ଆଜିଠୁ ଲୋକସଭାର ସ୍ଵତନ୍ତ୍ର ଅଧିବେଶନ
ନୂଆଦିଲ୍ଲୀ/ଭୁବନେଶ୍ବର : ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ(ସୋମବାର) ଆରମ୍ଭ ହେଉଛି। ଏହି ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନର ପ୍ରଥମ ଦିନରେ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ଲୋକସଭାରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ନବନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ। ସେଥିପାଇଁ ବିଜେପି ସାଂସଦମାନେ ରବିବାର ଦିଲ୍ଲୀ ଯାତ୍ରା କରିଛନ୍ତି। ଏହି ଅବସରରେ ନିଜ ମାତୃଭାଷା ସାନ୍ତାଳୀ ଭାଷାରେ ଶପଥ ଗ୍ରହଣ କରିବେ ବୋଲି କହିଛନ୍ତି ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ। ଆଗାମୀ ଦିନରେ କିଭଳି ସାନ୍ତାଳୀ ଭାଷା ଲୋକଲୋଚନକୁ ଆସିବ ଏବଂ ଏହାର ପ୍ରଚାର ପ୍ରସାର ହେବ ସେନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ ବୋଲି ସେ କହିଛନ୍ତି। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ‘ସଂସଦରେ ଓଡ଼ିଶାର ଗୁରୁତ୍ବ ବଢ଼ିଯାଇଛି। ମୁଁ ସଂସ୍କୃତରେ ଶପଥ ପାଇଁ ଲେଖିକି ଦେଇଛି। ଅନୁମତି ମିଳିଲେ ସଂସ୍କୃତ ଭାଷାରେ ଶପଥ ନେବି।’ ଆସ୍କା ସାଂସଦ ଅନୀତା ପ୍ରିୟଦର୍ଶିନୀ କହିଛନ୍ତି, ‘ଓଡ଼ିଶାବାସୀ ଗୁରୁଦାୟିତ୍ବ ଦେଇଛନ୍ତି। ଓଡ଼ିଶାର ଭାଷା, ସ୍ବର ଏବଂ ସମସ୍ୟା ଦିଲ୍ଲୀ ଦରବାରରେ କିଭଳି ପହଞ୍ଚିବ ସେଥିପ୍ରତି ଗୁରୁତ୍ବ ଦେବୁ।’ ସୂଚନାଯୋଗ୍ୟ ଯେ ଚଳିତ ଥର ଓଡ଼ିଶାରୁ ଲୋକସଭାକୁ ନିର୍ବାଚିତ ସାଂସଦଙ୍କ ମଧ୍ୟରେ ମହତାବ ସପ୍ତମ ଥର ପାଇଁ କଟକ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି। ୧୯୯୮ରୁ କ୍ରମାଗତ ବିଜେଡି ସାଂସଦ ଭାବେ ବିଜୟୀ ହେଉଥିବାବେଳେ ଚଳିତ ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି। ସୁନ୍ଦରଗଡ଼ ଲୋକସଭାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଷଷ୍ଠ ଥର ପାଇଁ ସଂସଦକୁ ଆସିଛନ୍ତି। ଓରାମ ୧୯୯୮ରେ ପ୍ରଥମ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ନିର୍ବାଚନରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କଠାରୁ ପରାସ୍ତ ହୋଇଥିଲେ। ବଲାଙ୍ଗିର ଲୋକସଭା ଆସନରୁ ସଙ୍ଗୀତା କୁମାରୀ ସିଂଦେଓ ପଞ୍ଚମ ଥର ବିଜୟୀ ହୋଇଛନ୍ତି। ୧୯୯୮ରେ ଲୋକସଭାରେ ପହଞ୍ଚିଥିବା ସଙ୍ଗୀତା ୨୦୦୯ ଏବଂ ୨୦୧୪ ନିର୍ବାଚନରେ ହାରି ଯାଇଥିଲେ। ସେହିପରି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ପଞ୍ଚମ ଥର ପାଇଁ ସଂସଦରେ ପ୍ରବେଶ କରିଛନ୍ତି। ୨୦୦୦-୦୯ ମଧ୍ୟରେ ରାଜ୍ୟସଭାକୁ ଦୁଇ ଥର ଏବଂ ୨୦୦୯-୧୮ ମଧ୍ୟରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରୁ ସେ ଦୁଇ ଥର ପ୍ରତିନିଧିତ୍ୱ କରିଛନ୍ତି। ସମ୍ବଲପୁର ଲୋକସଭା ଆସନରେ ବିଜୟୀ ହୋଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚତୁର୍ଥ ଥର ପାଇଁ ସଂସଦରେ ପ୍ରବେଶ କରିଛନ୍ତି। ୨୦୦୪-୦୯ ମଧ୍ୟରେ ଦେବଗଡ଼ ଲୋକସଭା କ୍ଷେତ୍ରରୁ, ୨୦୧୨-୧୮ ମଧ୍ୟରେ ବିହାରରୁ ଏବଂ ୨୦୧୮-୨୪ ମଧ୍ୟରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଛନ୍ତି। ଢ଼େଙ୍କାନାଳ ଲୋକସଭା ଆସନରୁ ରୁଦ୍ରନାରାୟଣ ପାଣି ଏବଂ କେନ୍ଦୁଝର ଲୋକସଭା ଆସନରୁ ଅନନ୍ତ ନାୟକ ତୃତୀୟ ଥର ସଂସଦରେ ପହଞ୍ଚିଛନ୍ତି। ୨୦୦୪-୧୨ ମଧ୍ୟରେ ଦୁଇ ଥର ରାଜ୍ୟସଭାକୁ ରୁଦ୍ରନାରାୟଣ ପ୍ରତିନିଧିତ୍ୱ କରିଛନ୍ତି। ସେହିପରି ୧୯୯୯-୨୦୦୯ ମଧ୍ୟରେ କେନ୍ଦୁଝର ଲୋକସଭା ଆସନରୁ ଅନନ୍ତ ନାୟକ ଲୋକସଭାକୁ ଦୁଇ ଥର ପ୍ରତିନିଧିତ୍ୱ କରିଥିଲେ। ଦ୍ୱିତୀୟ ଥର ସଂସଦରେ ପହଞ୍ଚିଥିବା ତାଲିକାରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ ଓ ଜଗତସିଂପୁର ସାଂସଦ ବିଭୁପ୍ରସାଦ ତରାଇ ଅଛନ୍ତି। ସପ୍ତଗିରି, ଅପରାଜିତା ଓ ପ୍ରତାପ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି। ସେହିପରି ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ ବିଜେଡି ଟିକଟରେ ୨୦୧୪ରେ ଏବଂ ଜଗତସିଂପୁର ସାଂସଦ ବିଭୁ ପ୍ରସାଦ ତରାଇ ସିପିଆଇ ଟିକଟରେ ୨୦୦୯ରେ ଲୋକସଭାରେ ପହଞ୍ଚିଥିଲେ। ପ୍ରଥମ ଥର ସାଂସଦ ତାଲିକାରେ ପୁରୀରୁ ଡା ସମ୍ବିତ ପାତ୍ର, ବ୍ରହ୍ମପୁରରୁ ପ୍ରଦୀପ କୁମାର ପାଣିଗ୍ରାହୀ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ, କଳାହାଣ୍ଡିରୁ ମାଳବିକା ଦେବୀ, ବରଗଡ଼ରୁ ପ୍ରଦୀପ ପୁରୋହିତ, ମୟୁରଭଞ୍ଜରୁ ନବ ଚରଣ ମାଝୀ, ଭଦ୍ରକରୁ ଅଭିମନ୍ୟୁ ସେଠୀ ଏବଂ ଯାଜପୁରରୁ ରବୀନ୍ଦ୍ର ନାରାୟଣ ବେହେରା ଅଛନ୍ତି। ନବନିର୍ବାଚିତ ବ୍ରହ୍ମପୁର ସାଂସଦ ଶ୍ରୀ ପାଣିଗ୍ରାହୀ, ବରଗଡ଼ ସାଂସଦ ଶ୍ରୀ ପୁରୋହିତ ଏବଂ ମୟୁରଭଞ୍ଜ ସାଂସଦ ଶ୍ରୀ ମାଝୀଙ୍କ ବିଧାୟକ ଭାବେ ଅଭିଜ୍ଞତା ରହିଛି। ପ୍ରାୟ ୨୬ ବର୍ଷ ପରେ ୧୮ତମ ଲୋକସଭା କାଳରେ ସଂସଦରେ ଓଡ଼ିଶାର ରାଜନୈତିକ ଚିତ୍ର ବଦଳିଯାଇଛି। ଲୋକସଭାରେ ବିଜୁ ଜନତା ଦଳ ପ୍ରଥମ ଥର ପ୍ରତିନିଧିତ୍ୱ ଶୂନ୍ୟ ହୋଇଯାଇଛି। ଲୋକସଭାକୁ ବିଜେପିର ୨୦ ଜଣ ଏବଂ କଂଗ୍ରେସର ଜଣେ ସାଂସଦ ବିଜୟୀ ହୋଇଛନ୍ତି।
Comments are closed.