ଜୁଲାଇରେ ଅଧିକ ବର୍ଷା: ଆଜି ପାଇଁ ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ନୂଆଦିଲ୍ଲୀ/ଭୁବନେଶ୍ବର : ଚଳିତ ଜୁଲାଇରେ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ପ୍ରଭାବରେ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବିଭାଗର ମହାନି‌େ‌ର୍ଦଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦେଶର କେବଳ ଉତ୍ତର ପୂର୍ବାଞ୍ଚଳକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଭାଗରେ ଜୁଲାଇରେ ବର୍ଷା ସ୍ବାଭାବିକ ଠାରୁ ଅଧିକ ହେବା ଅନୁମାନ କରାଯାଉଛି। ଏଥିସହିତ ଚଳିତ ମାସରେ ସ୍ବାଭାବିକ ଠାରୁ ଅଧିକ ତାପମାତ୍ରା ରହିବ। ଗତ ଜୁନ୍‌ରେ ଦେଶର ଉତ୍ତର ପଶ୍ଚିମାଞ୍ଚଳରେ ଅଧିକ ଗ୍ରୀଷ୍ମ ପ୍ରବାହ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଡ.ମହାପାତ୍ର କହିଛନ୍ତି, ଜୁନ୍‌ରେ ଦେଶରେ ​ମୌସୁମୀ ବୃଷ୍ଟିପାତ ସ୍ବାଭାବିକ ଠାରୁ ୧୧ ପ୍ରତିଶତ କମ୍‌ ରହିଛି। ଏହି ନିଅଣ୍ଟିଆ ପରିମାଣ ପାଞ୍ଚବର୍ଷ ମଧ୍ୟରେ ସର୍ବାଧିକ। ଜୁନ୍‌ରେ ସ୍ବାଭାବିକ ଭାବରେ ୧୬୫.୩ ମିଲିମିଟର ବୃଷ୍ଟିପାତ ହେବାକୁ ଥିବାବେଳେ ଚଳିତ ବର୍ଷ ଜୁନ୍‌ରେ ୧୪୭.୨ ମିଲିମିଟର ବର୍ଷା ହୋଇଛି। ଏହା ୨୦୦୧ ପରବର୍ତ୍ତୀ ସମୟରେ ସପ୍ତମ ସର୍ବନିମ୍ନ ବୃଷ୍ଟିପାତ ବୋଲି ଜଣାଯାଇଛି। ସୂଚନଯୋଗ୍ୟ ଯେ ବର୍ଷା ଋତୁର ଚାରିମାସ ମଧ୍ୟରେ ଜୁନ୍‌ରେ ହେଉଥିବା ବୃଷ୍ଟିପାତ ମୋଟ ମୌସୁମୀ ବର୍ଷାର ୧୫ ପ୍ରତିଶତ ହୋଇଥାଏ। ଚଳିତ ବର୍ଷ ​ମୌସୁମୀ ବାୟୁ କେରଳ ଉପକୂଳ ଏବଂ ଉତ୍ତର ପୂର୍ବାଞ୍ଚଳରେ ଆଗୁଆ ମେ ୩୦ରେ ପ୍ରବେଶ କରିଥିଲା। ପରେ ତାହା ମହାରାଷ୍ଟ୍ରକୁ ସମ୍ପ୍ରସାରିତ ହୋଇଥିଲା; କିନ୍ତୁ ଅନୁକୂଳ ପରିବେଶ ଅଭାବରୁ ତାହା ଆଗକୁ ବଢିନପାରିବାରୁ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡଖଣ୍ଡ, ବିହାର, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ଲୋକେ ଚାତକ ଭଳି ବର୍ଷାକୁ ଚାହିଁ ବସିଥିଲେ। ଗ୍ରୀଷ୍ମପ୍ରବାହର ସବୁଠାରୁ ଅଧିକ ପ୍ରତିକୂଳ ପ୍ରଭାବ ଉତ୍ତର ପଶ୍ଚିମାଞ୍ଚଳରେ ପଡିଥିଲା। ଜୁନ୍‌ ୧୧ରୁ ୨୭ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହେବା କାରଣରୁ ସମୁଦାୟ ଜୁନ୍‌ରେ ବର୍ଷା ପରିମାଣ ସ୍ବାଭାବିକ ଠାରୁ କମ୍‌ ରହିଥିଲା। ଏହି ସମୟରେ ଉତ୍ତର ପଶ୍ଚିମ ଭାଗରେ ୩୩ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଥିବାବେଳେ କେନ୍ଦ୍ରୀୟ ଭାରତରେ ବର୍ଷା ପରିମାଣ ୧୪ ପ୍ରତିଶତ କମ୍‌ ରହିଛି। ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ୧୩ ପ୍ରତିଶତ କମ୍‌ ବୃଷ୍ଟିପାତ ରେକର୍ଡ ହୋଇଛି। ତେବେ କେବଳ ଦକ୍ଷିଣ ଭାରତରେ ୧୪ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି। ଜୁଲାଇରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରେ ସ୍ବାଭାବିକରୁ ଅଧିକ ବର୍ଷିବ। ପଶ୍ଚିମ, ଉପକୂଳ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି; କିନ୍ତୁ କେନ୍ଦୁଝର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ଜିଲାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ମୋଟାମୋଟି ଭାବେ ଜୁଲାଇରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଲଘୁଚାପ ଦୁର୍ବଳ ହୋଇଥିବାବେଳେ ମୌସୁମୀ ସକ୍ରିୟ ଯୋଗୁଁ ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେଉଛି। ସୋମବାର ମଧ୍ୟାହ୍ନରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଛି। ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ଜଗତସିଂହପୁରରେ ୨୦.୧ ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ସମ୍ବଲପୁର ୧୧.୨ ମି.ମି, ଭୁବନେଶ୍ବର ୧୧.୨ମି.ମି ଏବଂ ପାରାଦ୍ବୀପରେ ୮.୮ମି.ମି ବର୍ଷା ହୋଇଛି। ଏଥିସହିତ ରାଉରକେଲା, କେନ୍ଦ୍ରାପଡା, ଖୋର୍ଦ୍ଧା, ରାୟଗଡା, ସୁନ୍ଦରଗଡ ଏବଂ ହୀରାକୁଦ ଆଦି ସ୍ଥାନ ଗୁଡିକରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଦେବଗଡ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ଜଗତସିଂହପୁର ଜିଲାକୁ ବିଜୁଳି ଘଡଘଡି ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Comments are closed.