୪୨ ଡିଗ୍ରୀ ଟପିଲା ୭ ସହର, ୪୩.୩ ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର

୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ ସହରର ତାପମାତ୍ରା

ଭୁବନେଶ୍ବର: ତାତିରୁ ନାହିଁ ନିସ୍ତାର, ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜ୍ୟର ୭ ସହରର ତାପମାତ୍ରା ୪୨ ଡିଗ୍ରୀ ଟପିଛି। ଅପରପକ୍ଷରେ ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ ସହରର ତାପମାତ୍ରା।ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଉତ୍ତପ୍ତ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି। ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିବାରୁ କାଳବୈଶାଖୀ ବର୍ଷା କମିଛି। ସୂର୍ଯ୍ୟଙ୍କ ପ୍ରଖର କିରଣ ପାଇଁ ତାପମାତ୍ରା ବଢୁଛି। ଉତ୍ତର ପଶ୍ଚିମ ବାୟୁ ତାପମାତ୍ରାକୁ ଆହୁରି ବଢାଉଛି। ତେବେ ଗ୍ରୀଷ୍ମ ପ୍ରବାହ ପାଇଁ ଦିନ ୧୧ଟା ଠାରୁ ୩ଟା ଯାଏଁ ଆବଶ୍ୟକତା ନଥିଲେ ଘରୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ ୪୩.୩ ଡିଗ୍ରୀ ସହ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁର ୪୨.୯, ଝାରସୁଗୁଡ଼ା ୪୨.୮, ସୋନପୁର ୪୨.୬, ଭୁବନେଶ୍ବର ୪୨.୬, ବରଗଡ଼ ୪୨.୪, ହୀରାକୁଦ ୪୨.୧, ବାରିପଦା ୪୨, ସୁନ୍ଦରଗଡ଼ ଓ ତାଳଚେର ୪୧.୭ ଡିଗ୍ରୀ ତାପମାତ୍ରା ରହିଛି। ଏପଟେ ରାଜଧାନୀ ଭୁବନେଶ୍ବର ଜଳୁଛି। ଆଜି କଂକ୍ରିଟ ସହର ରାଜଧାନୀରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ବରଗଡ଼ରେ ୪୨.୪, ହୀରାକୁଦରେ ୪୨.୧, ବାରିପଦାରେ ୪୨ ଡିଗ୍ରୀ ତାତି ରେକର୍ଡ ହୋଇଛି । ସୁନ୍ଦରଗଡ଼ ଓ ତାଳଚେରରେ ୪୧.୮, ଅନୁଗୁଳ ୪୧.୭, ରାଉରକେଲା ୪୧.୬, ଖୋର୍ଦ୍ଧା ୪୧.୫, ଢେଙ୍କାନାଳରେ ୪୧.୪, ବୌଦ୍ଧ ଓ କଟକରେ ୪୧, ଚାନ୍ଦବାଲିରେ ୪୦.୭, କେନ୍ଦ୍ରାପଡ଼ାରେ ୪୦.୬, ଯାଜପୁରରେ ୪୦.୫, ଜଗତସିଂହପୁରରେ ୪୦.୪, ଟିଟିଲାଗଡ଼ ଓ ନୂଆପଡ଼ାରେ ୪୦ ଡିଗ୍ରୀ ତାତି ରେକର୍ଡ ହୋଇଛି । ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.