www.samajalive.in
Sunday, December 7, 2025
18.1 C
Bhubaneswar

ନିଟ୍‌ ପୁନଃ ପରୀକ୍ଷାରେ ଅଧା ଅନୁପସ୍ଥିତ: ଜୁନ୍ ୩୦ରେ ପ୍ରକାଶ ପାଇବ ଫଳ

ନୂଆଦିଲ୍ଲୀ : ନିଟ୍-ୟୁଜି ୨୦୨୪ ପରୀକ୍ଷାରେ ଅନିୟମିତତା ବିବାଦ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ରବିବାର ୧୫୬୩ଜଣ ଛାତ୍ରଛାତ୍ରୀଙ୍କ ପାଇଁ ପୁନଃ ପରୀକ୍ଷା ଆୟୋଜନ କରିଥିଲା। ପୁନଃ ପରୀକ୍ଷା ଆୟୋଜନ ହୋଇଥିବା ୧୫୬୩ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୧୩ଜଣ ପରୀକ୍ଷା ଦେଇଥିବାବେଳେ ୭୫୦ଜଣ ଅନୁପସ୍ଥିତ ରହିଥିଲେ। ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୬ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଯେଉଁସବୁ ପିଲାଙ୍କ ପାଇଁ ପୁନଃ ପରୀକ୍ଷା ଆୟୋଜନ କରାଯାଇଥିଲା ସେମାନଙ୍କ ମଧ୍ୟରୁ ପ୍ରାୟ ୫୦% ପିଲା ଅନୁପସ୍ଥିତ ରହିଛନ୍ତି। ଯେଉଁ ପିଲାଙ୍କ ପାଇଁ ପୁନଃ ପରୀକ୍ଷା ବ୍ୟବସ୍ଥା କରାଯାଇଥିଲା ସେମାନଙ୍କୁ ଗ୍ରେସ୍ ମାର୍କ ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଗ୍ରେସ୍‌ ମାର୍କ ଉଚ୍ଛେଦ କରାଯିବା ପରେ ସେମାନଙ୍କ ପାଇଁ ପୁନଃ ପରୀକ୍ଷା ଆୟୋଜନ କରାଯାଇଥିଲା। ମେଘାଳୟ, ହରିୟାଣା, ଛତିଶଗଡ, ଗୁଜରାଟ ଓ ଚଣ୍ଡିଗଡ କେନ୍ଦ୍ରରେ ପରୀକ୍ଷା ଆରମ୍ଭରେ ବିଳମ୍ବ କାରଣରୁ ଏହି ପିଲାମାନଙ୍କୁ ଗ୍ରେସ ମାର୍କ ଦିଆଯାଇଥିଲା। ଚଣ୍ଡିଗଡ ସେଣ୍ଟରରେ ଦୁଇଜଣ ପିଲାଙ୍କ ଲାଗି ଆଜି ପରୀକ୍ଷା ଆୟୋଜନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ କେହି ଆସିନଥିଲେ। ସେହିପରି ଛତିଶଗଡ ଦୁଇଟି ସେଣ୍ଟରରେ ୬୦୨ ପିଲା ପରୀକ୍ଷା ଦେବାକୁ
ଥିବାବେଳେ ସେମାନଙ୍କ ମଧ୍ୟରୁ ୨୯୧ଜଣ ପରୀକ୍ଷା ଦେଇଛନ୍ତି। ହରିୟାଣାର ଦୁଇଟି କେନ୍ଦ୍ରରେ ୪୯୪ ଜଣ ପିଲାଙ୍କ ପାଇଁ ପରୀକ୍ଷା ଆୟୋଜନ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୮୭ଜଣ ପରୀକ୍ଷା ଦେଇଥିଲେ। ମେଘାଳୟରେ ୪୬୪ଜଣଙ୍କ ପାଇଁ ପରୀକ୍ଷା ଆୟୋଜନ ହୋଇଥିବାବେଳେ ୨୩୪ଜଣ ପରୀକ୍ଷା ଦେଇଥିଲେ। ଗୁଜରାଟରେ ଜଣେ ପିଲା ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର ଖୋଲାଯାଇଥିଲା। ଏହି ପୁନଃ ପରୀକ୍ଷାର ଫଳ ଜୁନ୍ ୩୦ରେ ପ୍ରକାଶ ପାଇବ। ଅପରପକ୍ଷରେ ନିଟ୍‌ ପରୀକ୍ଷାରେ ଚଳିତବର୍ଷ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ଭାର ସିିବିଆଇ ଉପରେ ନ୍ୟସ୍ତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସିବିଆଇ ପକ୍ଷରୁ ରବିବାର ଏତଲା ଦାଏର କରାଯାଇଥିବାବେଳେ ବିହାର, ଗୁଜରାଟ ଏବଂ ମହାରାଷ୍ଟ୍ର ଭଳି ବିଭିନ୍ନ ରାଜ୍ୟକୁ ସିବିଆଇ ଟିମ୍‌ ପଠାଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ନିର୍ଦେଶକ୍ରମେ ଏହି ମାମଲାର ତଦନ୍ତ ଦାୟିତ୍ବ ସଂପୃକ୍ତ ରାଜ୍ୟ ପୁଲିସ ହାତରୁ ପ୍ରତ୍ୟାହାର କରାଯାଇ ସିବିଆଇ ଉପରେ ନ୍ୟସ୍ତ କରାଯାଇଛି। ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ଦ୍ବାରା ଚଳିତବର୍ଷ ମେ’ ୫ରେ ନିଟ୍‌ ପରୀକ୍ଷା ଆୟୋଜିତ ହୋଇଥିବାବେଳେ ଜୁନ୍‌ ୪ରେ ଫଳାଫଳ ଘୋଷଣା କରାଯାଇଥିଲା। ତେବେ ୬୭ ଜଣ ପରୀକ୍ଷାର୍ଥୀ ସର୍ବାଧିକ ୭୨୦ରୁ ୭୨୦ ନମ୍ବର ରଖିବା ପରେ ଏଥିରେ ଜାଲିଆତି ହୋଇଥିବା ଜଣାପଡିଥିଲା। ଶିକ୍ଷା ମନ୍ତ୍ରଣାଳୟ ପ୍ରଥମେ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲା। ତେବେ ଦେଶବ୍ୟାପୀ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶିତ ହେବା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହାର ତଦନ୍ତ ଭାର ସିବିଆଇକୁ ଅର୍ପଣ କରାଯାଇଛି। ଏ ସମ୍ପର୍କିତ ଏକାଧିକ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାବେଳେ ଜୁଲାଇ ୮ରେ ଶୁଣାଣି କରାଯିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories