ଭିଜିଲାନ୍ସ ଜାଲରେ ମହିଳା ରାଜସ୍ବ ନିରୀକ୍ଷିକା
ସୁନ୍ଦରଗଡ଼ : ରାଜଗାଙ୍ଗପୁର ତହସିଲର ମାଳିଡିହି ରାଜସ୍ବ ସର୍କଲର ମହିଳା ରାଜସ୍ବ ନିରୀକ୍ଷିକା ଜୈନିକ ବ୍ୟକ୍ତିଙ୍କ ମ୍ୟୁଟେସନ ରିପୋର୍ଟ ଦାଖଲ କରିବା ପାଇଁ ୮ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରା ପଡ଼ିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଭାଗୀୟ ସୂତ୍ରରୁ ପ୍ରକାଶ, ମାଲିଡ଼ିହିରେ ଅବସ୍ଥାପିତ ମହିଳା ରାଜସ୍ବ ନିରୀକ୍ଷିକା ମାନସି ସାହୁ ଏହି ଗ୍ରାମର ସୁଦିପ ଟପ୍ପୋଙ୍କ ନାମରେ ଥିବା ୩୦ଡ଼ିସମିଲ ଓ ବାପାଙ୍କ ନାମରେ ଥିବା ୨୫ଡ଼ିସମିଲ ଜାଗାର ମ୍ୟୁଟେସନ କରିବା ପାଇଁ ସୁଦିପ ରାଜଗାଙ୍ଗପୁର ତହସିଲଦାରଙ୍କ ଠାରେ ଆବେଦନ କରିଥିଲେ । ରାଜଗାଙ୍ଗପୁର ତହସିଲଦାର ଜମି ସଂପର୍କିତ ରିପୋର୍ଟ ଦେବା ପାଇଁ ମାଲିଡ଼ିହିର ମହିଳା ରାଜସ୍ବ ନିରୀକ୍ଷିକା(ଆର.ଆଇ)ଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦେଶ ଦେଇଥିଲେ । ଦୁଇଚାରି ଥର ଦୌଡ଼ିଲା ପରେ ମହିଳା ଆର.ଆଇ ୧୦ ହଜାର ଟଙ୍କା ନ ଦେଲେ ରିପୋର୍ଟ ବିରୋଧ ରିପୋର୍ଟ ଚାଲିଯିବ ବୋଲି ପରୋକ୍ଷରେ ଧମକ ଦେଇଥିଲେ । ଅପରପକ୍ଷରେ ସୁଦିପ ପାଖରେ ଏତେ ଟଙ୍କା ନ ଥିବାରୁ ସେ ଗତକାଲି ଆର.ଆଇଙ୍କୁ ୮ହଜାର ଟଙ୍କା ଦେଇ ପାରିବ ବୋଲି କହିବାରୁ ସେ ସମ୍ମତି ପ୍ରକାଶ କରିଥିେଲ । ଆର୍ଥିକ ଅଭାବରେ ଥିବା ସୁଦିପ ଏ ସଂପର୍କରେ ସମ୍ବଲପୁର ଭିଜିଲାନ୍ସ କାର୍ୟ୍ୟାଳୟ ସହ ଯୋଗାଯୋଗ କରି ଅଭିଯୋଗ କରିଥିଲେ । ସୁଦିପଙ୍କ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରିବା ସହ ରଙ୍ଗବୋଳା ୮ହଜାର ଟଙ୍କା ଅଭିଯୋଗକାରୀ ସୁଦିପକୁ ଦେଇଥିଲେ । ଆଜି ସୁଦିପ ସେହି ଟଙ୍କା େନଇ ମହିଳା ଆର.ଆଇଙ୍କୁ ଯୋଗାଯୋଗ କରି ଟଙ୍କା ଦେବା କଥା କହିବାରୁ ମହିଳା ଆର.ଆଇ ମାନସି ସାହୁ ରାଜଗାଙ୍ଗପୁର ଆର.ଆଇ କାର୍ୟ୍ୟାଳୟକୁ ଆସିବା ପାଇଁ କହିଥିଲେ । ଏଠାରେ ସୁଦିପ ମହିଳା ଆର.ଆଇଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଡ଼ି.ଏସ.ପି ଦିଲୀପ କୁମାର କରଙ୍କ ନେତୃତ୍ବରେ ଇନ୍ସିପେକ୍ଟର ପ୍ରଦୀପ କୁମାର ଆଇନ୍ଦ, ଇନ୍ସିପେକ୍ଟର ରଶ୍ମିତା ଲାକ୍ରା ଓ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ମାନେ ଆର.ଆଇଙ୍କୁ କାବୁ କରି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ପରେ ତାଙ୍କ କାର୍ୟ୍ୟାଳୟ ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ଉ କରିଥିଲେ । ଏ ଖବର ଲେଖା ହେଲା ବେଳକୁ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ ତଦନ୍ତ ଚାଲିଛି ବୋଲି ଉତ୍ତର ଦେଇଥିଲେ ।