ହ୍ରିତିକ୍‍ ଓ ଟାଇଗରଙ୍କ ମଧ୍ୟରେ ଜବରଦସ୍ତ ‘ୱାର୍‍’: ରିଲିଜ୍‍ ହେଲା ଟ୍ରେଲର

ମୁମ୍ବଇ : ବଲିଉଡ଼ର ଦୁଇ ଆକ୍ସନ ଷ୍ଟାର ହ୍ରିତିକ୍‍ ରୋଶନ ଓ ଟାଇଗର ଶ୍ରଫ୍‍ଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ୱାର୍‍’ର ଟ୍ରେଲର ମଙ୍ଗଳବାର ରିଲିଜ୍‍ ହୋଇଛି। ପ୍ରଥମ ଥର ପାଇଁ ଏହି ଦୁଇ ଅଭିନେତାଙ୍କୁ ଗୋଟିଏ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ‘ୱାର୍‍’ରେ ଦର୍ଶକ ଜବରଦସ୍ତ ଷ୍ଟଣ୍ଟ୍‍ ଓ ଆକ୍ସନ ଦୃଶ୍ୟ ଦେଖିବାକୁ ପାଇବେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଅବସରରେ ମୁକ୍ତିଲାଭ କରିବ।

୨ ମିନିଟ୍‍ ୨୫ ସେକେଣ୍ଡର ଏହି ଟ୍ରେଲରରେ ଆଶ୍ଚର୍ଯ୍ୟକର ଆକ୍ସନ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ଟାଇଗରଙ୍କୁ ହ୍ରିତିକ୍‍ଙ୍କ ଜୁନିୟର ଭାବେ ଦେଖିବାକୁ ମିଳିଛି। ହ୍ରିତିକ୍‍ଙ୍କୁ ଖୋଜିବାକୁ ଟାଇଗରଙ୍କୁ ପଠାଯାଉଛି ଓ ଏହାପରେ ଆରମ୍ଭ ହେଉଛି ଦୁଇ ଷ୍ଟାରଙ୍କ ମଧ୍ୟରେ ୱାର୍‍। ଏପରି କାହାଣୀକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି।

ୟଶରାଜ ବ୍ୟାନରରେ ନିର୍ମିତ ‘ୱାର୍‍’ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପରଦାକୁ ଆସିବ। ଏହି ଚଳଚ୍ଚିତ୍ରକୁ ୭ଟି ଭିନ୍ନ ଭିନ୍ନ ଦେଶ ଓ ୧୫ଟି ସହରରେ ଶୁଟ୍‍ କରାଯାଇଛି। ଏହାର ଷ୍ଟଣ୍ଟ୍‍ ଓ ଆକ୍ସନ ଦୃଶ୍ୟ ପାଇଁ ୪ ଜଣ ଆକ୍ସନ ନିର୍ଦ୍ଦେଶକ ନିୟୋଜିତ ହୋଇଥିଲେ। ଚଳଚ୍ଚିତ୍ରରେ ହ୍ରିତିକ୍‍ ଓ ଟାଇଗରଙ୍କ ବ୍ୟତୀତ ବାଣୀ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିବ। ‘ୱାର୍‍’ ହ୍ରିତିକ୍‍ ଓ ଟାଇଗରଙ୍କ ପୁରୁଣା ରେକର୍ଡ଼ ଭାଙ୍ଗିବ ବୋଲି ଆଶା କରାଯାଉଛି।

Comments are closed.