ଦୁଇଦିନିଆ କଳାହାଣ୍ଡି ଗସ୍ତରେ ୫-ଟି ସଚିବ

ବିଭିନ୍ନ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା ସହ ସ୍ଥାନୀୟ ଲୋକଙ୍କ ସହ କଲେ ଆଲୋଚନା

ଭବାନୀପାଟଣା: ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ଦୁଇଦିନିଆ କଳାହାଣ୍ଡି ଗସ୍ତ କରିଛନ୍ତି। ତାଙ୍କର ଏହି ୨ ଦିନିଆ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି। ସେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ନୂତନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବିଶେଷକରି ନିର୍ମାଣାଧିନ ସରକାରୀ ମେଡ଼ିକାଲ କଲେଜ, ନୂତନ ବସଷ୍ଟାଣ୍ଡର ଅଗ୍ରଗତି ଆଦି ସମ୍ପର୍କରେ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ୧୯ ତାରିଖ ସଂଧ୍ୟାରେ ସରକାରୀ ମେଡ଼ିକାଲ କଲେଜର ନବନିର୍ମିତ ଅଡିଟୋରିୟମ, କଳାହାଣ୍ଡି ଜିଲ୍ଲାର ବିଭିନ୍ନ କଲେଜ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହିତ ଆଲୋଚନା କରିବା ପରେ କୃଷି ମହାବିଦ୍ୟାଳୟ ଗସ୍ତରେ ଯାଇଥିଲେ। ଏଥିସହ ଭବାନୀପାଟଣା ସହରର ବିଭିନ୍ନ ବର୍ଗର ବୁଦ୍ଧିଜୀବୀଙ୍କ ସହିତ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ଟାଉନ ହଲରେ ଏସଏଚଜି ମହିଳାଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଭବାନୀପାଟଣା ବ୍ଳକର ଭଟ୍ଟାଙ୍ଗପଦର ଇକୋଟୁରିଜିମଠାରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ସେଠାରେ ଆଜି କଡା ସୁରକ୍ଷା ଭିତରେ ରାତ୍ରୀଯାପନ କରିବେ ପାଣ୍ଡିଆନ୍‌।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫- ଟି ସଚିବ ଭି. କେ. ପାଣ୍ଡିଆନ ୧୯ ତାରିଖ ସକାଳ ୧୦ଟାରେ ଉକେଲା ଏୟାର ଷ୍ଟ୍ରିପରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା କିନ୍ତୁ ୧୦.୩୦ ମିନିଟରେ ପହଞ୍ଚିବା ପରେ ସେଠାରେ ଜିଲ୍ଲାପାଳ ପି . ଅନ୍ୱେଷା ରେଡ୍ଡୀ, ଏସପି ଅଭିଳାଷ ଜୀ ପ୍ରମୁଖ ସ୍ୱାଗତ କରିଥିଲେ । ସେଠାରୁ ସେ କେସିଙ୍ଗା, ମଦନପରାମପୁର ଓ ନର୍ଲା ବ୍ଲକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ସ୍ଥାନୀୟ ଲୋକଙ୍କ ଓ ଲୋକ ପ୍ରତିନିଧିମାନଙ୍କ ସହିତ ସ୍ଥାନୀୟ ସମସ୍ୟା ଓ ଉକ୍ତ ପ୍ରକଳ୍ପର କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ପରେ ସେ ଅପରାହ୍ନରେ ଭବାନୀପାଟଣା ପହଞ୍ଚି ପୁଲିସ ହାଇସ୍କୁଲର ୫-ଟି ଆଧୁନିକୀକରଣ କାର୍ଯ୍ୟ ବୁଲି ଦେଖିବା ସହିତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ପରେ ସେ ନୂତନ ବସଷ୍ଟାଣ୍ଡର ଅଗ୍ରଗତି ଉପରେ ସମ୍ପୃକ୍ତ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଆଶା ସାଗର ପରିଦର୍ଶନ କରିଥିଲେ । ସେଠାରେ ଭବାନୀପାଟଣା ନଗରପାଳିକା ସଂଯୁକ୍ତା ବେହେରା ପାଣ୍ଡିଆନଙ୍କୁ ଆଶାସାଗର ବିକାଶ ସହିତ ଭବାନୀପାଟଣା ପୌରପରିଷଦର ବିକାଶ ଉପରେ ଆଲୋଚନା କରିଥିଲେ। ପରେ ଶ୍ରୀମତୀ ବେହେରା ୫-ଟି ସଚିବଙ୍କୁ ପୃଥକ ପୃଥକ ଭାବରେ ୩ଟି ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଆଶାସାଗରର ପୁନରୁଦ୍ଧାର ଉପରେ ପ୍ରଶାସନ ସହିତ ଆଲୋଚନା କରିଥିଲେ । ଏହାପରେ ଜୁନାଗଡ଼ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଓ ମା’ ଲଙ୍କେଶ୍ବରୀ ମନ୍ଦିର ଯାଇ ଉନ୍ନୟନ ନେଇ ଆଲୋଚନା କରିଥିଲେ ।

୨୦ ତାରିଖରେ ପାଣ୍ଡିଆନ ଭବାନୀପାଟଣା ପିପ୍ପଲ ନଲା ଉନ୍ନତି ନିମନ୍ତେ କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଭଟ୍ଟାଙ୍ଗପଦର ହାଇସ୍କୁଲ ସହ ଏହାପରେ ହେଲିକ୍ୟାପ୍ଟର ଯୋଗେ ଥୁଆମୂଳରାମପୁର ଯିବାର କାର୍ଯ୍ୟକ୍ରମ ରହିଛି । ୨୦ ତାରିଖ ଦିନ ଥୁଆମୂଲରାମପୁର, ଆମପାଣୀ ଓ ଧର୍ମଗଡରେ ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କଳହାଣ୍ଡି ଜିଲ୍ଲାରେ ୫- ଟି ସଚିବ ଧର୍ମଗଡ଼ ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିବା ଯୋଗୁଁ କଳାହାଣ୍ଡି ଜିଲ୍ଲାର ଭୌଗୋଳିକ ସ୍ଥିତି, ଅବସ୍ଥିତି ଓ ଉନ୍ନୟନ ଉପରେ ତାଙ୍କର ଦୁର୍ବଳତା ଥିବା ଯୋଗୁଁ ଏହି ଗସ୍ତ ଦ୍ବାରା ନିଶ୍ଚିତ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ହେବା ସହିତ ବିଭିନ୍ନ ନୂତନ ଯୋଜନା ରୂପାୟନ ହେବ । ପାଣ୍ଡିଆନଙ୍କ ଏହି ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ସମେତ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନେ ରାତିଦିନ ଏକ କରିଦେଇଛନ୍ତି ।

Comments are closed.