ଏଥର ହେବ ଅଳପ ଶୀତ, ତାତିବ ଉପକୂଳ

ଭୁବନେଶ୍ବର: ଚଳିତ ମାସରେ ରାଜ୍ୟରେ ଶୀତ କମ ଅନୁଭୂତ ହେବ । ବର୍ଷା ସ୍ବାଭାବିକରୁ ଅଧିକ ଏବଂ ଉପକୂଳ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି । ନଭେମ୍ବର ପାଇଁ ଜାରି ବିସ୍ତାରିତ ରିପୋର୍ଟରେ ପାଣିପାଗ ବିଭାଗ କହିଛି, ଏହି ମାସରେ ଉତ୍ତର ଭାରତରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ । ଫଳରେ ଉତ୍ତର ଭାରତରୁ ରାଜ୍ୟକୁ ଆସୁଥିବା ଗରମ ପବନ ଦ୍ବାରା ଓଡ଼ିଶାରେ ଶୀତ କମ୍‌ ଅନୁଭୂତ ହୋଇପାରେ। ଅନ୍ୟପଟେ ଦେଶର ଅଧିକାଂଶ ସ୍ଥାନ ସମେତ ଓଡ଼ିଶାରେ ବର୍ଷା ସ୍ବାଭାବିକରୁ ଅଧିକ ହେବାକୁ ଥିବାବେଳେ ଉପକୂଳବର୍ତ୍ତୀ ଜିଲାଗୁଡିକରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବାର ସମ୍ଭାବନା ରହିଛି। ଜି.ଉଦୟଗିରିରେ ରାଜ୍ୟର ସବୁଠୁ କମ ସର୍ବନିମ୍ନ ତାପମାତ୍ରା ୧୪.୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିବା ବେଳେ କୋରାପୁଟର ୧୫ ଡିଗ୍ରୀ, ଦାରିଙ୍ଗବାଡି ୧୬ଡିଗ୍ରୀ, ସୁବର୍ଣ୍ଣପୁର ୧୬.୬ଡିଗ୍ରୀ, ଫୁଲବାଣୀ ୧୬.୫ଡିଗ୍ରୀ,ସୁନ୍ଦରଗଡ ୧୬ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡା ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ।

Comments are closed.