ମୁମ୍ବଇରେ ଅନୁଷ୍ଠିତ ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସାମୁଦ୍ରିକ ସମ୍ଭାବନାକୁ ବିଶ୍ୱ ମଞ୍ଚରେ ଉପସ୍ଥାପନ କରିଥିଲେ। ରାଜ୍ୟର ୪୮୦ କିଲୋମିଟର ଉପକୂଳ ରେଖା, ପ୍ରଚୁର ଖଣିଜ ସମ୍ପଦ ଲାଗି ଓଡ଼ିଶା ପ୍ରକୃତରେ ଭାରତର ସାମୁଦ୍ରିକ ଶକ୍ତିର କେନ୍ଦ୍ରବିନ୍ଦୁ ହୋଇପାରେ। ଗଞ୍ଜାମର ବାହୁଦାରେ ୨୧, ୫୦୦ କୋଟି ଟଙ୍କାର ନୂତନ ବନ୍ଦର, ମହାନଦୀ ମୁହାଣରେ ୨୪, ୭୦୦ କୋଟି ଟଙ୍କାର ଜାହାଜ ନିର୍ମାଣ କାରଖାନା ଏବଂ ପୁରୀରୁ ପାରାଦ୍ବୀପ ପର୍ଯ୍ୟନ୍ତ କ୍ରୁଜ୍ ସେବା – ଏସବୁ ଯୋଜନା ରାଜ୍ୟର ଅର୍ଥନୀତିକୁ ନୂତନ ଉଚ୍ଚତା ଦେବାର ସ୍ୱପ୍ନ ଦେଖାଉଛି। ହଜାର ହଜାର ଚାକିରି ସୃଷ୍ଟି ହେବ, ବିଦେଶୀ ପୁଞ୍ଜି ଆସିବ, ରାଜ୍ୟର ଆୟ ବୃଦ୍ଧି ପାଇବ। ବିକାଶର ଏହି ଉଚ୍ଚାଭିଳାଷୀ ଯୋଜନା ସହ ସମାନ ଗୁରୁତ୍ୱ ଦେବାକୁ ହେବ ଉପକୂଳ ସୁରକ୍ଷାକୁ। କାରଣ ଓଡ଼ିଶା ଉପକୂଳରେ କେବଳ ବନ୍ଦର ନାହିଁ, ରହିଛି ପୁରୀ, କୋଣାର୍କ ଭଳି ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର, ଚାନ୍ଦିପୁରର କ୍ଷପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର। ଏସବୁ ସ୍ଥାନ ସୁରକ୍ଷାଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ। ବିଶେଷକରି କେନ୍ଦ୍ରାପଡ଼ା ଜିଲା ବାଟଦେଇ ବାଂଲାଦେଶୀ ଅନୁପ୍ରବେଶକାରୀ ଅବାଧରେ ପ୍ରବେଶ କରୁଛନ୍ତି ବୋଲି ନିରନ୍ତର ଅଭିଯୋଗ ହୋଇଆସୁଛି। ବାଲେଶ୍ୱରଠାରୁ ଗଞ୍ଜାମ ପର୍ଯ୍ୟନ୍ତ ଲମ୍ବା ଉପକୂଳରେ ଅନୁପ୍ରବେଶ ଭୟ ଯେତିକି, ଆତଙ୍କବାଦୀ ପ୍ରବେଶର ସମ୍ଭାବନା ମଧ୍ୟ ସେତିକି। ୨୬/୧୧ ମୁମ୍ବଇ ଆକ୍ରମଣ ମନେ ପକାଇଲେ ବୁଝାଯିବ ଯେ ସମୁଦ୍ର ପଥ କେତେ ବିପଜ୍ଜନକ ହୋଇପାରେ।
