୨୧ ଜିଲାକୁ କାଳବୈଶାଖୀ ଆଶଙ୍କା

0

ଭୁବନେଶ୍ୱର  : ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ୨୧ ଜିଲାରେ କାଳବୈଶାଖୀ ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ,ନବରଙ୍ଗପୁର, ନୂଆପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପବନର ବେଗ ୫୦ରୁ ୬୦ କିମି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। କାଳବୈଶାଖୀ ସମୟରେ ଘରୁ ବାହାରିବା ବିପଦପୂର୍ଣ୍ଣ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟରେ ବୈଦ୍ୟୁତିକ ଉପକରଣ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି।
କାଳବୈଶାଖୀ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଯାଇଛି। ମୟୂରଭଞ୍ଜର ଚନ୍ଦନପୁରରେ ସର୍ବାଧିକ ୫ ସେମି ଓ ଭଦ୍ରକର ବନ୍ତରେ ୪ ସେମି ବର୍ଷା ହୋଇଯାଇଛି। ବାଲିମୁଣ୍ଡଳୀ (ମୟୂରଭଞ୍ଜ), ଧାମନଗର, ରିଆମାଳ, ବାଙ୍ଗିରୀପୋଷି, ବୀରମହାରାଜପୁର, ଗଣିଆ, ଉଲୁଣ୍ଡା, ବରୀ, ଚାନ୍ଦବାଲି, ଉଦଳା, ପାନପୋଷରେ ୩ ସେମି ଲେଖାଏଁ ବର୍ଷିଛି। ଅନ୍ୟପକ୍ଷରେ ବାଲେଶ୍ୱରର ଜୟପୁର, ଜି ଉଦୟଗିରି, ଭୋଗରାଇ, ନରସିଂହପୁର, ବଡ଼ଗାଓଁ, ବାମରା, ରାଜଗାଙ୍ଗପୁର, ବୁର୍ଲା, ଜେନାପୁର, ଚଣ୍ଡୀଖୋଲ, ସୋରୋ, ହିନ୍ଦୋଳ, ଲାଇକେରା ଓ ବଡ଼ପାଲିରେ ୨ ସେମିରୁ ଅଧିକ ବର୍ଷା ହୋଇଯାଇଛି।
ପଶ୍ଚିମରେ ଧୀରେ ଧୀରେ ପାରଦ ଖସିବାରେ ଲାଗିଛି। ଗତକାଲି ରାଜ୍ୟର ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ଶନିବାର ୪ଟି ସହରରେ ଏହି ତାପମାତ୍ରା ରେକର୍ଡ଼ କରାଯାଇଛି। ମାଲକାନଗିରି ଆଜି ସବୁଠୁ ଉତ୍ତପ୍ତ ସହର ରହିଛି। ଏଠାରେ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ଼ କରାଯାଇଛି। ବଲାଙ୍ଗୀରରେ ୪୨.୦, ଟିଟିଲାଗଡ଼ରେ ୪୧ ଓ ଭବାନୀପାଟଣାରେ ୪୦.୨ ଡିଗ୍ରୀ ରେକର୍ଡ଼ କରାଯାଇଛି।

Leave A Reply