ପଶ୍ଚିମବଙ୍ଗ ପଞ୍ଚାୟତ ର୍ନିବାଚନ : ହ୍ୱାଟସ୍ଆପ୍ରେ ନାମାଙ୍କନ ଦାଖଲ
କଲକାତା : ଦେଶର ପ୍ରଥମ ଘଟଣା କ୍ରମେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହ୍ୱାଟସ୍ଆପ ଭଳି ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ମଇ ୧, ୩ ଏବଂ ୫ ତାରିଖରେ ୩ଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀ ହ୍ୱାଟସ୍ଆପ ଦ୍ୱାରା ନାମାଙ୍କନପତ୍ର ଦାଖଲ କରିଛନ୍ତି ବୋଲି କଲକାତା ହାଇକୋର୍ଟଙ୍କୁ ମଙ୍ଗଳବାର ସୂଚନା ଦିଆଯାଇଛି । ହାଇକୋର୍ଟରେ ପଶ୍ଚିମବଙ୍ଗ ନିର୍ବାଚନ କମିଶନ ସଚିବ ନୀଳାଞ୍ଜନ ସାଣ୍ଡିଲ୍ୟ କହିଛନ୍ତି ଯେ ନିର୍ବାଚନ ପ୍ୟାନେଲ ହ୍ୱାଟସ୍ଆପ ଦ୍ୱାରା ଦାଖଲ ନାମାଙ୍କନପତ୍ରକୁ ଗ୍ରହଣ କରିଛି । ପ୍ରକାଶ ଯେ ସିପିଆଇଏମ୍(ଏଲ) ନେତା ଶର୍ମିଷ୍ଠା ଚୌଧୁରୀ ହାଇକୋର୍ଟରେ ଆବେଦନ କରିଥିଲେ ଯେ ଭାଙ୍ଗର ଏବଂ ୨୪ପ୍ରଗଣା ଅଞ୍ଚଳରେ ହିଂସା ଯୋଗୁଁ ଅନେକ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିପାରିନାହାନ୍ତି । ଏହି ମାମଲାର ବିଚାରକରି କଲକାତା ହାଇକୋର୍ଟ ଜଷ୍ଟିସ୍ ସୁବ୍ରତ ତାଲୁକଦାରଙ୍କ ଜଣିକିଆ ଖଣ୍ଡପୀଠ ହ୍ୱାଟସ୍ଆପ ମାଧ୍ୟମରେ ଦାଖଲ ନାମାଙ୍କନପତ୍ରକୁ ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦେଶ ଦେଇଛନ୍ତି। ତେବେ ହ୍ୱାଟସ୍ଆପ ଦ୍ୱାରା ଦାଖଲ ନାମାଙ୍କନପତ୍ରକୁ ଅପ୍ରେଲ ୨୫ରେ ଯାଞ୍ଚ କରାଯିବ । ୧୧ ପ୍ରାର୍ଥୀଙ୍କ ମଧ୍ୟରୁ ୯ ଜଣ ହ୍ୱାଟସ୍ଆପ ମାଧ୍ୟମରେ ନାମାଙ୍କନ ଦାଖଲ କରିଛନ୍ତି । ଅପ୍ରେଲ ୨୮ ପ୍ରାର୍ଥôପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅଛି । ମଇ ୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଦାନ ହେବ ଓ ସହି ଦିନ ଫଳାଫଳ ପ୍ରକାଶ ପାଇବ । ନାମାଙ୍କନପତ୍ର ଦାଖଲକୁ ନେଇ ସଂଗଠିତ ହିଂସାକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ପରେ ପଶ୍ଚମବଙ୍ଗ କଂଗ୍ରେସ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି । ଏହାସହ ବିଜେପି ଓ ଟିଏମ୍ସି କାର୍ଯ୍ୟକର୍ତ୍ତା ହିଂସାକାଣ୍ଡ ଭିଆଇଥିବା ଅଭିଯୋଗ କରିଛି । ପ୍ରକାଶ ଯେ ସୋମବାର ବୀରଭୂମ ଓ ୨୪ ପ୍ରଗଣାରେ ପ୍ରାକ୍ ନିର୍ବାଚନୀ ହିଂସାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରାଯାଉଛି ।