗୁଜବ ପ୍ରସାର ବନ୍ଦ କରିବା କଷ୍ଟକର : ହ୍ୱାଟ୍ସଆପ

0

ନୂଆଦିଲ୍ଲୀ : ହ୍ୱାଟ୍ସଆପ ଦ୍ୱାରା ମିଥ୍ୟା ଖବର ଓ ଗୁଜବ ପ୍ରସାର ବନ୍ଦ କରିବା ପାଇଁ ଭାରତ ସରକାର ନିର୍ଦେଶ ଦେବା ପରେ ହ୍ୱାଟ୍ସଆପ କମ୍ପାନୀ ଏହାର ଜବାବ ରଖିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଆପ ମାଧ୍ୟମରେ ମିଥ୍ୟା ଖବର ଓ ଗୁଜବ ପ୍ରସାର ବନ୍ଦ କରିବା କଷ୍ଟକର। ଏଥିପାଇଁ ଭାରତ ସରକାର ଏବଂ ହ୍ୱାଟ୍ସଆପ କମ୍ପାନୀ ମଧ୍ୟରେ ସହଭାଗୀତାର ଆବଶ୍ୟକତା ରହିଛି। ଜୁଲାଇ ୩ରେ ହ୍ୱାଟ୍ସଆପ କମ୍ପାନୀ ପକ୍ଷରୁ ଆଇଟି ମନ୍ତ୍ରାଳୟକୁ ପଠାଯାଇଥିବା ପତ୍ରରେ ଏହା ଉଲ୍ଲେଖ ରହିଛି। ପତ୍ରରେ ଲେଖାଯାଇଛି ଯେ ଏ କ୍ଷେତ୍ରରେ ହ୍ୱାଟ୍ସଆପ କାର୍ଯ୍ୟ କରୁଛି, ଗ୍ରୁପ୍‍ ଚାଟରେ ପରିବର୍ତ୍ତନ କରାଯାଉଛି ଓ ଏହାଦ୍ୱାରା ମିଥ୍ୟା ବାର୍ତ୍ତା ଓ ଗୁଜବ ପ୍ରେରଣ କେତେକାଂଶରେ ରୋକା ଯାଇପାରିବ ବୋଲି କମ୍ପାନୀ ଆଶା ରଖିଛି। ଲୋକଙ୍କ ସୁରକ୍ଷା ପାଇଁ କମ୍ପାନୀ ଲେବଲ ପରୀକ୍ଷା କରୁଛି। ଏହି ଲେବଲ ଦ୍ୱାରା ହ୍ୱାଟ୍ସଆପ ବ୍ୟବହାରକାରୀ କେଉଁ ସମୟରେ ବାର୍ତ୍ତା ପଠାଇଲେ, କ’ଣ ଲେଖିଲେ ଓ କାହାକୁ ବାର୍ତ୍ତା ପଠାଇଲେ ତାହା ଜାଣିହେବ। ଖୁବଶୀଘ୍ର ଭାରତରେ ଏହି ଫିଚର ବ୍ୟବହାର କରାଯିବ ଓ ଏହାଦ୍ୱାରା କେତେକାଂଶରେ ମିଥ୍ୟା ବାର୍ତ୍ତା ପ୍ରସାରଣ ବନ୍ଦ ହୋଇପାରିବ।
ଉଲ୍ଲେଖ ଯେ ହ୍ୱାଟ୍ସଆପ ମାଧ୍ୟମରେ ପିଲା ଚୋରି ଗୁଜବକୁ ନେଇ ୧୫ ଦିନ ମଧ୍ୟରେ ପ୍ରାୟ ୩୦ ଲୋକଙ୍କ ହତ୍ୟା ହୋଇସାରିଛି। ଏହି ଗୁଜବ ସମଗ୍ର ଦେଶରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଭାରତରେ ପାଖାପାଖି ୨୦ କୋଟି ଲୋକ ହ୍ୱାଟ୍ସଆପର ବ୍ୟବହାର କରୁଛନ୍ତି। ମିଥ୍ୟା ବାର୍ତ୍ତାକୁ ଚିହ୍ନିବା ପାଇଁ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ଓ ଏ କ୍ଷେତ୍ରରେ କମ୍ପାନୀ କାର୍ଯ୍ୟ କରୁଛି ବୋଲି ସୂଚନା ଦେଇଛି।

kalyan agarbati
Leave A Reply