ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ଜମି କିଣାବିକା, ହସ୍ତାନ୍ତରଣ ଓ ପଞ୍ଜିକରଣକୁ ବିବାଦମୁକ୍ତ କରିବା ପାଇଁ ଏକ ବିସ୍ତୃତ ଓ ଆଦର୍ଶ ଆଇନ୍ ପ୍ରଣୟନ କରିବାକୁ ଆହ୍ୱାନ କରିଛନ୍ତି। ନାଇଡୁ ଜମି ଦସ୍ତାବିଜ୍ର ଡିଜିକରଣ କରି ପ୍ରତିଟି କାରବାରକୁ ସରଳୀକୃତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ହିମାଚଳ ପ୍ରଦେଶର ମୁଖ୍ୟ ଶାସନସଚିବ ବି.କେ. ଅଗ୍ରୱାଲଙ୍କ ଦ୍ୱାରା ଲିଖିତ ପୁସ୍ତକ ‘Land Registration, Global Practices & Lessons for India’ ପୁସ୍ତକର ନୂଆଦିଲ୍ଲୀଠାରେ ଉନ୍ମୋଚନ ପରେ ସେ ଏହା କହିଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାର ମିଳିତଭାବେ ଟିମ୍ ଇଣ୍ଡିଆର ମନୋଭାବ ସହିତ ଜମି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ପାଇଁ ଏକ ବିସ୍ତୃତ ଆଇନ୍ ପ୍ରଣୟନ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଉପରାଷ୍ଟ୍ରପତି ମରାମର୍ଶ ଦେଇଛନ୍ତି। ଭାରତୀୟ ଜନସଂଖ୍ୟାର ଶତକଡା ୫୦ଭାଗ ଲୋକଙ୍କର ଜୀବିକାର ଉତ୍ସ ଭୂମି ହୋଇଥିବାରୁ ଜମିର ସ୍ୱତ୍ତ୍ୱାଧିକାର ପାଇଁ ଆଇନ୍ଗତ ଦସ୍ତାବିଜ୍ର ଆବଶ୍ୟକତା ଉପରେ ଉପରାଷ୍ଟ୍ରପତି ନାଇଡୁ ଗୁରୁତ୍ୱାରୋପ କରିଛନ୍ତି। ଜମି କିଣାବିକା ପ୍ରକ୍ରିୟାକୁ ଦୁର୍ନୀତିମୁକ୍ତ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିବା ପାଇଁ ଏହାର ସରଳୀକରଣ କରିବାକୁ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଛନ୍ତି।



