ପଶ୍ଚିମବଙ୍ଗ କଂଗ୍ରେସରେ ଫାଟ

0

କଲକାତା : ୨୦୧୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିବା କଂଗ୍ରେସ ଦଳକୁ ପଶ୍ଚିମବଙ୍ଗରେ ଏକ ବଡ଼ ଝଟକା ଲାଗିଛି। ପଶ୍ଚିମବଙ୍ଗ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଏବେ ବାଟରେ ପଡ଼ି ହାଟରେ ଗଡ଼ିବା ଭଳି ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପଶ୍ଚିମବଙ୍ଗ ଗସ୍ତର ମାତ୍ର କିଛି ଦିନ ପୂର୍ବରୁ ଦଳରେ ଏହି ଫାଟ ସ୍ପଷ୍ଟ ପରିଲକ୍ଷିତ ହୋଇଛି। ପଶ୍ଚିମବଙ୍ଗ କଂଗ୍ରେସ ଏବେ ଦୁଇ ଭାଗ ବା ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି। କଂଗ୍ରେସର ଗୋଟିଏ ଗୋଷ୍ଠୀ ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଥିଲାବେଳେ ଅନ୍ୟ ଏକ ଗୋଷ୍ଠୀ ସିପିଆଇ(ଏମ୍‍) ସହ ମେଣ୍ଟ କରିବାକୁ ଚାହୁଁଛି। ମେଣ୍ଟକୁ ନେଇ ଏହି କନ୍ଦଳ ଘନାଇବାରେ ଲାଗିଛି। ସୂଚନା ଅନୁସାରେ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟି (ଡବ୍ଲ୍ୟୁବିପିସିସି) ମହାସଚିବ ଓମ ପ୍ରକାଶ ମିଶ୍ରା ଦ୍ୱାରା କେନ୍ଦ୍ର ନେତୃତ୍ୱକୁ ପଠାଯାଇଥିବା ପତ୍ରରେ ୨୦୧୯ ଲୋକସଭା ନିର୍ବାଚନରେ ସିପିଆଇ(ଏମ୍‍) ସହ ମେଣ୍ଟ ପାଇଁ ସୁପାରିଶ କରାଯାଇଛି। ହେଲେ ସାଂସଦ ଏବଂ କେତେକ ବିଧାୟକଙ୍କୁ ନେଇ ଦଳର ଅନ୍ୟ ଏକ ଗୋଷ୍ଠୀ ଆସନ୍ତା ନିର୍ବାଚନରେ ଟିଏମ୍‍ସି ସହ ମେଣ୍ଟକୁ ଗୁରୁତ୍ୱ ଦେଉଛି। ଟିଏମ୍‍ସି ସହ ମେଣ୍ଟ ହେଲେ କଂଗ୍ରେସ ଅଶାଠାରୁ ଅଧିକ ଆସନରେ ବିଜୟୀ ହେବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି। ଏପଟେ ପଶ୍ଚିମବଙ୍ଗ କଂଗ୍ରେସ ବିଧାୟକ ଏବଂ ଦଳର ରାଷ୍ଟ୍ରୀୟ ସଚିବ ମୋଇନୁଲ ହକ ଦଳ ପରିତ୍ୟାଗ କରି ଟିଏମ୍‍ସିରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ରାହୁଲଙ୍କ ସହ ବୈଠକ ବେଳେ ଦୁଇ ଗୋଷ୍ଠୀ ସେମାନଙ୍କ ପ୍ରସ୍ତାବ ରଖିବେ ବୋଲି ଚର୍ଚ୍ଚା ହେଉଛି। ନେତା ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଥିବାବେଳେ ଗୋଷ୍ଠୀ କନ୍ଦଳ କଂଗ୍ରେସକୁ ଦୁର୍ବଳ କରିବାରେ ଲାଗିଛି।

kalyan agarbati
Leave A Reply