www.samajalive.in
Monday, December 15, 2025
26.1 C
Bhubaneswar

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ଲଘୁଚାପ ସୃଷ୍ଟି ସମ୍ଭାବନା, ୨୬ ତାରିଖରେ ବଢିବ ବର୍ଷାର ପରିମାଣ

ଭୁବନେଶ୍ବର : ସାରା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଛି। ଆସନ୍ତା ୨୬ ତାରିଖ ବେଳକୁ ବର୍ଷା ବଢିବା ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ମୌସୁମୀ ଅଧିକ ସକ୍ରିୟ ହେବ। ଏବଂ ୨୬ ରୁ ୨୮ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ଉତ୍ତର, ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଜୁନ ୮ରେ ଓଡ଼ିଶାକୁ ସ୍ପର୍ଶ କରିଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ପାଗ ଅନୁକୂଳ ନଥିବାରୁ ଦୁର୍ବଳ ଅବସ୍ଥାରେ ମାଲକାନଗିରି ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ୧୦ଦିନ ପର୍ଯ୍ୟନ୍ତ ରହିଥିଲା। ମୌସୁମୀ ସକ୍ରିୟ ଯୋଗୁଁ ରବିବାର ସକାଳୁ ବିଭିନ୍ନ ଜିଲାରେ ବର୍ଷା ହୋଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଉପକୂଳ ଓ ଉତ୍ତର ଓଡ଼ିଶା ସହିତ ଆଭ୍ୟନ୍ତରୀଣର କେତେକ ଜିଲାରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଏବଂ ରାୟଗଡା ଜିଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୬ରେ ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼। ୨୭ରେ ଗଞ୍ଜାମ, କନ୍ଧମାଳ, ନୟାଗଡ, କଳାହାଣ୍ଡି, ରାୟଗଡା, ଗଜପତି, ନବରଙ୍ଗପୁର ଏବଂ ନୂଆପଡା ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଶେଷଜ୍ଞ ଶ୍ରୀ ସାହୁ କହିଛନ୍ତି, ୨୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୭ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ୨୬ ତାରିଖ ଅପରାହ୍ଣ କିମ୍ବା ରାତିରୁ ବର୍ଷା ଆରମ୍ଭ ହୋଇଯିବ। ୨୭ ଓ ୨୮ ତାରିଖ ଓଡ଼ିଶାରେ ଲଘୁଚାପ ସକ୍ରିୟ ରହିବ। ପରବର୍ତ୍ତୀ ସମୟରେ ଛତିଶଗଡ ଏବଂ ଝାଡଖଣ୍ଡ ମୁହାଁଇବ । ଜୁନରେ ନିଅଣ୍ଟିଆ ବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ ୧ରୁ ୨୩ ପର୍ଯ୍ୟନ୍ତ ସାରା ରାଜ୍ୟରେ ୮୮.୭ ମି.ମି ବର୍ଷା ରେକର୍ଡ ହୋଇଛି। ଏହା ସ୍ୱାଭାବିକ ବର୍ଷା ତୁଳନାରେ ୩୯ ପ୍ରତିଶତ କମ। ନିଅଣ୍ଟିଆ ବର୍ଷା ଯୋଗୁଁ ୪ ଜିଲାରେ ସ୍ଥିତି ଅତି ଉତ୍କଟ ରହିଛି। ପୁରୀ, ବଲାଙ୍ଗିର, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାଗୁଡିକରେ ୬୦ପ୍ରତିଶତରୁ କମ୍ ବୃଷ୍ଟିପାତ ହୋଇଛି। ପୁରୀରେ ସ୍ୱାଭାବିକଠାରୁ ୭୦ ପ୍ରତିଶତ କ‌ମ୍ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ୬୯, ବାଲେଶ୍ୱର ୬୫ ଏବଂ ବଲାଙ୍ଗିର ୬୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି। ୨୧ଟି ଜିଲାରେ ୨୦ରୁ ୫୯ ପ୍ରତିଶତ ବର୍ଷା କମିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories