ଲଘୁଚାପ ପ୍ରଭାବରେ ରାଜ୍ୟବ୍ୟାପୀ ବର୍ଷା; ବିପଦସଙ୍କେତ ଛୁଇଁଲା ହୀରାକୁଦ
ଭୁବନେଶ୍ବର: ଉତ୍ତର ଏବଂ ଏହାର ପାର୍ଶ୍ବବର୍ତ୍ତୀ ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ପଶ୍ଚିମ ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଉପକୂଳ ଆଡ଼କୁ ମୁହାଁଇବ । ଅନ୍ୟପକ୍ଷରେ ମୌସୁମୀ ନିମ୍ନଚାପରେଖା ଭଟିଣ୍ଡାରୁ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ପର୍ଯ୍ୟନ୍ତ ଲମ୍ବିଛି ।
ଏହାର ପ୍ରଭାବରେ ଗତ ରବିବାରଠାରୁ କେବଳ ଓଡ଼ିଶା ନୁହେଁ ପଡୋଶୀ ଛତିଶଗଡ଼ରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ଫଳରେ ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ଗତକାଲି ରାତିରୁ ବର୍ଷା ଜଳ ପ୍ରବେଶ କରୁଛି। ହୀରାକୁଦ ଜଳସ୍ତର ବିପଦ ସଂକେତର ଅତି ନିକଟତର ହୋଇଛି। ଏହାସହ ଗତ ୨୪ ଘଣ୍ଟାରେ ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ହୀରାକୁଦ ନଦୀବନ୍ଧର ଆଜି ପୂର୍ବାହ୍ଣରେ ୪ଟି ଓ ରାତି ୮ଟାରେ ଆଉ ୨ଟିକୁ ମିଶାଇ ମୋଟ ୬ଟି ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ ଆରମ୍ଭ କରାଯାଇଛି। ଗତକାଲି ରାତିରେ ଜଳଭଣ୍ଡାରର ଜଳସ୍ତର ୬୨୯ ଫୁଟ ଅତିକ୍ରମ କରିବା ପରେ ଆଜି ସକାଳ ୧୦ଟାରୁ ୪ଟି ଗେଟ୍ ଖୋଲାଯିବାକୁ ବନ୍ଧ ନିୟନ୍ତ୍ରଣ କକ୍ଷ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ହୀରାକୁଦ ଜଳଭଣ୍ଡାରର ବିପଦସଂକେତ ୬୩୦ ଫୁଟ ରହିଥିବାବେଳେ ଆଜି ସନ୍ଧ୍ୟାରେ ଜଳସ୍ତର ୬୨୯.୨୫ ଫୁଟ ରହିଥିଲା।
ପାଣିପାଗ ବିଭାଗ ସୂଚନାନୁଯାୟୀ, ଆସନ୍ତାକାଲି ମହାନଦୀ ଅବବାହିକା ଓ ବିଶେଷକରି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୋଳ, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଏବେ ବର୍ଷା ଆରମ୍ଭ ହୋଇଛି। କେବଳ ସେତିକି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସମୁଦ୍ରରେ ୪୦ରୁ୫୦ କିମି ବେଗରେ ପବନ ବହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ସମସ୍ତ ଜିଲାପାଳଙ୍କୁ ରାଜ୍ୟରେ ବର୍ଷା ସ୍ଥିତି ନେଇ ସତର୍କ ରହିବା ଏବଂ ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି)ଙ୍କ କାର୍ଯ୍ୟାଳୟକୁ ଜଣାଇବାକୁ ନିର୍ଦେଶ ଦିଆଯାଇଛି। ଏଥିଯୋଗୁଁ ଭୂସ୍ଖଳନ, କାନ୍ଥ ଓ କଚ୍ଚାଘର ଭୁଶୁଡ଼ିବା ଏବଂ ଜଳବନ୍ଦୀ ସମସ୍ୟା ଦେଖାଦେଇପାରେ। ତେଣୁ ସତର୍କ ରହିବାକୁ ଜିଲାପାଳଙ୍କୁ ଏସଆରସିଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଅନ୍ୟପକ୍ଷରେ ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ହଳଦିଆ ସତକର୍ତା ଜାରି ହୋଇଛି।
ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଜଗତସିଂହପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, କୋରାପୁଟ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ମାଲକାନଗିରି, ରାୟଗଡ଼ା, ଗଜପତି, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼ ଓ ଯାଜପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ହଳଦିଆ ସତର୍କତା ଜାରି ହୋଇଛି। ଆଜି ଅପରାହ୍ଣ ୫.୩୦ ପର୍ଯ୍ୟନ୍ତ ତାଳଚେରରେ ସର୍ବାଧିକ ୩୮ମିମି, ଚାନ୍ଦବାଲିରେ ୩୩.୯ମିମି, ପାରାଦ୍ବୀପରେ ୩୧.୭, ନବରଙ୍ଗପୁରରେ ୨୩.୪, ଖୋର୍ଦ୍ଧାରେ ୧୭ ମିମି ବର୍ଷା ହୋଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ୬୭ମିମି, ନବରଙ୍ଗପୁରରେ ୬୫, ବରଗଡ଼ରେ ୪୭.୨, ବୌଦ୍ଧରେ ୩୫, ବଲାଙ୍ଗୀରରେ ୪୨, ହୀରାକୁଦରେ ୩୩.୮, ସମ୍ବଲପୁରରେ ୪୨.୪, ଭୁବନେଶ୍ବରରେ ୩୪ ଏବଂ ପାରାଦ୍ବୀପରେ ୫୦.୩ ବର୍ଷା ରେକର୍ଡ଼ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପରମୁଣ୍ଡରେ ୧୭.୮୭ ମିମି ଏବଂ ତଳମୁଣ୍ଡରେ ୨୮.୦୩ ମିମି ବର୍ଷା ରେକର୍ଡ କରାଯାଇଛି। ଏହାସହ ଜଳଭଣ୍ଡାରର ଜଳସ୍ତର ବିପଦସଂକେତ ନିକଟବର୍ତ୍ତୀ ହୋଇଯିବା ପରେ ବାମପାର୍ଶ୍ବର ୫ଟି ଓ ଦକ୍ଷିଣପାର୍ଶ୍ବର ଗୋଟିଏ ଗେଟ୍ ଖୋଲାଯାଇଥିଲା।
ଆଜି ସନ୍ଧ୍ୟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଜଳଭଣ୍ଡାରକୁ ସେକେଣ୍ଡ ପିଛା ୮୧,୮୫୩ ଘନଫୁଟ ଜଳ ପ୍ରବେଶ କରୁଥିଲା। ଏହି ସମୟରେ ମୋଟ୍ ୧,୦୭,୨୬୭ ଘନଫୁଟ ଜଳ ନିଷ୍କାସିତ ହେଉଥିଲା। ଏହି ସମୟରେ ମୁଣ୍ଡଳି ଦେଇ ସେକେଣ୍ଡ ପିଛା ୬୨,୬୦୦ ଘନଫୁଟ ଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି।
Comments are closed.