ବିଶ୍ୱନାଥ ବିଦ୍ୟାପୀଠର ସୌନ୍ଦର୍ଯ୍ୟ ନଷ୍ଟ କରୁଛି ଗାଡି ପାର୍କିଂ
ଜିଲ୍ଲାପାଳଙ୍କ ପୋଷ୍ୟ ସ୍କୁଲର ଦୂରାବସ୍ଥା
ଆଠଗଡ : ରାଜ୍ୟସରକାରଙ୍କ ୫-ଟି ବିଭାଗ ଦ୍ୱାରା ରୂପାନ୍ତରିତ ହୋଇଥିବା ଏବଂ ଜିଲ୍ଲାପାଳଙ୍କ ଦ୍ୱାରା ପୋଷ୍ୟ ସ୍କୁଲ ବିଶ୍ୱନାଥ ବିଦ୍ୟାପୀଠ ସମ୍ମୁଖରେ ନିୟମିତ ଗାଡି ପାର୍କିଂ ଓ ଅସ୍ଥାୟୀ ଦୋକାନ ଯୋଗୁଁ ବିଦ୍ୟାଳୟର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ୫-ଟି ବିଭାଗ ଦ୍ୱାରା ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସ୍କୁଲର ସୌନ୍ଦର୍ଯ୍ୟକରଣ, ଅତ୍ୟାଧୁନିକ ଶୌଚାଳୟ, ସଂଗୀତ ଶିକ୍ଷା କକ୍ଷ ଏବଂ ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟରେ ପ୍ରାୟ ଦୁଇକୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା ବିଶ୍ୱନାଥ ବିଦ୍ୟାପୀଠକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କଠାରୁ ଦାନ ଆକାରରେ ସଂଗ୍ରହ କରି ମୋ ସ୍କୁଲ ଅଭିଯାନ ଯୋଜନାରେ ଜମାକରି ପ୍ରତିିବଦଳରେ ମିଳିଥିବା ଅର୍ଥ ବିନିଯୋଗ କରାଯାଇଛି । ସ୍କୁଲ ସମ୍ମୁଖରେ ଏକ ସୁଦୃଶ୍ୟ ତୋରଣ ସହ ଫାଟକ ଏବଂ ଫାଟକ ସମ୍ମୁଖରେ ଥିବା ଖାଲି ଜାଗାରେ ଟାଇଲ ପକାଯାଇ ସୌନ୍ଦର୍ଯ୍ୟକରଣ କରାଯାଇଛି । ସେହିପରି ଏନଏସି ପର୍ଯ୍ୟରୁ ଜିଲ୍ଲାପାଳଙ୍କ ପରାମର୍ଶକ୍ରମେ ବିଦ୍ୟାଳୟ ସମ୍ମୁଖରେ ଏବିସିଡି ଲେଖା ସହିତ ବିଦ୍ୟାଳୟ ଯାଉଥିବା ଛାତ୍ରଛାତ୍ରୀଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ସେଥିରେ ସୁନ୍ଦର ରଙ୍ଗବେରଙ୍ଗର ଆଲୋକ ସଜ୍ଜା ହୋଇଛି । ସ୍କୁଲ ସମ୍ମୁଖଭାଗରେ ଆଗରୁ ବହୁ ମାଲ ପରିବହନ କରୁଥିବା ପିକ୍ଅପ ଭ୍ୟାନ ଓ ଟାଟା ଏସି ଗୁଡିକ ସେଠାରେ ପାର୍କିଂ କରିବା ଫଳରେ ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ସ୍କୁଲର ବିଦ୍ୟାର୍ଥୀ ଯିବା ଆସିବାରେ ସମସ୍ୟା ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସେଠାରେ ଟାଇଲ ବିଛାଇବା ପାଇଁ ପୂର୍ତ୍ତବିଭାଗକୁ ନିର୍ଦେଶ ଦେବା ସହ ସେଠାରେ କୌଣସି ଗାଡି ନିୟମିତ ପାର୍କିଂ ଅବା ଅସ୍ଥାୟୀ ଦୋକାନ ନକରିବା ପାଇଁ ନିର୍ଦେଶ ଦେଇଥିଲେ। ହେଲେ ଜିଲ୍ଲାପାଳଙ୍କର ନିର୍ଦେଶକୁ ଖାତିର ନକରି ସେଠାରେ ପୂର୍ବବତ୍ ମାଲବୁହା ଯାନ ପାର୍କିଂ କରୁଥିବା ଏବଂ କିଛି ଅସ୍ଥାୟୀ ଦୋକାନ ଖୋଲାଯାଉଥିବାରୁ ସ୍କୁଲର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଏନଏସି କର୍ତ୍ତୃପକ୍ଷ ସେଠାରୁ ପୁଲିସ ସହାୟତାରେ ପାର୍କିଂ ବ୍ୟବସ୍ଥା ଓ ଅସ୍ଥାୟୀ ଦୋକାନ ବନ୍ଦ କରିବା ପାଇଁ ପଦକ୍ଷେପ ନେବାଲାଗି ଅଭିଭାବକ ଏବଂ ପୁରାତନ ଛାତ୍ରସଂଘ ଦାବି କରିଛନ୍ତି ।
Comments are closed.