ନୂଆଦିଲ୍ଲୀ : ଗୁରୁବାର ଠାରୁ ୪୫ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବ। ୧୯୭୭ ଜାନୁୟାରୀ ପହିଲା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ଏହି ଟିକା ନେଇପାରିବେ। ସମସ୍ତ ସରକାରୀ ଓ ବେସରକାରୀ କେନ୍ଦ୍ରଗୁଡ଼ିକରୁ ଟିକା ନେଇପାରିବେ। ତେବେ ଟିକା ନ ହେବା ଉପରେ ଗୁରୁତ୍ବ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଟିକା ନଷ୍ଟର ହାର ୧% ରଖିବାକୁ କୁହାଯାଇଛି। ଏଥିପାଇଁ ପ୍ରତିଦିନ ଟିକା ନଷ୍ଟର ସମୀକ୍ଷା କରିବାକୁ କୁହାଯାଇଛି। ଯେଉଁ ପରିମାଣର ଟିକା ମହଜୁଦ ରହିଛି ତାକୁ ଠିକ୍ ସମୟରେ ଉପଯୋଗ କରିବାକୁ କୁହାଯାଇଛି। ଏହା ଦ୍ବାରା ଟିକାର ତମାଦି ଅବଧିକୁ ଏଡାଯାଇପାରିବ। ବୁଧବାର ସମସ୍ତ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଓ ଅନ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହିତ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଓ କରୋନା ଟିକାକରଣ ସମ୍ପର୍କିତ କ୍ଷମତାପ୍ରାପ୍ତ କମିଟିର ଅଧ୍ୟକ୍ଷ ଡାକ୍ତର ଆରଏସ୍ ଶର୍ମା ଭିଡିଓ କନଫରେନ୍ସିଂରେ ବୈଠକ କରିଥିଲେ। ବୈଠକରେ ସ୍ବାସ୍ଥ୍ୟ ସଚିବ ପ୍ରତିଶ୍ରୁତି ଦେଇଥିଲେ ଟିକାର କୌଣସି ଅଭାବ ନାହିଁ।
ଛୁଞ୍ଚି ଓ ସିରିଞ୍ଜ ମାଧ୍ୟମରେ ଦିଆଯାଉଥିବା କରୋନା ଭୂତାଣୁ ପ୍ରତିରୋଧକ ଟିକା ଏଣିକି ଖାଇବା ଲାଗି କ୍ୟାପସୁଲ୍ ମାଧ୍ୟମରେ ଉପଲବ୍ଧ ହେବ। ଭାରତର ଘରୋଇ ଫାର୍ମାସ୍ୟୁଟିକାଲ କମ୍ପାନୀ ପ୍ରେମାସ୍ ବାୟୋଟେକ୍ ଏହି କ୍ୟାପସୁଲ୍ ପ୍ରସ୍ତୁତି ଦିଗରେ ଉଦ୍ୟମ ଚଳାଇଛି। କମ୍ପାନୀର ପରିଚାଳନା ନିର୍ଦେଶକ ଡାକ୍ତର ପ୍ରଭୁଦତ୍ତ କୁଣ୍ଡୁ କହିଛନ୍ତି ଯେ ଜେରୁଜେଲମ୍ସ୍ଥିତ ଓରାମଡ୍ ଫାର୍ମାସ୍ୟୁଟିକାଲ୍ ସହିତ ମିଶି କ୍ୟାପସୁଲ୍ ଟିକାର ବିକାଶ କରାଯାଉଛି। ଏହି କ୍ୟାପସୁଲ୍ର ଟିକାର ବିତରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କିମ୍ବା ଶୀତଳ ଭଣ୍ଡାରର ଆବଶ୍ୟକତା ପଡିବ ନାହିଁ ବୋଲି କୁଣ୍ଡୁ କହିଛନ୍ତି।
ଆଜିଠୁ ୪୫ରୁ ଅଧିକ ବୟସ୍କଙ୍କୁ ଟିକା
Popular Categories



