ଦନ୍ତାମୁରା ଗ୍ରାମ୍ୟ ଜଙ୍ଗଲ କମ୍ପାନୀକୁ ହସ୍ତାନ୍ତରକୁ ବିରୋଧ: ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ରେଙ୍ଗାଲି : ସମ୍ବଲପୁର ଜିଲାର ରେଙ୍ଗାଲିବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦନ୍ତାମୁରା ଗ୍ରାମର ପ୍ରଜା ସଂରକ୍ଷିତ ଗ୍ରାମ ଜଙ୍ଗଲର କିସମ ପରିବର୍ତ୍ତନ କରି ଏନଏଲସି କମ୍ପାନୀର କୋଇଲା ଖଣି ପାଇଁ ହସ୍ତାନ୍ତର ପ୍ରୟାସକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଆଜି ଏସଂକ୍ରାନ୍ତରେ ଗ୍ରାମବାସୀଙ୍କ ଏକ ପ୍ରତିନିଧିଦଳ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବା ସହିତ ଉତ୍ତରାଞ୍ଚଳ ରାଜସ୍ବ କମିଶନର, ଆରକ୍ଷୀ ଅଧୀକ୍ଷକ, ରେଙ୍ଗାଲି ତହସିଲଦାର ପ୍ରମୁଖଙ୍କୁ ମଧ୍ୟ ସାକ୍ଷାତ କରି ଦାବିପତ୍ରର ଅବିକଳ ନକଲ ପ୍ରଦାନ କରିଛନ୍ତି।
ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ତତ୍କାଳୀନ ସରକାରଙ୍କ ଦ୍ବାରା ଦନ୍ତାମୁରାରେ ଥଇଥାନ ହୋଇଥିବା ଗ୍ରାମବାସୀଙ୍କ ଅଭିଯୋଗରୁ ପ୍ରକାଶ ଯେ ଦନ୍ତାମୁରା ଗ୍ରାମ ଜଙ୍ଗଲ କିସମ ଜମି ଖାତା ନଂ ୫୬ ପ୍ଲଟ୍ ନଂ୭୫ ଏ୨୭.୮୫ ଡେସିମିଲ୍ ରୁ ୨୬ ଏକର ୬୧ ଡେସମିଲ୍ ଜମିର କିସମକୁ ପତିତ କିସମରେ ପରିବର୍ତ୍ତନ କରାଯାଇ ଏନଏଲସି କମ୍ପାନୀକୁ ହସ୍ତାନ୍ତର କରାଯିବାର ପ୍ରକ୍ରିୟା ଚାଲିଛି। ଦୀର୍ଘ ବର୍ଷ ଧରି ଗ୍ରାମବାସୀ ଏହି ଜଙ୍ଗଲକୁ ସଂରକ୍ଷିତ କରି ଜୀବନ ଜିବୀକା ନିର୍ବାହ କରୁଥିବାବେଳେ ଗ୍ରାମବାସୀଙ୍କ ବିନା ସହମତିରେ ଗ୍ରାମ ଜଙ୍ଗଲକୁ କାହା ସ୍ବାର୍ଥରେ କମ୍ପାନୀକୁ ହସ୍ତାନ୍ତର କରାଯାଉଛି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ନଦୀବନ୍ଧ ଯୋଜନାରେ ସର୍ବସ୍ବ ହରାଇ ସମସ୍ତ ପରିବାର ଭୂମିହୀନ। ରୋଜଗାର ପନ୍ଥା କିଛି ନାହିଁ। କମ୍ପାନୀକୁ ହସ୍ତାନ୍ତର କରାଯିବାକୁ ଥିବା ଜମି ଦୀର୍ଘ ବର୍ଷ ହେଲା ଭୂମିହୀନ ପରିବାର ଦଖଲ କରି ଆସୁଛନ୍ତି। ହମିଦ ବନ୍ଦୋବସ୍ତରେ ସେମାନଙ୍କ ନାମରେ ରେକର୍ଡ ଅଛି। ଏଣୁ ହମିଦ ବନ୍ଦୋବସ୍ତ ରେକର୍ଡ ଅନୁସାରେ ସଂପୃକ୍ତ ପ୍ରଜା ମାନଙ୍କୁ କ୍ଷତି ପୂରଣ ପ୍ରଦାନ କରାଯାଉ । ଗ୍ରାମର ସମସ୍ତ ଯୁବକଙ୍କୁ ନିଯୁକ୍ତି ଦେବାକୁ କମ୍ପାନୀ ଚୁକ୍ତିବଦ୍ଧ ହେଉ। ନଚେତ୍ ଆମେ ଜଙ୍ଗଲ ଜମି ଛାଡିବୁ ନାହିଁ ବୋଲି ଶତାଧିକ ଗ୍ରାମବାସୀଙ୍କ ସ୍ବାକ୍ଷରିତ ଦାବିପତ୍ର ଆଜି ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।
Comments are closed.