ରାଜ୍ୟ ସରକାର ଅବଶ୍ୟ କିଛି ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ୧୮ଟି ସାମୁଦ୍ରିକ ପୁଲିସ ଥାନା କାର୍ଯ୍ୟ କରୁଛି। ଏକ ଉନ୍ନତ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ଯୋଜନା ହୋଇଛି ଯାହା ରେଡ଼ାର୍, ଡ୍ରୋନ, ଯୋଗାଯୋଗ ବ୍ୟବସ୍ଥା ଏବଂ ତୁରନ୍ତ ତଥ୍ୟ ବିନିମୟ କରିବ। ସେପ୍ଟେମ୍ବର ୨୦୨୫ରେ ’ସାଗର କବଚ-୨’ ନାମକ ବଡ଼ ସାମୁଦ୍ରିକ ସୁରକ୍ଷା ଅଭ୍ୟାସ ହୋଇଥିଲା, ଯେଉଁଥିରେ ୧୮ଟି ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥା ଭାଗ ନେଇଥିଲେ। ଏହା ଦର୍ଶାଉଛି ଯେ ଉପକୂଳ ସୁରକ୍ଷା କୌଣସି ଗୋଟିଏ ବିଭାଗର ନୁହେଁ, ପୁଲିସ, ନୌସେନା ଏବଂ ଗୁପ୍ତଚର ବିଭାଗ ସମସ୍ତଙ୍କ ମିଳିତ କାମ। ଚାଲେଞ୍ଜ ଏବେ ବି ବିରାଟ। ଲମ୍ବା ଉପକୂଳରେ ଅନେକ ଜାଗାରେ ଲୋକବସତି କମ୍, ମତ୍ସ୍ୟଜୀବୀ ଗାଁଗୁଡ଼ିକ ବେଳେବେଳେ ସରକାରୀ ନଜର ବାହାରେ ରହିଥିବାର ଦେଖାଯାଏ। କେତେକ ନୌକାରେ ବେଆଇନ୍ ଯୋଗାଯୋଗ ଯନ୍ତ୍ର ଥିବାବେଳେ ଅନେକ ନୌକାର ଠିକ୍ ରେଜିଷ୍ଟ୍ରେସନ୍ ନଥାଏ, ମାଛଧରା କେନ୍ଦ୍ରରେ ଦୁର୍ବଳ ନିରୀକ୍ଷଣ – ଏସବୁ ଚୋରା କାରବାର ଓ ଅନୁପ୍ରବେଶକାରୀଙ୍କୁ ସୁଯୋଗ ଦିଏ। କେବଳ ଅନୁପ୍ରବେଶ ନୁହେଁ, ସମୁଦ୍ରଜାତ ଦୁର୍ଲଭ ପ୍ରାଣୀ ଚୋରା କାରବାର, କଇଁଛ ଅବୈଧ ଶିକାର ମଧ୍ୟ ବୃଦ୍ଧି ପାଉଛି।
ଏସବୁକୁ ଦୃଷ୍ଟିରେ ରଖି ସରକାର ରେଡ଼ାର୍, କ୍ୟାମେରା, ଡ୍ରୋନ ଓ ଜାହାଜ ଟ୍ରାକିଂ ଶୀଘ୍ର କାର୍ଯ୍ୟକାରୀ କରିବା ସହ ନିୟମିତ ପାଟ୍ରୋଲିଂ ଏକାନ୍ତ ଆବଶ୍ୟକ। ଏହି କାର୍ଯ୍ୟରେ ମତ୍ସ୍ୟଜୀବୀଙ୍କୁ ସାମିଲ କରିବା ବି ଉପଯୋଗୀ ସାବ୍ୟସ୍ତ ହେବ, କାରଣ ସେମାନେ ହିଁ ଉପକୂଳର ପ୍ରଥମ ଦେଖଣାହାରୀ। ସେମାନଙ୍କୁ ପ୍ରଶିକ୍ଷଣ, ଯନ୍ତ୍ର ଏବଂ ପ୍ରୋତ୍ସାହନ ଦେଲେ ସନ୍ଦେହଜନକ ନୌକା ଚିହ୍ନଟ ସହଜ ହେବ। ଉପେକ୍ଷାର ମୂଲ୍ୟ ବହୁତ ଭାରୀ। ସରକାରୀ ଭାବେ ସାମୁଦ୍ରିକ ପଥରେ ରାଜ୍ୟରେ ଅନୁପ୍ରବେଶ ନେଇ ସ୍ପଷ୍ଟ ତଥ୍ୟ ନଥିଲେ ବି ବେସରକାରୀ ତଥ୍ୟ କହୁଛି ପ୍ରତିଦିନ ଅନୁପ୍ରବେଶ ଲାଗି ରହିଛି। ତେଣୁ ସରକାର ବେସରକାରୀ ତଥ୍ୟକୁ ଅଣଦେଖା ନକରି ସୁରକ୍ଷା କଡ଼ାକଡ଼ି କରନ୍ତୁ। ଗୋଟିଏ ଅଘଟଣ ହଜାର ହଜାର ମତ୍ସ୍ୟଜୀବୀଙ୍କ ରୋଜଗାର, ବନ୍ଦର ବ୍ୟବସାୟ ଓ ରାଜ୍ୟ ସୁରକ୍ଷାକୁ ବିପଦରେ ପକାଇପାରେ।





