ଆଜିଠୁ କମିବ ବର୍ଷା; ୧୮ରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ

ଯାଜପୁରରେ ୯୦ ମି.ମି. ବର୍ଷିଲା

ଭୁବନେଶ୍ବର: ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ । ହେଲେ ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ଲାଗି ରହିବ । ୧୮ ତାରିଖରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଚଳିତ ମୌସୁମୀ ଋତୁରେ ୧୦୮୪.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି  ସ୍ୱାଭାବିକ ତୁଳନାରେ ୫ ପ୍ରତିଶତ ଅଧିକ ବର୍ଷିଛି ।

ଗତକାଲି ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଜୈସାଲମେର, ମଧ୍ୟପ୍ରଦେଶ ଦେଇ ଝାରସୁଗୁଡ଼ା, ବାଲେଶ୍ବର ଏବଂ ପୂର୍ବଦକ୍ଷିଣପୂର୍ବ ଦିଗରେ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ମୌସୁମୀ ନିମ୍ନଚାପ ରେଖା ଲମ୍ବିଛି। ମଙ୍ଗଳବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।

ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ହଳଦିଆ ସତର୍କତା ଜାରି କରାଯାଇଛି। ସେହିପରି ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବାବେଳେ ଆଜି ସକାଳ ୮.୩୦ ପର୍ଯ୍ୟନ୍ତ ଯାଜପୁରରେ ସର୍ବାଧିକ ୯୦ ମିମି ବର୍ଷା ରେକର୍ଡ଼ କରାଯାଇଛି। ବଲାଙ୍ଗୀରରେ ୬୬, ଖୋର୍ଦ୍ଧାରେ ୪୫, କେନ୍ଦ୍ରାପଡ଼ାରେ ୪୪.୫, ପାରାଦ୍ବୀପରେ ୪୩, ଭୁବନେଶ୍ବରରେ ୪୨.୮,ଚାନ୍ଦବାଲିରେ ୪୨.୩, ଗୋପାଳପୁରରେ ୪୧.୪ ଓ କଟକରେ ୩୪.୪ ମିମି ବର୍ଷା ରେକର୍ଡ଼ ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜଧାନୀରେ ଆକାଶ ମେଘୁଆ ରହିବା ସହ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Comments are closed.